ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଜରିଆରେ କିନ୍ନରମାନଙ୍କୁ ଟିକା ଦିଆଯାଇଛି। ଶୁକ୍ରବାର ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଭୁବନେଶ୍ୱର ମହାନଗର ନିଗର ନିଗମ (ବିଏମସି) ପକ୍ଷରୁ କିନ୍ନରମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟିକାକରଣ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। କୋଭିଡ୍ ନିୟମ ପାଳନ କରି ୮୦ରୁ ଅଧିକ କିନ୍ନର ଏହି କ୍ୟାମ୍ପ୍‌ରେ ଟିକା ନେଇଥିଲେ।ନିଖିଳ ଓଡ଼ିଶା କିନ୍ନର ପରିଷଦର ସଭାନେତ୍ରୀ ମୀରା ପରିଡ଼ା ଏହି ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅପରାହ୍‌ଣ ୩ଟାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିପାଇଁ କ୍ୟାମ୍ପ୍‌ରେ ସ୍ପଟ୍ ରେଜିଷ୍ଟ୍ରେସନ୍‌ ବ୍ୟବସ୍ଥା କରାଯାଇଥିଲା। ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ପାଳନ ସହ ଧାଡ଼ିବାନ୍ଧି କିନ୍ନରମାନେ ଟିକା ନେବା ପାଇଁ ନିଜ ନାମ ପଞ୍ଜୀକରଣ କରିଥିଲେ। ଏହାପରେ ଜଣକ ପରେ ଜଣେ ଟିକାକରଣ କକ୍ଷକୁ ଯାଇ ଟିକା ନେଇଥିଲେ। ସେଠାରେ ଟିକା ଦେଉଥିବା ସ୍ଵାସ୍ଥ୍ୟକର୍ମୀମାନେ କିନ୍ନରମାନଙ୍କଠାରେ ପୂର୍ବରୁ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ରହିଛି କି ନାହିଁ ପଚାରି ବୁଝି ଟିକା ଦେଇଥିଲେ। ଏଥିସହ ଟିକା ନେବା ପରେ ସମସ୍ତେ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣରେ ରହିବା ସହ କୋଭିଡ୍ ଉପଯୋଗୀ ନିୟମ ପାଳନ କରିବାକୁ ସ୍ଵାସ୍ଥ୍ୟକର୍ମୀମାନେ କିନ୍ନରମାନଙ୍କୁ ପରାମର୍ଶ ଦେଇଥିଲେ।

ଟିକା ନେବା ପରେ ନୀରିକ୍ଷଣରେ ରହିବା ପାଇଁ କ୍ୟାମ୍ପ୍ ପରିସରରେ ନିରୀକ୍ଷଣ କକ୍ଷ କରାଯାଇଥିଲା। ଯେଉଁ କିନ୍ନରମାନେ ଟିକା ନେଇ ଆସୁଥିଲେ ସେମାନେ ୩୦ ମିନିଟ୍ ପର୍ଯ୍ୟନ୍ତ ଏହି ନିରୀକ୍ଷଣ କକ୍ଷରେ ବିଶ୍ରାମ ନେଉଥିଲେ। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କିନ୍ନରମାନଙ୍କୁ ଟିକା ଦିଆଯାଇଥିଲା।ବିଏମସି ଡେପୁଟି କମିସନର ଅଂଶୁମାନ ରଥ କ୍ୟାମ୍ପ୍‌କୁ ଆସି ଟିକାକରଣର ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଭୁବନେଶ୍ଵରରେ ଥିବା କିନ୍ନର ସମାଜର ସଦସ୍ୟମାନେ ବିଏମସିକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି। ବିଏମସି ପକ୍ଷରୁ ସେମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ, ପାଣି ବିଲ୍ ଆଦାୟ ଏବଂ ପାର୍କିଂ ସ୍ଥଳ ଆଦି ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଏଥିପାଇଁ ସେମାନେ ଅନେକ ସମୟରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ବିଏମସି ପାଇଁ କିନ୍ନରମାନେ ଏକ ଫର୍‌ଓ୍ଵାର୍ଡ ଫୋର୍ସ ପରି କାମ କରୁଛନ୍ତି। ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ଵତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି।

ସେହିପରି ‘ସଖା’ର ପ୍ରତିଷ୍ଠାତା ସାଧନା ମିଶ୍ର ଏହି କ୍ୟାମ୍ପ୍‌ରେ ଯୋଗଦେଇ ଟିକା ନେବାକୁ ଆସିଥିବା କିନ୍ନରମାନଙ୍କୁ ଟିକାର ଉପକାରିତା ବିଷୟରେ ବୁଝାଇବା ସହ ଟିକାକୁ ନେଇ ପ୍ରଚାର ହେଉଥିବା ଗୁଜବଠାରୁ ଦୂରେଇ ରହିବା ଏବଂ ଟିକା ନେବା ପରେ ମଧ୍ୟ କୋଭିଡ୍ ଉପଯୋଗୀ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ।  “ତୃତୀୟ ଲିଙ୍ଗୀ ସମାଜ ପାଇଁ ଓଡ଼ିଶା ସରକାର ଏବଂ ବିଏମସି ପକ୍ଷରୁ କରାଯାଇଥିବା ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ସବୁ କିନ୍ନରମାନଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ଵା ଇଣ୍ଟରନେଟର ସୁବିଧା ନଥାଏ, ତେଣୁ ସେମାନଙ୍କୁ ଟିକା ପାଇଁ ସ୍ଲଟ୍ ବୁକ୍ କରିବାରେ ସମସ୍ୟା ହୁଏ। ତେଣୁ ଏହି ସ୍ଵତନ୍ତ୍ର ଟିକାକରଣ ବ୍ୟବସ୍ଥା ଦ୍ୱାରା ଭୁବନେଶ୍ୱରରେ ବସବାସ କରୁଥିବା କିନ୍ନର ମା’ ଓ ଭଉଣୀମାନେ ଉପକୃତ ହୋଇପାରିଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଏଭଳି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଆୟୋଜନ କରାଗଲେ ଅନ୍ୟ କିନ୍ନରମାନେ ମଧ୍ୟ ଉପକୃତ ହୋଇପାରିବେ”, କହିଛନ୍ତି ନିଖିଳ ଓଡ଼ିଶା କିନ୍ନର ପରିଷଦର ସଭାନେତ୍ରୀ ମୀରା ପରିଡ଼ା।   ସେହିପରି ଥାର୍ଡ ଜେଣ୍ଡର ଓ୍ୱେଲଫେୟାର ଟ୍ରଷ୍ଟର ସଂପାଦକ ମେଘନା ସାହୁ ଏହି ଟିକାକରଣ କ୍ୟାମ୍ପ୍‌ର ପରିଚାଳନା କରିଥିଲେ। ଏହି ଅବସରରେ ସେ କହିଥିଲେ ଭୁବନେଶ୍ୱରରେ କିନ୍ନରମାନଙ୍କୁ ଟିକାକରଣ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆମେ ରାଜ୍ୟ ସରକାର ଏବଂ ବିଏମସିକୁ ଅନୁରୋଧ କରିଥିଲୁ। ଏହାପରେ ସରକାର, ବିଏମସି, ଦି ହ୍ୟୁମାନିଟି, ସଖା ଏବଂ ଥାର୍ଡ ଜେଣ୍ଡର ଓ୍ୱେଲଫେୟାର ଟ୍ରଷ୍ଟର ମିଳିତ ସହଯୋଗରେ କିନ୍ନରମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ଟିକାକରଣ ଶିବିରର ଆୟୋଜନ ହୋଇଥିଲା। ଏଥିରେ ୮୦ରୁ ଅଧିକ କିନ୍ନରମାନେ ଟିକା ନେଇପାରିଛନ୍ତି। ଏଥିସହ ରାଜ୍ୟର ସବୁ ଜିଲ୍ଲାରେ ଏଭଳି ସ୍ୱତନ୍ତ୍ର କ୍ୟାମ୍ପ୍‌ କରି କିନ୍ନରମାନଙ୍କୁ ଟିକା ଦେବାକୁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ।ଟିକା ନେବାକୁ ଆସିଥିବା ଜଣେ କିନ୍ନର ଶ୍ରଦ୍ଧାଶ୍ରୀ କହିଥିଲେ, “ପ୍ରଥମେ ମୁଁ ଟିକା ନେବାକୁ ଡରୁଥିଲି। କିନ୍ତୁ ମୀରା ମା’ ଓ ସାଧନା ମା’ ଆମମାନଙ୍କୁ ନ ଡରି ଟିକା ନେବାକୁ ବୁଝାଇଲେ। ଏହାପରେ ମୁଁ ଟିକା ନେଲି। ଟିକା ନେବା ପୂର୍ବରୁ ମନରେ ଯେତିକି ଡର ଥିଲା, ଟିକା ନେଲାବେଳେ ସେମିତି କିଛି ଲାଗିଲା ନାହିଁ। ଖୁବ୍ ସହଜର ଆମେ ଟିକା ପାଇପାରିଲୁ। ତେଣୁ ଆମ କିନ୍ନର ସମାଜର ସମସ୍ତଙ୍କୁ ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ବିନା ଡରରେ ଟିକା ନେବାକୁ ଆଗେଇ ଆସନ୍ତୁ।”ସେହିପରି ଆଉଜଣେ କିନ୍ନର ରାକ୍ଷିଶ୍ରୀ ଟିକା ନେବା ପରେ କହିଥିଲେ, “ଟିକା ନେଲାବେଳେ ମନରେ ଭୟ ଥିଲା। ଛୁଞ୍ଚି ଦେଖି ଡର ଲାଗୁଥିଲା, କିନ୍ତୁ ଟିକା ଦେଉଥିବା ଦିଦିଜଣକ କେତେବେଳେ ଟିକା ଦେଇଦେଲେ କିଛି ଜଣପଡ଼ିଲା ନାହିଁ। ଟିକାକରଣ ପରେ ମୋଠାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇନି। ତେଣୁ ସମସ୍ତେ ଟିକା ନିଅନ୍ତୁ। ଟିକାକୁ ନେଇ ଥିବା ମିଥ୍ୟା ଓ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ପୂର୍ବରୁ ଆମ ସମ୍ପ୍ରଦାୟକୁ ସମାଜରେ ବିଶେଷ ଗୁରୁତ୍ୱ ଦିଆଯାଉ ନଥିଲା। କିନ୍ତୁ ଏବେ ଆମପାଇଁ ସରକାର ବହୁତ କିଛି କରୁଛନ୍ତି।”

Comment