ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜୁଲାଇ ୨୬ତାରିଖରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢ଼ା ଆରମ୍ଭ ହେବ। ସମସ୍ତ କୋଭିଡ୍ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ଅନ୍ୟପଟେ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି ସରକାର। ନିଜ ଅଞ୍ଚଳରେ ସଂକ୍ରମଣର ହାର ଦେଖି ସେମାନେ ନିଷ୍ପତ୍ତି ନେବେ। ଏହାଛଡ଼ା ବିଦ୍ୟାଳୟକୁ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟ କରାଯାଇନାହିଁ। ସେମାନେ ତାଙ୍କ ଅଭିଭାବକଙ୍କ ସହମତିରେ ଆସିବେ।

ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, “କୋଭିଡ୍ ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟି ଦେଇ ସମସ୍ତ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ପୁଣିଥରେ ପାଠ ପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦ ସମୟରେ ଶିକ୍ଷା ବିଭାଗ ପକ୍ଷରୁ ଅନଲାଇନ୍ କ୍ଲାସର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁ ଅଞ୍ଚଳର ଛାତ୍ରଛାତ୍ରୀ ଏହାର ସୁବିଧା ପାଇପାରିନାହାଁନ୍ତି। କେବଳ ୪୦ ପ୍ରତିଶତ ପିଲାଙ୍କ ପାଖରେ ପହଞ୍ଚିପାରିଛି ଅନଲାଇନ ପାଠ ପଢ଼ା ସୁବିଧା, ବାକି ୬୦ ପ୍ରତିଶତ ପିଲା ଏଥିରୁ ବଞ୍ଚିତ ହୋଇଛନ୍ତି।”ସେ ଆଉ ମଧ୍ୟ କହିଛନ୍ତି, “ଛାତ୍ରଛାତ୍ରୀମାନେ ବର୍ତ୍ତମାନର ପାଠ୍ୟ ବିଷୟକୁ ବୁଝିବାକୁ ସ୍କୁଲ ଖୋଲିବା ନିହାତି ଆବଶ୍ୟକ। ଦଶମ ଓ ଦ୍ଵାଦଶ ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାକୁ ଆଖିରେ ରଖି ସରକାର ଆସନ୍ତା ଜୁଲାଇ ୨୬ରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସମସ୍ତ ସରକାରୀ ଓ ବେସକାରୀ ବିଦ୍ୟାଳୟ ପାଇଁ ପ୍ରଯୁର୍ଯ୍ୟ। ଏଥିସହ ଯେଉଁ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷାର ସେଣ୍ଟର ହେବାକୁ ଯାଉଛି, ସେହି ବିଦ୍ୟାଳୟଗୁଡ଼ିକ ପରୀକ୍ଷା ସରିଲାପରେ ଖୋଲାଯିବ। ଏହି ଦୁଇ ଶ୍ରେଣୀ ବ୍ୟତୀତ ଅନ୍ୟ ସବୁ ଶ୍ରେଣୀର ଶିକ୍ଷାଦାନ ପୂର୍ବପରି ଅନଲାଇନ୍ ମାଧ୍ୟମରେ ଜାରି ରହିବ।”

ରାଜ୍ୟରେ କରୋନା ସଙ୍କଟ ପରିସ୍ଥିତିରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିବାରୁ ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ବିଦ୍ୟାଳୟମାନଙ୍କରେ ଯେପରି କରୋନା କଟକଣା ଉଲଙ୍ଘନ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ନୂଆ ମାର୍ଗଦର୍ଶିକା

  • ସକାଳ ୧୦ଟାରୁ ଦିନ ୧.୩୦ପର୍ଯ୍ୟନ୍ତ ପାଠ ପଢ଼ାଯିବ
  • ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ପ୍ରାଥମିକତା ଭିତ୍ତିରେ ଟିକା ନେବେ
  • ସ୍କୁଲରେ ଖେଳ ଛୁଟି ହେବନାହିଁ
  • ଛାତ୍ରଛାତ୍ରୀମାନେ ଘରକୁ ଯାଇ ଖାଦ୍ୟ ଖାଇବେ
  • ବିଦ୍ୟାଳୟରେ ଥର୍ମାଲ ସ୍କ୍ରିନିଂ କରାଯିବ
  • ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ଵ
  • ପ୍ରତିଦିନ ବିଦ୍ୟାଳୟକୁ ପରିଷ୍କାର କରାଯିବ
  • ସାମାଜିକ ଦୂରତା ରକ୍ଷା କରିବେ

Comment