ଓଡ଼ିଶାଲାଇଭ୍ ବ୍ୟୁରୋflood in balasore area pic

ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଏଣିକି ପାଠ୍ୟସୂଚୀରେ ରହିବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା ବିଷୟ। ଗତ ମେ’ ମାସରେ  କ୍ୟାବିନେଟ ବୈଠକରେ ଏହି  ନିଷ୍ପତ୍ତି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେହି  କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ଓ ମହାମାରୀ ପ୍ରସ୍ତୁତିକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଯୋଡ଼ିବାକୁ ମଞ୍ଜୁରି ମିଳିଥିଲା। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ବ୍ୟତୀତ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର ଓ ମିଶନ ଶକ୍ତିର ସଦସ୍ୟମାନଙ୍କୁ ମଧ୍ୟ ବିପର୍ଯ୍ୟୟ ପରିଚାଳନା ନେଇ ତାଲିମ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ  ଘୋଷଣା କରିଥିଲେ।

ଯୁକ୍ତ ୩ର ସମସ୍ତ ଷ୍ଟ୍ରିମ ଅର୍ଥାତ କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମ ବର୍ଷରେ ଏହାକୁ ପଢାଯିବ। ଏହା ବାଧ୍ୟତାମୂଳକ ବିଷୟବସ୍ତୁ ଭାବେ ପାଠ୍ୟକ୍ରମରେ ସାମିଲ ହେବ। ୧୦୦ ମାର୍କ ଯୁକ୍ତ ପେପର ସହ ୪ ୟୁନିଟ ବିଶିଷ୍ଟ ହେବ।

ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଏହା ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏକ ମଡେଲ ସିଲାବସ ପ୍ରସ୍ତୁତ କରାଯାଇଛି ଓ ଚଳିତ ଶିକ୍ଷା ବର୍ଷଠାରୁ ଏହା ପଢାଯିବ। ଅଣ୍ଡର ଗ୍ରାଜୁଏଟ ସ୍ତରରେ ଆଗରୁ  ଥିବା ପରିବେଶ ବିଜ୍ଞାନ ପାଠ୍ୟକ୍ରମକୁ ବଦଳାଇ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା କରାଯିବ।

ଓଡିଶା ରାଜ୍ୟ ଉଚ୍ଚ ଉଚ୍ଚ ଶିକ୍ଷା ପରିଷଦ ସ୍ନାତକ ସ୍ତରରେ  ବିପର୍ଯ୍ୟୟ ପରିଚାଳନାକୁ ଏକ ବାଧ୍ୟତାମୂଳକ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ନିଷ୍ପତ୍ତି କେବଳ ସ୍ଵାଗତଯୋଗ୍ୟ ନୁହେଁ ଏହାର ଆବଶ୍ୟକତା ମଧ୍ୟ ଥିଲା।

ପ୍ରାକୃତିକ ବିପର୍ଯ୍ୟୟ ଯଦି ଓଡ଼ିଶାର ଚିର ସାଥୀ ହୋଇ ଆସିଛି ଏହାର ମୁକାବିଲା କ୍ଷେତ୍ରରେ ମଧ୍ୟ ଓଡ଼ିଶା ସରକାର କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ରାଜ୍ୟକୁ ଦେଶ ବିଦେଶରୁ ସମ୍ମାନ ଓ ସ୍ୱୀକୃତି ମିଳିଛି। ସ୍କୁଲ ଓ କଲେଜରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ ବିଷୟ ହେଲେ ଭବିଷ୍ୟତରେ ଏହା  ସମାଜର ସହାୟକ ହେବ ଏବଂ ଜନସାଧାରଣଙ୍କ ସ୍ତରରେ ବିପର୍ଯ୍ୟୟ ପରିଚାଳନା ନେଇ ସଚେତନତା ବୃଦ୍ଧି ପାଇବା ସହ ଏହାର ମୁକାବିଲା ମଧ୍ୟ ସହଜସାଧ୍ୟ ହୋଇ ପାରିବ।

Comment