ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ସାମପୁର ଓ୍ଵାର୍ଡ ନମ୍ବର ୨୩, ଜିମଖାନା ପାମ୍ ହାଇଟ୍ ଆପାଟମେଣ୍ଟର ବ୍ଲକ ଇ କୁ ସିଲ୍ କରିଛି ବିଏମସି। ଉକ୍ତ ସ୍ଥାନରୁ ଏକାଧିକ କୋଭିଡ ପଜିଟିଭ୍ ଚିହ୍ନଟ ହେବାପରେ ଶୁକ୍ରବାର ବିଏମସି ପକ୍ଷରୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ୍ ନ ହଟିବା ପର୍ଯ୍ୟନ୍ତ ସେଠାରେ ଥିବା ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ବିଏମସି ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏଥିସହ ଏହି ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଓ ଭିତରେ ଥିବା ଲୋକମାନଙ୍କ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲାଗୁ କରିଛି ବିଏମସି।କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ସମସ୍ତ ବାସିନ୍ଦା ନିଜ ଘରେ ରହିବେ। ସେଠାରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ। ଏଥିସହ ଏହି ସୀମା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ବନ୍ଦ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି।

ଅନ୍ୟପକ୍ଷରେ ଭୁବନେଶ୍ଵରରେ କରୋନା ଚେନକୁ ଭାଙ୍ଗିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଛି। ଅମାନିଆମାନଙ୍କୁ ସାବାଡ୍ କରିବା ପାଇଁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ଉ କରୁଛି। ସେପଟେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗୁରୁବାର ଖୋର୍ଦ୍ଧା ଜିଲ୍ଲାରୁ ୫୮୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଭୁବନେଶ୍ଵରରୁ ୩୪୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment