ଡକ୍ଟର ଭାଗ୍ୟଲିପି ମଲ୍ଲ

ଆଜି ବିଶ୍ୱ ସଙ୍ଗୀତ ଦିବସ। ସାରା ବିଶ୍ୱ ସଙ୍ଗୀତ ପାଇଁ ସମର୍ପିତ। କାହିଁକି? କାରଣ ସ୍ପଷ୍ଟ। ମଣିଷର ଭାବ ସହିତ ଭାବକୁ ଯୋଡ଼ିବାରେ ସଙ୍ଗୀତ ଏକ ଶକ୍ତିଶାଳୀ ମାଧ୍ୟମ। ଏହି ବାସ୍ତବତା ପ୍ରତ୍ୟେକଙ୍କ ଭିତରେ ସଂଚରୀ ଦେବାଲାଗି ବିଶ୍ୱ ସଙ୍ଗୀତ ଦିବସର ପରିକଳ୍ପନା।

ସମଗ୍ର ବିଶ୍ୱ ଆଜି କରୋନାର ଆତଙ୍କରେ ଆତଙ୍କିତ। ମାତ୍ର ଏଇ କରୋନାର ବିଭିନ୍ନ ଅବସ୍ଥାକୁ ନେଇ ସୃଷ୍ଟି ହୋଇସାରିଲାଣି କେତେକେତେ ସଙ୍ଗୀତ। ଅର୍ଥାତ୍ – ‘ସଙ୍ଗୀତ’ ପାଖରେ ସବୁକିଛି ପରାହତ। ସବୁଠି ସଙ୍ଗୀତର ମଧୁମୟ ସ୍ପର୍ଶ। ସବୁଠି ଅଦୃଶ୍ୟରେ ଥାଏ ସଙ୍ଗୀତର କାୟାକଳ୍ପ। ପବନର ହିଲ୍ଲୋକରେ, ଫୁଲର ପାଖୁଡ଼ାରେ, କୋଇଲିର କୁହୁରେ, ଶିଶୁର ହସରେ, ମହୁମାଛିର ଗୁଞ୍ଜନରେ, ହସ୍ତୀର ବୃହିଂତରେ, ଅଶ୍ୱର ହ୍ରେଷାରେ, ପତ୍ରଝଡ଼ାର ମର୍ମରରେ, ଝରଣାର କୁଳୁନାଦରେ। ସବୁଠି ଥାଏ ସଂଗୀତ।ଜୀବନ ଓ ମୃତ୍ୟୁ ବି ଛନ୍ଦି ହୋଇଥାଏ ସଂଗୀତର ସୁରରେ। ସୋଫେନ ଆୱାର ତେଣୁ କହିଛନ୍ତି – ‘ଦ ସୋଲ୍ ଅଫ୍ ଆର୍ଟ ଇଜ୍ ମିଉଜିକ୍‌’। ସବୁ କଳାକର୍ମର ଶୀର୍ଷ ଅବସ୍ଥା ସଙ୍ଗୀତ। ସଙ୍ଗୀତ ବୁଝିପାରେ ହସ, ଲୁହ, ଜୀବନ ଓ ଦହନକୁ ଏବଂ ବୁଝିପାରେ ପ୍ରେମ ଓ ପ୍ରଳୟକୁ।

‘ସଙ୍ଗୀତ ରତ୍ନାକର’ ଭାଷାରେ ‘ରଂଜକଃ ସ୍ୱରସନ୍ଦର୍ଭୋ ଗୀତମିତ୍ୟଭିଦୀୟତେ’। କୌଣସି ରଚନା ସ୍ୱରର ମାଧୁର୍ଯ୍ୟରେ ଓ ସ୍ୱରର ଯାଦୁରେ ମନୋରଂଜନ କରି ନ ପାରିଲେ ତାହା କବିତା ହେବ ସିନା, ସଙ୍ଗୀତ ନୁହେଁ। କାରଣ ସ୍ୱରର ରଂଜନଶକ୍ତି ଏତେ ଶକ୍ତିଶାଳୀ ଯେ, ତାହା ଅନ୍ୟର ସାହାଯ୍ୟ ଲୋଡ଼େନାହିଁ। ‘ସ୍ୱତଃ’ ଅର୍ଥାତ୍ ସହକାରୀ-କାରଣ। ନିରପେକ୍ଷ ଭାବରେ ମନୋରଂଜନ କରେ ବୋଲି ତାହା ସ୍ୱର।

