ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଦେବସ୍ନାନ ନୀତି ଓ ଗଜାନନ ବେଶ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ତିଥିରେ ବିଗ୍ରହଙ୍କୁ ୧୦୮ ଗରା ପବିତ୍ର ଜଳରେ ସ୍ନାନ କରାଯିବା ପରେ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପଣ୍ଡା ସେବାୟତମାନେ ଦେବ ନୀତି ସଂପାଦନ କରିଥିଲେ। ଭୋର୍ ସମୟରୁ ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା ବିଧି ପରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ବେଦୀକୁ ପହଣ୍ଡି ବିଜେ କରିଥିଲେ। ସେଠାରେ ଶ୍ରୀଜୀଉଙ୍କ ସ୍ନାନ ନୀତି ସଂପନ୍ନ ହୋଇଥିଲା।

ପରେ ମହାପ୍ରଭୁଙ୍କୁ ପାଟ୍ଟବସ୍ତ୍ର ଲାଗି ପରେ ହାତୀ ବେଶରେ ସଜ୍ଜିତ କରାଯାଇ ଥିଲା। ସକାଳ ସାଢ଼େ ୧୦ଟା ମଧ୍ୟରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଇଥିଲେ। କୋଭିଡ୍ କଟକଣା କାରଣରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ମନା ରହିଥିଲା। କେବଳ ପୂଜାପଣ୍ଡା ଓ ସେବାୟତମାନେ ଶ୍ରୀଜୀଉଙ୍କ ସେବା ନୀତି କରିବା ସହ ବେଶ ଦର୍ଶନ କରିଥିଲେ।    ସନ୍ଧ୍ୟା ଆଳତି ଓ ସ୍ନାନମଣ୍ଡପ ଭୋଗ ନୀତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରକୁ ବାହୁଡ଼ା ପହଣ୍ଡି କରିଥିଲେ। ଶୁକ୍ରବାର ଠାକୁରଙ୍କ ଅଣସର ନୀତି ଆରମ୍ଭ ହୋଇଛି। ସେହିପରି ଜୁଲାଇ ୧୧ ତାରିଖରେ ନବଯୌବନ ଦର୍ଶନ ଓ ଜୁଲାଇ ୧୨ରେ ପବିତ୍ର ଗୁଣ୍ଡିତା ଯାତ୍ରା ଅନୁଷ୍ଠିତ ହେବ। କୋଭିଡ୍ କଟକଣା ହେତୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମନ୍ଦିର ପରିସରରେ ରଥଯାତ୍ରା ନୀତି ପାଳନ କରାଯିବ।

Comment