ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସୋମବାରଠାରୁ ଜିଲ୍ଲାର ସମସ୍ତ ପୌରପାଳିକା ଓ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ପ୍ରଥମ ଦିନ ୬୪ଟି କେନ୍ଦ୍ରରେ ୧୩ ହଜାର ୬୩୯ ଜଣଙ୍କୁ ଟିକା ଦିଆଯାଇଛି। ଏହି ଟିକାକରଣକୁ ନେଇ ବିଶେଷକରି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ୍ ନିୟମ ପାଳନ କରି ହିତାଧିକାରୀମାନେ ଟିକା ନେଉଛନ୍ତି।

ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଜଗାଙ୍ଗପୁର ପୌରପାଳିକା ଅଧୀନରେ ଥିବା ବିଭିନ୍ନ କେନ୍ଦ୍ର ବୁଲି ଟିକାକରଣ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ହିତାଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସେ କଥା ହୋଇଥିଲେ। ସେହିପରି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସି ଏସ୍ ରାଜିନ୍ ଏକ୍କା କେତେକ କେନ୍ଦ୍ରକୁ ଯାଇ ଟିକାକରଣ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଟିକାଦାନ ବ୍ୟବସ୍ଥାର ତଦାରଖ କରିଥିଲେ।‘‘ଆଜିଠାରୁ ଜିଲ୍ଲାବ୍ୟାପି କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବର୍ତ୍ତମାନ ଆମ ପାଖରେ ଯଥେଷ୍ଟ ପରିମାଣରେ ଟିକା ମହଜୁଦ ଅଛି। ଆମେ ଏହି କାର୍ଯ୍ୟକ୍ରମକୁ ଯେତେ ତ୍ୱରାନ୍ୱିତ କରିବୁ ଆମକୁ ସରକାରଙ୍କ ତରଫରୁ ସେତେ ଅଧିକ ଟିକା ଆସିବ। ତେଣୁ ଅଧିକରୁ ଅଧିକ ଲୋକ କିଭଳି ଟିକା ନେଇ ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଟିକା ନେବା ପାଇଁ ହିତାଧିକାରୀମାନେ CoWIN ପୋର୍ଟାଲ ବା ଆପରେ ପ୍ରଥମେ ପଞ୍ଜୀକରଣ କରି ପରେ ସ୍ଲଟ୍‌ ବୁକ୍‌ କରିପାରିବେ। ତେଣୁ ଲୋକମାନେ ନିଜ ନିଜର ସ୍ଲଟ ବୁକ କରି ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଟିକାକରଣ କେନ୍ଦ୍ରଗୁଡ଼ିକରେ ଅଯଥାରେ ଗହଳି ନକରିବାକୁ ସେ ଅନୁରୋଧ କରିଛନ୍ତି।ଯେଉଁ ଲୋକଙ୍କ ପାଖରେ ଅନଲାଇନ ପଞ୍ଜୀକରଣ ଲାଗି କୌଣସି ସୁବିଧା ନାହିଁ ସେମାନଙ୍କ ପାଇଁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଅନସାଇଟ ପଞ୍ଜୀକରଣ ବ୍ୟବସ୍ଥା କରାଯାଉଛି। ତେବେ ସାଧାରଣ ଜନତା ଅନଲାଇନ ପଞ୍ଜୀକରଣ କରିବା ସହ ନିଜ ନିଜର ସ୍ଲଟ୍ ବୁକ୍ କରି ଟିକା ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜିଲ୍ଲାକୁ ମିଳୁଥିବା ଟିକାର ପରିମାଣ ଅନୁଯାୟୀ ଅନଲାଇନ୍ ଓ ଅନସାଇଟ୍ ଉଭୟ ପଞ୍ଜୀକରଣ ପାଇଁ ପାଖାପାଖି ସମାନ ସଂଖ୍ୟକ ଡୋଜର ବ୍ୟବସ୍ଥା କରାଯାଉଛି।

ଟିକାକରଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୁଖ୍ୟତଃ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ତା’ସହିତ କେତେକ ସ୍ଥାନରେ ପ୍ରମୁଖ ଗୋଷ୍ଠୀକେନ୍ଦ୍ର, ମଣ୍ଡପ ଓ ଶିକ୍ଷାନୁଷ୍ଠାନକୁ  ଟିକାଦାନ କେନ୍ଦ୍ର କରାଯାଇଛି। ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍‌ଣ ୧ଟା ଏବଂ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁଛି।

ପୂର୍ବରୁ ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା। ୧୮ରୁ ୪୪ ଓ ୪୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଅଲଗା ଦୁଇଟି ଥାକରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଥିଲା। ତେବେ ବର୍ତ୍ତମାନ ସମଗ୍ର ରାଜ୍ୟରେ ୧୮ ବର୍ଷରୁ ଅଧିକ ସବୁ ବର୍ଗଙ୍କ ପାଇଁ ଗୋଟିଏ ଥାକରେ ଟିକା କାର୍ଯ୍ୟକ୍ରମ ପରିଚାଳନା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  କୋଭିଡ୍ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହିତାଧିକାରୀମାନେ ଭଲକରି ମାସ୍କ ପିନ୍ଧିବା ଦରକାର। ତା’ଛଡ଼ା ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ସୁନିଶ୍ଚିତ କରିବା ସହ ଟିକାକରଣରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ, କ୍ଷେତ୍ର ସହଯୋଗୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୋମବାର ଦିନ ଟିକାକରଣ ବେଳେ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ ନୂଆଗାଁ, ହେମଗିରି ଏବଂ ଅନ୍ୟାନ୍ୟ ବ୍ଲକ୍ ପରିଦର୍ଶନ କରି ଟିକାଦାନ ପ୍ରକ୍ରିୟାକୁ ତଦାରଖ କରିଥିଲେ। ଆବଶ୍ୟକସ୍ଥଳେ ଟିକା ଯୋଗାଣ ବ୍ୟବସ୍ଥା ସୁଗମ କରିବା ଲାଗି ମଧ୍ୟ ପଦକ୍ଷେପ ନେଇଥିଲେ।ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍‌ର ଚେନ୍ ଭାଙ୍ଗିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ତେଣୁ ବିଭିନ୍ନ ବୟସ ବର୍ଗର ହିତାଧିକାରୀଙ୍କ ସହ ଯୋଜନାବଦ୍ଧ ଭାବେ ବିଭିନ୍ନ ବିପଦଶଙ୍କୁଳ ବର୍ଗଙ୍କ ଟିକାକରଣ କରାଯାଉଛି। ଜୁନ୍ ୨୦ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ପ୍ରାୟ ୫ ଲକ୍ଷ ୧୭ ହଜାର ଡୋଜ୍ ଟିକା ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଏହି ଅବସରରେ ସୂଚନା ଦେଇଛନ୍ତି।

କୋଭିଡ୍ ଚିକିତ୍ସା, ପରୀକ୍ଷା ଓ ଟିକାକରଣ ସଂପର୍କରେ ଜନସାଧାରଣଙ୍କୁ ବିଭିନ୍ନ ସୂଚନା ଓ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ତେଣୁ ଆବଶ୍ୟକ ହେଲେ ଏହି ୨୪ଘଣ୍ଟିଆ ନିଃଶୁକ୍ଳ ନମ୍ବର ୧୮୦୦ ୩୪୫ ୭୪୬୧ ସହ ଆପଣ ସଂପର୍କ କରିପାରିବେ।

Comment