ସଙ୍ଗୀତର ଶକ୍ତି ସମ୍ପର୍କରେ ଆମ ପୁରାଣରେ ଗପଟିଏ ଅଛି। ତାହା ଏମିତି-ନାରଦ ଦିନେ ମର୍ତ୍ତ୍ୟ ଭ୍ରମଣରେ ଆସିଥାନ୍ତି। ଫେରିବା ବାଟରେ ଅଧାସ୍ୱର୍ଗରେ ଏକ ଅଦ୍ଭୁତ ଦୃଶ୍ୟ ଦେଖି ଅଟକି ଯାଇଛନ୍ତି। ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିଛନ୍ତି ଗନ୍ଧର୍ବମାନେ। ସମସ୍ତଙ୍କ ମୁଣ୍ଡ ତଳକୁ। ବିକଳାଙ୍ଗ। ନାକ, କାନ, ମୁହଁ, ମୁଣ୍ଡ, ହାତ, ଗୋଡ଼-ସବୁକିଛି ବିକଳାଙ୍ଗ।

ନାରଦ ପଚାରିଲେ – କ’ଣ ହୋଇଛି ତୁମର? ସଙ୍ଗୀତ ଗାନ ବେଳେ ମନରେ ସୃଷ୍ଟ ଅହଂକାର – ଏହାର କାରଣ। ସୃଷ୍ଟିର ସର୍ବଶ୍ରେଷ୍ଠ ସଙ୍ଗୀତଜ୍ଞଙ୍କର ସଙ୍ଗୀତ ଶ୍ରବଣ ହିଁ ଏହାର ଏକମାତ୍ର ନିରାକରଣ ଓ ସେ ସଙ୍ଗୀତଜ୍ଞ ଜଣକ ହେଉଛନ୍ତି ମହାଯୋଗୀ – ଶିବ, ଉତ୍ତରରେ କହିଛନ୍ତି ଗନ୍ଧର୍ବଗଣ। ମୁକ୍ତି ଚାହିଁଛନ୍ତି। ନାରଦଙ୍କର ସହଯୋଗ ଲୋଡ଼ିଛନ୍ତି। ନାରଦ ମହାଯୋଗୀଙ୍କ ସମେତ ବ୍ରହ୍ମା ଓ ବିଷ୍ଣୁଙ୍କୁ ସଙ୍ଗୀତ ଆସରକୁ ଆମନ୍ତ୍ରଣ କରିଛନ୍ତି। ମହାଯୋଗୀ ସଙ୍ଗୀତଗାନ କରିଛନ୍ତି। ସଙ୍ଗୀତର ସମ୍ମୋହନରେ ଗନ୍ଧର୍ବମାନେ ପୂର୍ବରୂପ ଫେରିପାଇଛନ୍ତି। ସଙ୍ଗୀତର ମୂର୍ଚ୍ଛନାରେ ବିଷ୍ଣୁଙ୍କ ଅର୍ଦ୍ଧାଙ୍ଗ ସ୍ଥାଣୁ ପାଲଟି ଯାଇଛି। ମହାଯୋଗୀଙ୍କ ସଂଗୀତ ବନ୍ଦ ହୋଇଯାଇଛି। ବିଷ୍ଣୁଙ୍କର ସ୍ଥାଣୁ ଶରୀର କ୍ରମେ ତରଳି ପାଣିହୋଇ ବୋହିଯାଇଛି। ବ୍ରହ୍ମା ତତ୍‌କ୍ଷଣାତ୍ କମଣ୍ଡଳୁରେ ତାହା ଧାରଣ କରିଛନ୍ତି। ସେ ଗଙ୍ଗାମାତା।

