ଓଡ଼ିଶାଲାଇଭ୍ ବ୍ୟୁରୋ

ସାର ଅଭାବକୁ ନେଇ ବିଗତ କିଛି ଦିନ ଧରି ସମଗ୍ର ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଚାଷୀମାନେ ସାର ଯୋଗାଇବା ଦାବି ନେଇ ଉମରକୋଟ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ କୃଷି ଅଧିକାରୀଙ୍କୁ ଶୋଭାଯାତ୍ରାରେ ଚଲାଇ ଚଲାଇ ଚଲାଇ ନେଇଥିଲେ।

ଗୋଟିଏ ପଟେ ବର୍ଷା ଯୋଗୁଁ ଚାଷ ପାଇଁ ଅନୁକୁଳ ପାଗ ଥିବାବେଳେ ଅନ୍ୟପଟେ ସାର ଅଭାବ, ଚାଷୀଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଦେଇଛି। ନିକଟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କୁ ଚିଠି ଲେଖିଥିଲେ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ମାସିକ ଯୋଗାଣ ଯୋଜନା ଅନୁସାରେ ମେ’, ଜୁନ୍ ଏବଂ ଜୁଲାଇ ମାସରେ ବିଭିନ୍ନ କିସମର ସାର ଯୋଗାଣରେ ନିଅଣ୍ଟିଆ ପରିସ୍ଥିତି ଦେଖାଦେଇଛି। କୋଟା ଅନୁସାରେ ଓଡ଼ିଶା ଖରିଫ ଋତୁ ପାଇଁ ଯେତିକି ସାର ପାଇବା କଥା ତାଠାରୁ ପ୍ରାୟ ଲକ୍ଷେ ଟନ୍ କମ  ୟୁରିଆ ପାଇଥିବା ଉକ୍ତ ଚିଠିରେ ଉଲ୍ଲେଖ ରହିଛି।ଆବଣ୍ଟନ ଅନୁସାରେ ୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ସାର କମ ଯୋଗାଣ ହୋଇଛି। ଖାଲି ସେତିକି ନୁହେଁ ଏମ୍ଓପି ଏବଂ ଏନ୍ପିକେଏସ୍ ଆବଣ୍ଟନ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କେନ୍ଦ୍ର ପକ୍ଷରୁ ଚଳିତ ଖରିଫ ଋତୁ ପାଇଁ ଯେତିକି ସାର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ସେହି ଯୋଗାଣରେ ଓଡ଼ିଶା ଏକମତ ହୋଇଥିଲା।

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ମାତ୍ର ୬୦ରୁ ୭୦ ପ୍ରତିଶତ ସାର ପାଇଛି, ଯାହାକି ଚାଷୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ନିକଟ ଅତୀତରେ ହୋଇଥିବା ବାତ୍ୟା ୟସ୍ ଏବଂ ବିଗତ ବର୍ଷମାନଙ୍କରେ  ସାମୁଦ୍ରିକ ତୋଫାନ ଯୋଗୁଁ ରାଜ୍ୟର କୃଷକମାନେ କ୍ଷତି ସହିଛନ୍ତି। ତେଣୁ ସେମାନଙ୍କର ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ ଗୁରୁତ୍ୱପୂର୍ଣ୍ଣ। ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୟୁରିଆ ବ୍ୟବହାର ଅଧିକ ହୋଇଥିବାବେଳେ ପରବର୍ତ୍ତୀ ଦୁଇ ମାସରେ ଅନ୍ୟାନ୍ୟ ସାରର ଚାହିଦା ଅଧିକ ଥାଏ। କୃଷକମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ପୂର୍ବ ବୁଝାମଣା ଅନୁସାରେ କେନ୍ଦ୍ର ସରକାର ଓଡ଼ିଶାକୁ ସାର ଯୋଗାଇଦେବା ଦରକାର ବୋଲି ଚାଷୀମାନେ ଦାବି କରିଛନ୍ତି।

Comment