ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ବିଗତ ଦେଢ଼ ବର୍ଷ ଧରି ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା ତାହା ଏବେ ଧିରେ ଧିରେ ଦୂର ହେବାକୁ ଯାଉଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ। କଲେଜ ଆସି ଅଫଲାଇନରେ ପାଠପଢିବେ ଛାତ୍ରଛାତ୍ରୀ।

ଚଳିତ ମାସଠାରୁ ପିଜି ପ୍ରଥମ ବର୍ଷ ଓ ୟୁଜିର ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ। ହଷ୍ଟେଲ ଖୋଲିବା ନେଇ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଭାଗୀୟ ନିଷ୍ପତ୍ତି  ନିଶ୍ଚିତରେ ଗୁରୁତ୍ତ୍ୱପୂର୍ଣ୍ଣ। ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁଥିବାରୁ ସେମାନେ କ୍ୟାମ୍ପସ ଆସିବେନି। ବାକି ଛାତ୍ରଛାତ୍ରୀଙ୍କୁ ନେଇ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରାଯିବ। କରୋନା ସଂକ୍ରମଣ ସାମାନ୍ୟ କମିଥିବାରୁ ହଷ୍ଟେଲଗୁଡ଼ିକ ମଧ୍ୟ ‌ଖୋଲିବ। ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇଥିବା ତଥା ପ୍ରଥମ ବର୍ଷର ପିଜି ଛାତ୍ରଛାତ୍ରୀ ଓ ୟୁଜିର ଅନ୍ୟାନ୍ୟ ସେମିଷ୍ଟର ପିଲାଙ୍କ ପାଠପଢ଼ା ଉପରେ ଗୁରୁତ୍ଵ ଦିଆଯିବା ସ୍ୱାଗତଯୋଗ୍ୟ। କୋଭିଡ୍‌ ମୁକାବିଲା ପାଇଁ କ୍ୟାମ୍ପସରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବିଶ୍ଵବିଦ୍ୟାଳୟ କୁଳପତିମାନଙ୍କୁ କୁହାଯାଇଛି।school student maskସେହିଭଳି, ୧୬ ତାରିଖରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ ହେବ। ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏନେଇ ଚିଠି ଲେଖିଛନ୍ତି ସଚିବ। ବିଏସଇ, ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ନବମ ଶ୍ରେଣୀର ପାଠପଢ଼ା ଆରମ୍ଭ ହେବ।ନବମ ଛାତ୍ରଛାତ୍ରୀଙ୍କର ସକାଳ ୯ଟାରୁ ଦିନ ୧୨ଟା ୩୦ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ତେବେ ସ୍କୁଲ ଆସିବା ବାଧ୍ୟତାମୂଳକ କରାଯାଇନାହିଁ। ପିଲାମାନେ ବାପା ମାଆଙ୍କ ଅନୁମତି ନେଇ ସ୍କୁଲ ଆସିବେ। ସେପଟେ ଅନଲାଇନ ପାଠପଢ଼ା ମଧ୍ୟ ଜାରି ରହିବ। ଉଭୟ ଅଫଲାଇନ ଓ ଅନଲାଇନ ମୋଡ୍ରେ କ୍ଲାସ କରିପାରିବେ ପିଲା। ସ୍କୁଲ ଓ କ୍ଲାସ ରୁମରେ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସିଙ୍କ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ। ନବମ ଶ୍ରେଣୀ ପିଲାଙ୍କ ପାଇଁ କରୋନା କଟକଣା ଭିତରେ ହଷ୍ଟେଲ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ବାସ୍ତବ କ୍ଷେତ୍ରରେ କରୋନା ଯୋଗୁଁ ରାଜ୍ୟର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକରେ ପାଠପଢ଼ା ଯେଉଁଭଳି ବାଧାପ୍ରାପ୍ତ ହୋଇଥିଲା, ତାହାକୁ ସଜାଡ଼ିବାର ସମୟ ଆସିଛି। ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ।

Comment