ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫-ଟି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଅକ୍ଟୋବର ସୁଦ୍ଧା ଶେଷ ହେବ
  • ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୁନ୍ଦରଗଡ଼: ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍. ଭିଲିନ୍‌ କ୍ରିଷ୍ଣା ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁଣ୍ଡୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁରଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ କିଞ୍ଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।କୋଭିଡ୍ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ଵାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ଆଇସିୟୁ ତଥା ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ଏତଦବ୍ୟତୀତ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।ରାଜ୍ୟ ସରକାରଙ୍କର ୫ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞ୍ଜିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ। ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟିତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ କଥାବାର୍ତ୍ତା କରିଥିଲେ। ସ୍କୁଲର ବିଜ୍ଞାନଗାର, ଖେଳପଡ଼ିଆ ଓ ଅନ୍ୟାନ୍ୟ ଭିତ୍ତିଭୂମି ବୁଲି ଦେଖିବା ସହ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ  ସେମାନେ ସନ୍ତୋଷ ପ୍ରକାଶ କରିଥିଲେ।ସୁନ୍ଦରଗଡ଼ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ସେମାନେ ପରିଦର୍ଶନ କରିଥିଲେ। ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡ଼ି କେନ୍ଦ୍ର ତିଆରି କରାଯାଇଛି। ଏହାର ଆସବାବପତ୍ର ଓ କାନ୍ଥବାଡ଼ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସହିତ ନୂଆ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ସୁନ୍ଦରଗଡ଼ ଏସପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Comment