ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ସୋମବାର ସକାଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ସେକ୍ସନ ଅଫିସର କେଦାରନାଥ ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଯୋଗ ହଲ୍‍ଠାରେ ଉପସ୍ଥିତ ରହି ଯୋଗ ଅଭ୍ୟାସ କରିଛନ୍ତି।

ଅପରାହ୍‌ଣରେ ଗୁଗୁଲ୍‍ ମିଟ୍‍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଯୋଗ ଓ ସୁସ୍ଥ ଜୀବନ’ ଉପରେ ଆଲୋଚନା କରି ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, “ଯୋଗ ସମସ୍ତଙ୍କ ପାଇଁ ଜରୁରୀ। ଯୋଗ ଦ୍ୱାରା ମାନସିକ ଓ ଶାରୀରିକ ସମସ୍ୟା ଅନେକ ମାତ୍ରାରେ ଦୂର ହୋଇପାରେ। ମଣିଷକୁ ଏକ ସକାରାତ୍ମକ ଦିଗ ଆଡ଼କୁ ଆଗେଇ ନେବାରେ ଯୋଗର ଅବଦାନ ଶ୍ରେଷ୍ଠ।  ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ। ଏହା ମଣିଷର ମନ, ପ୍ରାଣ ଓ ହୃଦୟକୁ ସୁସ୍ଥ ରଖିଥାଏ। ନିୟମିତ ଓ ନିର୍ଦ୍ଦିଷ୍ଟ ସମୟରେ ଯୋଗ କରିବା ଦ୍ୱାରା ଏହା ଶରୀର ଓ ମନ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ଅନେକ ଗବେଷଣାରୁ ଜଣାପଡ଼ିଛି। ଏହାସହ ଯୋଗ କଲେ ଭଲ ନିଦ ହୁଏ, ଓଜନ ନିୟନ୍ତ୍ରଣରେ ରହେ। ଯଦି ଜଣକର ନିଦ ଭଲ ହୋଇଥାଏ, ତା’ପରଦିନ ସକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଥାଏ। ଯୋଗ ଏକ ପ୍ରକାର ସ୍ୱାସ୍ଥ୍ୟ ବୀମା। ଅଧିକ ସମୟ ନହେଲେ ବି ଜଣେ ଅନ୍ତତଃ ୧୦ରୁ ୧୫ ମିନିଟ ଯୋଗ କରିଲେ ତା’ ଭିତରେ ଅନେକ ପରିବର୍ତ୍ତନ ସେ ନିଜେ ହିଁ ଅନୁଭବ କରିପାରିବ। ଏଣୁ ସମସ୍ତେ ଯୋଗ ଅଭ୍ୟାସ କରିବା ଉଚିତ।”ସେହିପରି ସହକାରୀ ପ୍ରଫେସର ସମ୍ବିତ ପାଲ କହିଛନ୍ତି ଯେ ଯୋଗ ଦ୍ୱାରା କେବଳ ଶାରୀରିକ ଶକ୍ତି ମିଳେନି, ବରଂ ଆମର ଅଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାଏ। ଚିନ୍ତା ଓ ଚେତନାର ସ୍ତର ମଧ୍ୟ ବଢ଼ିଥାଏ। ମଣିଷର ମନକୁ ଏକାଗ୍ରତା ଆଣିବା ଦିଗରେ ଯୋଗର ଭୂମିକା ଅତୁଳନୀୟ।

ଏହି ଅବସରରେ ଏକାଡେମିକ କୋର୍ଡିନେଟର ଜିତେନ୍ଦ୍ର ପତି କହିଛନ୍ତି, “ଦିନକୁ ମାତ୍ର ୧୫ ମିନିଟ ପ୍ରାଣାୟମ କରିଲେ ଏହାର ସୁପ୍ରଭାବ ଅନୁଭବ କରିହେବ। ବିଶେଷତଃ ଯୁବପିଢ଼ିମାନେ ନିହାତି ଭାବରେ ପ୍ରତ୍ୟହ କିଛି ସମୟ ପ୍ରାଣାୟମ କରିବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କ ଇଚ୍ଛାଶକ୍ତି ବୃଦ୍ଧିପାଇବ ଏବଂ ଶରୀର ମଧ୍ୟ ସୁସ୍ଥ ରହିବ।”ସନ୍ଧ୍ୟାରେ ଯୋଗ ଉପରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ରେଡିଓ ଫିଚର ପ୍ରସାରିତ ହୋଇଥିଲା। ଏଥିରେ ଯୋଗର ଗୁରୁତ୍ଵ, ଶରୀର ଓ ମନ ଉପରେ ଏହାର ପ୍ରଭାବ ତଥା ଆନ୍ତର୍ଜାତିକ ଯୋଗ ଦିବସର କଥା ରହିଥିଲା। ଫିଚରଟି ସମସ୍ତଙ୍କ ଦ୍ୱାରା ବେଶ୍‍ ପ୍ରଶଂସିତ ହୋଇଥିଲା।

Comment