ଖାଲି ଗନ୍ଧର୍ବ ନୁହନ୍ତି, ସଙ୍ଗୀତର ମଧୁର ଅଥଚ ଶକ୍ତିଶାଳୀ ମୂର୍ଚ୍ଛନାରେ ଆକାଶରେ ମେଘ ଖେଳିଉଠେ। ଗଛଡାଳରେ ଫୁଲଫୁଟିଯାଏ। ବିଷଧର ସାପ ନାଚିଉଠେ। ସକଳ ସୃଷ୍ଟିରେ ହୁଏ ପ୍ରାଣର ସଂଚାର। ସଙ୍ଗୀତ-ଥେରାପିରେ ରୋଗୀ ଆରୋଗ୍ୟ ଲାଭ କରେ। ଅଶାନ୍ତ ମନରେ ଝରିଯାଏ ପ୍ରଶ୍ନାନ୍ତିର ଫଲ୍‌ଗୁ। ସାଧାରଣ ମଣିଷର ହୃଦୟରେ ଦେଶପାଇଁ ବୁଣି ହୋଇଯାଏ ବଳିଦାନର ମଞ୍ଜି।

ଛୋଟ ଶିଶୁଟିଏ ସୈନିକ ହେବାକୁ ସ୍ୱପ୍ନ ଦେଖେ। କେତେକେତେ ଅଭିମାନ ମିଳେଇଯାଏ ପାଣିଫୋଟକା ପରି। ଆମ୍ବଗଛର ଡାଳରେ କୋଇଲିର କୁହୁ ସୃଷ୍ଟିକରେ ଅସୁମାରି କବିତା। କବିକୁ କରେ ଆନମନା, ଭାବୁକକୁ ସ୍ମୃତିବିଧୁର। ହୃଦୟରେ ସୃଷ୍ଟିହୁଏ ରୋମାଞ୍ଚ, ପୁଲକ। ହୁଏ ପ୍ରେମର ଅଙ୍କୁରୋଦ୍‌ଗମ। ବିରହୀକୁ କରେ ଆନମନା।

ସଙ୍ଗୀତ ସବୁବେଳେ ଏମିତି। କେତେବେଳେ ଦାସିଆ ହୋଇ ଗରୁଡ଼ଖମ୍ବ ମୂଳେ ହାତରେ ଶ୍ରୀଫଳଧରି ଛିଡ଼ାହୁଏ, କେତେବେଳେ ଫୁଲରସିଆ ହୋଇ ଚୁମିଯାଏ ସବୁ ସୁନ୍ଦରୀଫୁଲଙ୍କ ପାଖୁଡ଼ା। କେତେବେଳେ ଗାଁ ଦାଣ୍ଡରେ ଯୋଗୀର କେନ୍ଦରା ସୁରରେ ଗଢ଼େ ଅନେଶତ ରାଣୀଙ୍କ କୁହୁଳା ଛାତି। କେବେ ଦ୍ୱିତୀୟା ଯାମିନୀରେ ଅଙ୍କପଲଙ୍କରେ ବସାଏ ସୁକାମିନୀ। କେବେ ପୁଣି ପଖାଳ କଂସାରେ ତିଆରି କରେ କଳହଂସକେଦାର।

ଓଡ଼ିଆ ଜାତିର ଜୀବନଚର୍ଯ୍ୟା ଆରମ୍ଭ ସଂଗୀତରୁ। ସରେ ବି ସଙ୍ଗୀତରେ। ତେଣୁ ତ ଗୀତଗୋବିନ୍ଦ ଶୁଣିଲେ ଯାଇ ଶୁଅନ୍ତି ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଂଘାରୀ ଶ୍ୟାମସୁନ୍ଦରଙ୍କଠୁ ବାଣୀକଣ୍ଠ ନିମାଇଁ ଚରଣ, ମାର୍କଣ୍ଡ ମହାପାତ୍ରଙ୍କଠୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଶ୍ୟାମାମଣି ଦେବୀଙ୍କଠୁ ଅକ୍ଷୟ ମହାନ୍ତିଙ୍କ ଯାଏ – କେତେ ବାଗରେ, କେତେ ରାଗରେ ଏ ଗୀତକୁ ଆମ ଜୀବନ ଓ ସମାଜସହ ଯୋଡ଼ି ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ କେତେକେତେ ସାଧନା କରିବାକୁ ପଡ଼ିଛି! ଅଶରୀରୀ ଗୁରୁଦେବଙ୍କ ପିତଳକାନ ଅଦୃଶ୍ୟ ଭାବେ ଶୁଣୁଥାଏ ସବୁ।

