ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୁଣ୍ୟ ତିଥିରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।

ସାଧାରଣ ମଣିଷଟିଏ ସିଏ କିନ୍ତୁ ତାଙ୍କ କାମ ଥିଲା ଅସାଧାରଣ। ଭାରତର ମହାକାଶ ଯାତ୍ରାରେ ସେ ଥିଲେ ପ୍ରମୁଖ ସୂତ୍ରଧର। ସାରା ବିଶ୍ୱରେ ଡକ୍ଟର ଏପିଜେ ଅବଦୁଲ କଲାମ ନାମରେ ପରିଚିତ ଏହି ବୈଜ୍ଞାନିକ ଭାରତରେ ମିସାଇଲ୍ ମ୍ୟାନ୍ ଭାବେ ବେଶ୍ ଜଣାଶୁଣା।୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ। ସେତେବେଳେ ତାଙ୍କର ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିଲା। ତେଣୁ ପିଲାଟି ବେଳୁ କଲାମ ନିଜକୁ ବିଭିନ୍ନ କାମରେ ନିୟୋଜିତ କରିଥିଲେ। ଏମିତିକି ସେ ଘର ଘର ବୁଲି ଖବରକାଗଜ ମଧ୍ୟ ବିକୁଥିଲେ।

ଏହାରି ମଧ୍ୟରେ ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

ଏହିଠାରୁ ଆରମ୍ଭ ହୋଇଥିଲା କଲାମଙ୍କର ବୈଜ୍ଞାନିକ ଯାତ୍ରା। ଚାଲିଚଳଣି, ହାବଭାବ, ବେଶପୋଷାକ ଆଦିରେ ବେଶ୍ ନମ୍ର ଥିଲେ କଲାମ। କିନ୍ତୁ ତାଙ୍କ ଭିତରେ ଅନ୍ତର୍ନିହିତ ଥିଲା ଅନେକ ମହାନତା। ତାଙ୍କ ନେତୃତ୍ଵରେ ମହାକାଶ ବିଜ୍ଞାନରେ ଭାରତ ଅନେକ ସଫଳ ସୋପାନ ଚଢ଼ିପାରିଥିଲା।

ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ଏବଂ ୧୯୯୦ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ‘ମିସାଇଲ୍ ମ୍ୟାନ୍’ର ଆଖ୍ୟା ଦିଆଯାଇଥିଲା। କଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି।ଏଥିସହିତ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ରହିଥିଲେ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ।

୨୦୧୫ ମସିହା ଆଜିର ଦିନରେ ଡକ୍ଟର କଲାମଙ୍କ ପରଲୋକ ଘଟିଥିଲା। ମେଘାଳୟର ଶିଲଂଠାରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ କଲାମଙ୍କ ନିଧନ ହୋଇଥିଲା। ଏଥିସହ ଭାରତ ହରାଇଥିଲା ଜଣେ ଶ୍ରେଷ୍ଠ ଭୂମିପୁତ୍ରଙ୍କୁ।

Comment