ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାର ଜୟପୁର ସହର ଓ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି ଏବଂ ଲୁଟ୍‌ ଭଳି ଅପରାଧ ବଢ଼ିବାରେ ଲାଗିଛି। ଏଣୁ ଜୟପୁରକୁ ଅପରାଧମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ। ଏହି କ୍ରମରେ ପୋଲିସ ୮ଟି ଅପରାଧିକ ମାମଲାରେ ୧୬ ଜଣଙ୍କୁ ଗିରଫ କରିଛି। ଜୟପୁର ଟାଉନ, ସଦର ଓ ସୁନାବେଢ଼ାର ବିଭିନ୍ନ ମାମଲାରେ ଏମାନଙ୍କୁ ଗିରଫ କରାଯାଇଥିବା ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ଇରିଗେସନ କଲୋନୀର ରମେଶ ଖରା (୧୯), ଯମୁନାଗୁଡାର ଶଙ୍କର ଖରା (୧୯), କୋରାପୁଟ ସଦର ଥାନା ଅନ୍ତର୍ଗତ ମୁଜାଙ୍ଗା ଗ୍ରାମର କର୍ଣ୍ଣ ମୁଦୁଲି (୧୯),  ପାରାବେଢା ଏସଆଇସି କଲୋନୀର ସୂର୍ଯ୍ୟ ବିଷୋୟୀ (୪୨), ଡଙ୍ଗାଗୁଡାର ରାହୁଲ ମାଛ (୨୧)। ଗିରଫ ପରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି। ଏହି ଅଭିଯୁକ୍ତମାନେ ପୂର୍ବରୁ ୫ଟି ମାମଲାରେ ଜଡିତ ଥିବା ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ସୂଚନା ଦେଇଛନ୍ତି।ଗିରଫ ହୋଇଥିବା ୧୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣ ନାବାଳକ ରହିଛନ୍ତି। ପୋଲିସ ପକ୍ଷରୁ ସେମାନଙ୍କୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ ନିକଟରେ ହାଜର କରିବା ପରେ ବ୍ରହ୍ମପୁର ବାଳ ସୁଧାରଗୃହକୁ ପଠାଯାଇଛି।

ପୋଲିସର ସୂଚନା ଅନୁସାରେ ଜୟପୁର ସଦର ଥାନା ଅନ୍ତର୍ଗତ ତେଲିଗୁଡାର ଦେବଦାସୀ ଭଞ୍ଜଦେଓଙ୍କ ଏକ ଗ୍ରୋସରୀ ଦୋକାନରୁ ଗତ ୨୦ ତାରିଖରେ କିଛି ଦୁର୍ବୃତ୍ତ ପଶି ୧୨ ହଜାର ଟଙ୍କା, ୧୦ଟି ନୂଆ ଏବଂ ୧୫ଟି ପୁରୁଣା ମୋବାଇଲ ଫୋନ୍ ସମେତ ପ୍ରାୟ ୮ ଲକ୍ଷ ଟଙ୍କାର ଗ୍ରୋସରୀ ଜିନିଷ ଚୋରି କରିନେଇଥିଲେ। ଏନେଇ ସେ ଜୟପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ମାମଲାର ତଦନ୍ତ କରି ୧୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ସମସ୍ତ ଚୋରି ଜିନିଷ ଜବତ ହୋଇଥିଲା। ଏଥିସହ ଅଭିଯୁକ୍ତମାନେ ଅନ୍ୟ ସ୍ଥାନରେ ମଧ୍ୟ ଲୁଟ୍ କରିଥିବା ପୋଲିସ ଆଗରେ ସ୍ଵୀକାର କରିଥିଲେ।ସେହିପରି ଜୟପୁର ପୁରୁଣା ମାଛ ମାର୍କେଟ ରୋଡରେ ଗତ ୨୩ ତାରିଖରେ ୨ ଜଣ ଯୁବକ ଜି. ସାଇତିଙ୍କ ଘରେ ପଶି ଘରେଥିବା ଜଣେ ନାବାଳିକା ଉପରେ ବିଷାକ୍ତ ସ୍ପ୍ରେ ପକାଇ ତା’ ବେକରୁ ସୁନା ଚେନ୍ ଲୁଟ୍ କରିଥିଲେ। ଏନେଇ ଜୟପୁର ଟାଉନ ଥାନାରେ ଜି. ସାଇତି ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ପୋଲିସ ୩ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜି. ଉଟେଜା (୨୦), ଟି. ମଣିକାନ୍ତା (୨୧) ଏବଂ ଆଉଜଣେ ନାବାଳକ। ପୋଲିସ ଏମାନଙ୍କଠାରୁ ସୁନା ଚେନ୍, ବିଷାକ୍ତ ସ୍ପ୍ରେ ଏବଂ କଳା ମୁଖା ଆଦି ଜବତ କରିଛି। ଏହାସହ ବିଭିନ୍ନ ମାମଲାରେ ପୋଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି।ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରାଙ୍କ ନେତୃତ୍ୱରେ ୩ଟି ଟିମ୍ ଏହି ୮ଟି ମାମଲାର ଫର୍ଦ୍ଦାଫାସ୍ କରିଛି।

ଜୟପୁର ପୋଲିସର ଏହି ସାମ୍ଵାଦିକ ସମ୍ମିଳନୀରେ ଏସଡିପିଓ ଅରୁପ ଅଭିଷେକ ବେହେରାଙ୍କ ସହ ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ଓ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

Comment