ସାଧନାର ଚିପୁଡ଼ା ଝାଳରେ କପ୍ ପୂରିଯାଏ। ଓଡ଼ିଶାର ସମାଜ, ସଂସ୍କୃତି, ପରମ୍ପରା, ଲୋକକଥା, ଲୋକବିଶ୍ୱାସ, ଅଭାବ, ଅନଟନସବୁ ଦିଶିଯାଏ ଏ ଗୀତ ଭିତରେ। ସୁରରେ ତିଆରି ହୋଇଯାଉଥାଏ ଶଗଡ଼ିଆର ଗୀତ- ରାମ ଯେ ଲକ୍ଷଣ ଯେ ଗଲେ ମୃଗମାରି। ତିଆରି ହୁଏ, ମରମ ତଳେ ଅତୀତ ଯେ ମରେନା-ଦହନ ଯେ ସରେନା। ରକତ ଟଳମଳ ଖଇର ପାଞ୍ଚପଳ, କହଲୋ ସାଧବାଣୀ ଏ କେଉଁ ଦେଶ ଫଳ। ପୁଣି ତିଆରି ହୋଇଯାଏ ରଙ୍ଗଲତା ରୁଷିଛି, ସବାରି ଚାଲେରେ ଧୀରେଧୀରେ ଓ ତା ଗୋଡ଼ମୁଦି ପଡ଼ିଛି ଏ ନଈରେ।

ଫୁଲଶେଯ ବାସିହୁଏ। ଯାମିନୀ ବିତିଯାଏ। ପ୍ରତ୍ୟେକ ଓଡ଼ିଆର ଛାତିର ଦରଜା ଠକ୍‌ଠକ୍ କରି ଡାକେ ସେଇ ଅଭୁଲା ସୁର ଚଇତାଳି ହୋଇ, ଝାଞ୍ଜି ହୋଇ, ମେଘ ହୋଇ, କୁହୁ ହୋଇ, ନହବତ ହୋଇ। କେତେ ବାଗରେ ନିଜକୁ ସଜାଏ। କେବେ ପ୍ରେମିକା ହୋଇ, କେବେ ନୂଆବୋହୂ ହୋଇ। କେବେ ‘ମନଭ୍ରମରା’ ହୋଇ ଏ ଦେହରେ ଖୋଜେ ବାସ। କହେ-ମନ-ଭ୍ରମରାରେ, ଏ ଫୁଲରେ ନାହିଁ ବାସ। କେବେ ପୁରୁଷୋତ୍ତମ କ୍ଷେତ୍ରଠୁ କେତେକୋଶ ଦୂରରେ ପହଁରିଯାଏ ସୁରଟିଏ ହୋଇ-‘ସାତଶ ପଂଚାଶ କୋଶ ଚାଲି ନପାରଇ – ମୋହ ଯିବାଯାଏ ନନ୍ଦିଘୋଷେ ଥିବ ରହି। ଯାମିନି ବିତିଯାଏ – କାମିନୀ ମଉଳିଯାଏ। ଇଥରରେ ମିଳାଇଯାଏ ସ୍ୱର। ପ୍ରତ୍ୟେକ ଓଡ଼ିଆର ହୃଦୟକୁ ଛୁଇଁଛି ଏ ଗୀତ। ବିତିଲା ତ ଯାମିନୀ ….. ମଉଳିଲା କାମିନୀ। ଏବେ ବିଶ୍ୱାୟନ ପ୍ରକ୍ରିୟାରେ ସାମିଲ ହୋଇଛି ଓଡ଼ିଶା, ଓଡ଼ିଆ ଓ ଓଡ଼ିଆ ଗୀତ, ବନାମ ସୁର। ଅତୀତର ସେ ସୁରମୟ ସଙ୍ଗୀତ ଏବେ ଧୀରେଧୀରେ ହଜିଯାଉଛି ଆମ ପାଖରୁ। ଗୁରୁଦେବଙ୍କ ପିତଳକାନ ଅଦୃଶ୍ୟ ହୋଇଯାଉଛି କ୍ରମଶଃ କୁହୁଡ଼ି ଭିତରେ।

