ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ହେବାକୁ ଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, କ୍ରୀଡ଼ା କ୍ଷେତ୍ରକୁ ଦୃଢ଼ କରିବା ସହିତ ସ୍ଵାସ୍ଥ୍ୟ ସେବା ଏବଂ ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ଉପଯୋଗୀ ହେବ।

ଉଭୟ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଓଡ଼ିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ପରେ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିପାଇଁ ରାଜ୍ୟରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ୍‌ରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗି ସାରିଛି।ଏହି ଇନ୍‌ଡୋର ଷ୍ଟାଡିୟମ୍ ସବୁ ନିର୍ମାଣ ହେବା ଦ୍ଵାରା ଓଡ଼ିଶାର ବିଭିନ୍ନ ବର୍ଗର ଆଥଲେଟ୍‌ମାନେ ଉପକୃତ ହୋଇପାରିବେ। ଖେଳ ଅଭ୍ୟାସ ପାଇଁ ସେମାନଙ୍କୁ ଏକ ଉନ୍ନତମାନର ଭିତ୍ତିଭୂମି ମିଳିବା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ସେମାନଙ୍କ ପ୍ରଦର୍ଶନ ଆହୁରି ଭଲ ହୋଇ ଓଡ଼ିଶାର ଗୌରବ ବଢ଼ିବ। ଏଥିସହ ଓଡ଼ିଶା ସାରା ଦେଶରେ ଏକ କ୍ରୀଡ଼ା ହବ୍‌ରେ ପରିଣତ ହେବ ବୋଲି ସରକାର କହିଛନ୍ତି।

ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମରେ ରହିବ କେଉଁ କେଉଁ ସୁବିଧା?ବହୁମୁଖୀ ସ୍ପୋର୍ଟ୍ସ କମ୍ପେକ୍ସ ରହିବ

ହକି, କ୍ରିକେଟ୍ ଭଳି ଆଉଟଡୋର୍ ଗେମ୍‌ଗୁଡ଼ିକୁ ବାଦ୍ ଦେଲେ ରାଜ୍ୟରେ ଅନ୍ୟ କ୍ରୀଡ଼ା ପାଇଁ ସେମିତି ଉନ୍ନତମାନର ଭିତ୍ତିଭୂମି ନାହିଁ। ତେଣୁ ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଇନ୍‌ଡୋର ଷ୍ଟାଡିୟମଗୁଡ଼ିକରେ ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ ଏବଂ ଭାରୋଉତ୍ତୋଳନ ଭଳି ଖେଳ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ରହିବ। ଏଥିସହ ଷ୍ଟାଡିୟମରେ ଉନ୍ନତମାନର ବ୍ୟାୟମଶାଳା ରହିବ। ଫଳରେ ଖେଳାଳିମାନେ ବିଭିନ୍ନ ଆନୁଷଙ୍ଗିକ କ୍ରୀଡ଼ାର ଅଭ୍ୟାସ ସହିତ ବ୍ୟାୟମ କରି ଫିଟ୍ ରହି ପାରିବେ। ଏହାକୁ ଦୃଷ୍ଟିରେ ରଖି ସରକାର ଇନ୍‌ଡୋର ଷ୍ଟାଡିୟମଗୁଡ଼ିକ ବହୁମୁଖୀ ବ୍ୟବହାରଯୋଗୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟ ହେବ

ରାଜ୍ୟରେ ନିର୍ମାଣ ହେବାକୁ ଥିବା ଇନ୍‌ଡୋର ଷ୍ଟାଡିୟମଗୁଡ଼ିକ ପ୍ରାକୃତିକ ବିପର୍ଯ୍ୟୟ ବେଳେ କାମରେ ଆସିବ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଏଗୁଡ଼ିକୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ। ଏଥିପାଇଁ ଷ୍ଟାଡିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗର ପବନ ସହିପାରୁଥିବା ଭଳି ନିର୍ମାଣ କରାଯିବ।ମହାମାରୀ ବେଳେ ଚିକିତ୍ସା ଉପଯୋଗୀ ହେବ

ଆଗାମୀ ଦିନରେ ରାଜ୍ୟରେ ନିର୍ମାଣ ହେବାକୁ ଥିବା ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମଗୁଡ଼ିକ କ୍ରୀଡ଼ା ସହିତ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୋଇ ପାରିବ। ଏଥିପାଇଁ ବିଜ୍ଞପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ଷ୍ଟାଡିୟମଗୁଡ଼ିକୁ ୫୦ ଶଯ୍ୟା ଏବଂ ପୌରାଞ୍ଚଳରେ ହେବାକୁ ଥିବା ଷ୍ଟାଡିୟମଗୁଡ଼ିକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭଳି ଢଙ୍ଗରେ ପ୍ରସ୍ତୁତ କରାଯିବ। ଫଳରେ କରୋନା ଭଳି ମହାମାରୀ ସମୟରେ ଷ୍ଟାଡିୟମଗୁଡ଼ିକୁ ଡାକ୍ତରଖାନା ଭାବେ ବ୍ୟବହାର କରାଯାଇ ପାରିବ।Startup Story ep -5 Promotion Cardତାଲିମ୍ ଓ ପରୀକ୍ଷା କେନ୍ଦ୍ର ହେବ

ଇନ୍‌ଡୋର ଷ୍ଟାଡିୟମଗୁଡ଼ିକୁ କେବଳ ଯେ, କ୍ରୀଡ଼ା, ବିପର୍ଯ୍ୟୟ କିମ୍ଵା ସ୍ଵାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରାଯିବ ତାହା ନୁହେଁ, ଏଗୁଡ଼ିକୁ ତାଲିମ୍, ସଭା ପରିଚାଳନା ଏବଂ ପରୀକ୍ଷା କେନ୍ଦ୍ର ଭାବେ ମଧ୍ୟ ବ୍ୟବହାର କରାଯିବ। ଯେଉଁ ସମୟରେ ଷ୍ଟାଡିୟମରେ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ଵା ଅଭ୍ୟାସ ମ୍ୟାଚ୍ ନଥିବ, ସେ ସମୟରେ ଆବଶ୍ୟକ ଅନୁସାରେ ଏହାକୁ ବିଭିନ୍ନ ତାଲିମ୍, ସଭା କାର୍ଯ୍ୟ ଏବଂ ପରୀକ୍ଷା କେନ୍ଦ୍ର ଭାବେ ବିନିଯୋଗ କରାଯିବ। ଏହାଦ୍ଵାରା ଷ୍ଟାଡିୟମଗୁଡ଼ିକର ବହୁମୁଖୀ ବ୍ୟବହାର ହୋଇ ପାରିବ।

Comment