ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କରୋନା ସଂକ୍ରମଣ ଦିନକୁ ଦିନ ଭଲ ସ୍ଥିତିକୁ ଆସିବାରେ ଲାଗିଛି। ଯେଉଁଠି ଗୋଟିଏ ସମୟରେ ରାଜ୍ୟର ୨୦ଟି ଜିଲ୍ଲା ରେଡ୍ ଜୋନରେ ଥିଲା। ଏବେ କିନ୍ତୁ ସେହି ସ୍ଥିତି ନାହିଁ। ତେଣୁ ଅନ୍ୟ ଅର୍ଥରେ କହିଲେ, ଏବେ ରାଜ୍ୟ ସବୁଜ ବଳୟ ଭିତରକୁ ଆସିଛି। ତଥାପି ବିପଦ ଟଳିନି। ତେଣୁ ଅଗଷ୍ଟ ଗାଇଡଲାଇନ୍‌ରେ ଓଡ଼ିଶା ଅନଲକ୍ ହେବ କି ନାହିଁ ତା’ ଉପରେ ସମସ୍ତଙ୍କ ନଜର।

ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ କେସ୍ ୧୫ ଶହ ପାଖା ପାଖି ରହୁଛି। ସୂଚନା ଓ ଲୋକସମ୍ପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ମଙ୍ଗଳବାର ଦିନ ରାଜ୍ୟରେ ୭୮,୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୨.୧୬ ପ୍ରତିଶତ ରହିଥିଲା। ତେଣୁ ପୂର୍ବ ଅପେକ୍ଷା ରାଜ୍ୟରେ କୋଭିଡ ସଂକ୍ରମଣ ନିମ୍ନଗାମୀ ହେବାର ଏହା ପ୍ରମାଣ ଦେଉଛି।ଚିନ୍ତା ବଢ଼ାଇଛି ଖୋର୍ଦ୍ଧା, କଟକ

ଓଡ଼ିଶାର କରୋନା ସ୍ଥିତିରେ ସୁଧାର ଆସୁଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଦୈନିକ ସଂକ୍ରମଣ ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ଖସିବାରେ ଲାଗିଛି। କିନ୍ତୁ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅବସ୍ଥାରେ ରହିଛି। ଏପରିକି ଏହି ଦୁଇ ଜିଲ୍ଲାର ଟେଷ୍ଟ ପଜିଟିଭ ହାର (ଟିପିଆର୍) ୫ ପ୍ରତିଶତ ଉପରେ ରହିଛି। ଖୋର୍ଦ୍ଧାରେ ପଜିଟିଭ ହାର ୬.୭ ଓ କଟକରେ ୬.୨ ପ୍ରତିଶତ ରହିଛି, ଯାହାକି ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

କେନ୍ଦ୍ର ସରକାର ତାଙ୍କ କୋଭିଡ ଗାଇଡଲାଇନରେ ଦର୍ଶାଇଛନ୍ତି ଯେ ୫ ପ୍ରତିଶତରୁ କମ୍ ଟିପିଆର ଥିବା ଜିଲ୍ଲାଗୁଡିକରେ କରୋନା କଟକଣା କୋହଳ କରାଯାଇପାରିବ। ତେଣୁ ଅଗଷ୍ଟ ମାସରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅନଲକ୍ କରିବାରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ବାଧା ସୃଷ୍ଟି କରିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଇତି ମଧ୍ୟରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତିରେ ଭଲ ସୁଧାର ଆସିଥିବା ବେଳେ ତୃତୀୟ ଲହରର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ ଏବଂ କେବେ ଏହା ଆସିବ ସେକଥା ମଧ୍ୟ କହିବା କଷ୍ଟ। ତେଣୁ ଓଡ଼ିଶାରେ ବର୍ତ୍ତମାନ କରୋନାର ଗତିକୁ ଅନ୍ୟ ଦେଶର ଗତି ସହିତ ତୁଳନା କରିଛନ୍ତି। ତେବେ ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଓ ଲୋକମାନଙ୍କର କୋଭିଡ ଆଚରଣକୁ ବିଚାରକୁ ନିଆଯାଇ ରାଜ୍ୟରେ ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ତେଣୁ ଆଶା କରାଯାଉଛି ଅଗଷ୍ଟ ଗାଇଡ୍‌ଲାଇନରେ ସରକାର ଢ଼େର କୋହଳ କରିପାରନ୍ତି ଯଦିଓ ରାତ୍ରିକାଳୀନ କଟକଣା ଜାରି ରହିବାର ସମ୍ଭାବନା ରହିଛି।

Comment