ଏ ସଙ୍ଗୀତ ବଡ଼ ବିଚିତ୍ର। ଅଦ୍ଭୁତ ତାର ସୁର, ଛନ୍ଦ। କିଏ ଗଢ଼େ ଏ ସୁର? କିଏ ତାକୁ ଭାଙ୍ଗେ? ପୁଣି କିଏ ଗଢ଼ିଦିଏ ସୁରର ମହଲ? ଫିନ୍‌କ୍ସି ପରି ଚଢ଼େଇଟିଏ। ନାଁ ଅନଳପକ୍ଷୀ। ଗୀତଗାଏ। ଗାଇ ସାରିବା ପରେ ମରିଯାଏ। ଅନ୍ୟଟି-ରାଜହଂସ। ବିଚ୍ଛେଦର ଦହନରେ ଗୀତଗାଏ। ଗୀତ ଗାଉଗାଉ ପ୍ରାଣପକ୍ଷୀ ଉଡ଼ିଯାଏ। ଡେସ୍‌ଡିମୋନା। ଅଥେଲୋର ପତ୍ନୀ। ସେକ୍ସପିୟରଙ୍କ କାହାଣୀର ନାୟକ ଓ ନାୟିକା। ଅଥେଲୋର ସନ୍ଦେହରେ ଡେସ୍‌ଡିମୋନାର ଶେଷ ପରିଣତି। କରୁଣଗୀତ ଗାଇଗାଇ ଶେଷରେ ଆତ୍ମହତ୍ୟା। ଜୀବନର ଯବନିକାରେ ଯେଉଁ ଶାନ୍ତି ମିଳେ ସଙ୍ଗୀତରୁ ମୁଁ ସେଇ ଶାନ୍ତି ପାଏ ବୋଲି ହକିଛନ୍ତି ଜନ୍ କିଟ୍‌ସ୍।

କୁହାଯାଏ-ଆମ ଦେଶର ଚଢ଼େଇ ଭରଦ୍ୱାଜ ଠିକ୍ ମରିବା ପୂର୍ବରୁ ନିଶ୍ଚୟ ଗାଏ ତାର ଶେଷଗୀତ। ମୃତ୍ୟୁଶଯ୍ୟା ନିକଟରେ ଭାଗବତପାଠ- ସଂଗୀତର ସଂଳାପ ନୁହେଁ କି? ଶିଶୁର କୁଆଁରାବ ସଂଗୀତର ପରିଭାଷା ନୁହେଁ କି? ଜୀବନ ଓ ମୃତ୍ୟୁସହ ସଂଗୀତ କାହିଁକି ଏତେ ନିବିଡ଼? କେଜାଣି! ଭାବିଲେ ଆଶ୍ଚର୍ଯ୍ୟ ଲାଗେ।

ସଙ୍ଗୀତକୁ ନେଇ ଏମିତି କେତେକେତେ କଥା। ମହଳଣ ପଡ଼ିଆସୁଥିବା ପଦ୍ମପୋଖରୀରେ ମଲା ଜହ୍ନର ଛାଇ, ଅବା ତୁଠ ପଥରରେ ଗଢ଼ା ହୋଇଥିବା ରାଜଜେମାର କାଦୁଅ ପ୍ରତିମା, ଗୋଠଫେରନ୍ତା ଗୋଧୂଳିର ସୂର୍ଯ୍ୟାସ୍ତ ଛାଇରେ ଗଢ଼ାହୋଇଯାଉଥାଏ ସୁରଟିଏ। ସେ ସୁରର ମାୟାରେ ଆମ୍ବକାଠର ଦରଜା ଫାଙ୍କ ଦେଇ ପତଳା କାଚର ଟୁକ୍‌ଟୁକ୍ ନିଦ ଭାଙ୍ଗିଯାଏ, ଏମିତି ଏ ସଙ୍ଗୀତ। ଶ୍ରୀ ଅରବିନ୍ଦ ତେଣୁ କହିଛନ୍ତି: ସଙ୍ଗୀତର ପୂର୍ଣ୍ଣତା ନିରବତାରେ। ତାହାଲେ କ’ଣ ଏ ନିରବତା? ନିରବତା ହିଁ ଶବ୍ଦମୟତା। ଏହି ଶବ୍ଦମୟତାରେ ସାରା ବିଶ୍ୱ ଆଜି ବିଭୋର।

Comment