ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥା ବିଲୋପ କରିବା ପାଇଁ ଅନ୍ଵେଷା ଅଭିଯାନ ଶୁଭାରମ୍ଭ ହୋଇଛି।

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି ଏକ କଳଙ୍କିତ ପ୍ରଥା ଆଜି ମଧ୍ୟ ଚାଲିଛି। ପରମ୍ପରା ନାମରେ ପିତାମାତା ଏବଂ ସମ୍ପର୍କୀୟମାନେ କିଶୋରୀ ବାଳିକାମାନଙ୍କର ଅଳ୍ପ ବୟସରୁ ବିବାହ କରାଇ ସେମାନଙ୍କୁ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି। ଫଳରେ ପରିପକ୍ଵ ବୟସ ପୂର୍ବରୁ ମାତୃତ୍ଵ ଲାଭକରି ଅନେକ କିଶୋରୀ ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ତେଣୁ ଜିଲ୍ଲାରେ ଏଭଳି କଳଙ୍କିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ।

ସୋମବାର ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସର ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଅନ୍ଵେଷା ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ତାହାକୁ ବିକଶିତ କରାଇବାରେ ସାହାଯ୍ୟ କରିବା। ପ୍ରଶାସନର ସବୁ ସ୍ତରରେ କିଶୋରୀମାନଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟକ୍ରମଗୁଡିକୁ ତ୍ଵରାନିତ୍ଵ କରିବା ବିଶେଷ କରି ସେମାନେ କିପରି ନିୟମିତ ସ୍କୁଲକୁ ଯାଇ ପାଠ ପଢିବେ, ବୈଷୟିକ ଶିକ୍ଷାରେ ସାମିଲ ହେବେ ଇତ୍ୟାଦି। ଏହାଦ୍ଵାରା ବାଲ୍ୟ ବିବାହ ପ୍ରଥା ବିଲୋପ ପାଇଁ ସମସ୍ତେ ସଚେତନ ହୋଇପାରିବେ।

ଏଥି ସହିତ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ସରପଞ୍ଚମାନଙ୍କୁ ଏହି ଅଭିଯାନରେ ସାମିଲ କରାଯାଉଛି। ଏହି କ୍ରମରେ ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମ ଓ ପୌରାଞ୍ଚଳରେ ବାଲ୍ୟବିବାହକୁ ରୋକିବା ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏବଂ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମାଜ କଲ୍ୟାଣ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପ୍ରଶାସନର ଉଦ୍ୟମ କ୍ରମେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନର ମିଳିତ ସହଯୋଗରେ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ମୋଟ ୧୧୬ ଟି ବାଲ୍ୟ ବିବାହକୁ ରୋକାଯାଇ ପାରିଛି। ସେଥି ମଧ୍ୟରୁ ଉମରକୋଟ ବ୍ଲକରେ ସର୍ବାଧିକ ୫୩ଟି, ରାଇଘର ବ୍ଲକରେ ୨୪ଟି, ଚନ୍ଦାହାଣ୍ଡି ବ୍ଲକରେ ୩ଟି, ଝରିଗାଁ ବ୍ଲକରେ ୧୫ଟି ରହିଥିବା ବେଳେ ଡାବୁଗାଁ ବ୍ଲକରେ ୪ଟି, ପାପଡାହାଣ୍ଡି ବ୍ଲକରେ ୫ଟି, କୋଷାଗୁମୁଡା ବ୍ଲକରେ ୩ଟି, ନବରଙ୍ଗପୁର ବ୍ଲକରେ ୩ଟି, ତେନ୍ତୁଳିଖୁଣ୍ଟି ବ୍ଲକରେ ୩ଟି ଏବଂ ନନ୍ଦାହାଣ୍ଡି ବ୍ଲକରେ ୩ଟି ରହିଛି।

Comment