ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ନିଜ ୭ ବର୍ଷର ଶିଶୁ କନ୍ୟା ସମ୍ମୁଖରେ ନିଜ ସ୍ତ୍ରୀକୁ କୋଡ଼ିରେ ହାଣି ହତ୍ୟା କରିଛି। ଅଭିଯୁକ୍ତ ଜଣକ ହେଲେ କୁନ୍ଦ୍ରା ଥାନା ଅଧୀନସ୍ତ ଡୁରକାଗୁଡା ଗ୍ରାମର ବନମାଳୀ ହରିଜନ। ଅଭିଯୁକ୍ତକୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ବନମାଳୀ ହରିଜନ ଓ ତାଙ୍କ ସ୍ତ୍ରୀ ଯମୁନା ହରିଜନଙ୍କ ମଧ୍ୟରେ କୌଣସି ପାରିବାରିକ କାରଣକୁ ନେଇ କଳହ ହୋଇଥିଲା। ଏହାକୁ କେନ୍ଦ୍ର କରି ବନମାଳୀ ନିଜ ୭ ବର୍ଷର ଶିଶୁ କନ୍ୟା ସମ୍ମୁଖରେ ଯମୁନାଙ୍କୁ ଏକ ମାଟିଖୋଳା କୋଡ଼ିରେ ହାଣି ଦେଇଥିଲେ। ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଏହାପରେ ଶିଶୁ କନ୍ୟାଟି ଦୌଡ଼ିଯାଇ ତାଙ୍କ ବଡବାପା ଏବଂ ଗ୍ରାମବାସୀଙ୍କୁ ଘରକୁ ଡାକିଥିଲେ। ହେଲେ ସେତେବେଳକୁ ଯମୁନାଙ୍କ ମୃତ୍ୟୁ ହୋଇ ସାରିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ସରପଞ୍ଚ ଗୁପ୍ତ ନାୟକ ପୋଲିସକୁ ଖବର ଦେଇଥିଲେ। ଏହାପରେ କୁନ୍ଦ୍ରା ଥାନା ଅଧିକାରୀ ଅଶ୍ଵିନୀ ପଟ୍ଟନାୟକ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଛାନ୍‌ଭିନ୍ କରି ଅଭିଯୁକ୍ତ ବନମାଳୀକୁ କାବୁ କରିଥିଲେ। ଗିରଫ ପରେ ବନମାଳୀକୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଜୟପୁର ଏସ୍‌ଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।

Comment