ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାର୍ବଜନୀନ ଟିକାକରଣରେ ସାମିଲ ହେଲା ପିସିଭି
  • ୩, ୬ ଓ ୯ ମାସରେ ମାଗଣାରେ ତିନୋଟି ଟିକା
  • ପ୍ରତି ବୁଧବାର ନିକଟସ୍ଥ ଟିକାକରଣ କେନ୍ଦ୍ରରେ ମିଳିବ ଟିକା

(ସୁନ୍ଦରଗଡ଼) : ନିମୋନିଆ ଭଳି ମାରାତ୍ମକ ରୋଗରୁ ପାଞ୍ଚ ବର୍ଷରୁ କମ ବୟସର ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ସାରା ରାଜ୍ୟରେ ଆରମ୍ଭ ହୋଇଛି ନିମୋକୋକାଲ କଞ୍ଜୁଗେଟ୍‌ ବା ପିସିଭି ଟିକା ଅଭିଯାନ। ଏହି ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ୧୪ ଜଣ ଶିଶୁଙ୍କୁ ଟିକା ଦିଆଯାଇଛି।ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ନିୟମିତ ବା ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ଏବେ ପିସିଭି ଟିକାକୁ ସାମିଲ କରାଯାଇଛି। ତେଣୁ ଏଣିକି ପ୍ରତି ବୁଧବାର ଦିନ ଏହି ଟିକାକୁ ବିଭିନ୍ନ ଟିକାକରଣ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ଶିଶୁଙ୍କୁ ଦିଆଯିବ। ସାଢେ ୩ ମାସ ଓ ୬ ମାସରେ ପ୍ରତ୍ୟେକ ଶିଶୁଙ୍କୁ ଏହି ଟିକା ଦିଆଯିବ। ସେହିପରି ୯ ମାସରେ ଶିଶୁକୁ ବୁଷ୍ଟର ଡୋଜ୍ ଦିଆଯିବ। ତେଣୁ ନିଜ ନିଜର ପିଲାଙ୍କୁ ପିସିଭି ଟିକା ଦେବା ପାଇଁ ଅଭିଭାବକମାନେ ସ୍ଥାନୀୟ ଆଶା ବା ଅଙ୍ଗନବାଡ଼ି କର୍ମୀ କିମ୍ବା ସ୍ଵାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରିପାରିବେ।

‘‘ଅନେକ ଶିଶୁ ୫ ବର୍ଷ ବୟସ ଭିତରେ ନିମୋନିଆ, ସେପ୍ଟିସେମିଆ, କାନ ପୂଜ ଓ ମେନିଞ୍ଜାଇଟିସ୍ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏଭଳି ରୋଗରେ ପଡ଼ି କେତେକ କ୍ଷେତ୍ରରେ ଶିଶୁ ମୃତ୍ୟୁବରଣ କରୁଥିବାର ମଧ୍ୟ ନଜିର ରହିଛି। ତେଣୁ ଏହି ବୟସର ଶିଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପିସିଭି ଟିକା ବିଶେଷ ଫଳପ୍ରଦ ହୋଇପାରିବ। ଏହି ଟିକା ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ହିତାଧିକାରୀଙ୍କୁ ଏହା ମାଗଣାରେ ଦିଆଯିବ’’, କହିଛନ୍ତି ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର।ଏହି ଟିକାକରଣ କାର୍ଯ୍ୟକ୍ରମରେ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ ଏବଂ ଡିପିଏମ୍‌ ଦୀପକ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment