ଓଡ଼ିଶାଲାଇଭ୍ ବ୍ୟୁରୋ

ଜଳ ଜୀବନ ମିଶନରେ ଓଡ଼ିଶାକୁ ଚଳିତ ଆର୍ଥିକ ବର୍ଷ ଲାଗି ୩୩୨୩ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର। ଗତ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ଵଚ୍ଛ ପାନୀୟ ଜଳ ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି କହିଛନ୍ତି। ଏହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ।ଦେଶର ପ୍ରତ୍ୟେକ ପରିବାରକୁ ଟ୍ୟାପ ଜରିଆରେ ସ୍ଵଚ୍ଛ ଜଳ ଯୋଗାଣ ସହ ମହିଳା ଓ ଶିଶୁଙ୍କ ଜୀବନରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ପଛରେ ରହିଛି କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ। ଦ୍ଵିତୀୟ ଥର ପାଇଁ  ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୯ରେ ଆରମ୍ଭ ହୋଇଥିଲା  ଜଳ ଜୀବନ ମିଶନ। ସେତେବେଳେ ଦେଶରେ ଥିବା ମୋଟ ୧୯ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୧୭ ପ୍ରତିଶତ ଅର୍ଥାତ୍ ୪ କୋଟି ପରିବାରଙ୍କ ନିକଟରେ ଟ୍ୟାପ ଜଳ ଯୋଗାଣ ସୁବିଧା ରହିଥିଲା। ଗତ ୨୨ ମାସ ମଧ୍ୟରେ, କୋଭିଡ-୧୯ ମହାମାରୀର ବିଭୀଷିକା, ଲକଡାଉନ୍ ସତ୍ତ୍ୱେ ଜଳଜୀବନ ମିଶନକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଇ ୪.୫ କୋଟି ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଏବେ ମୋଟ ପାନୀୟ ଜଳଯୋଗାଣ ସଂଖ୍ୟା ୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ମିଶନ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ କୋଟିଏ ଗ୍ରାମୀଣ ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ଉପଲବ୍ଧ ହୋଇପାରିଛି।ଓଡ଼ିଶାର ସ୍ଥିତିକୁ ଲକ୍ଷ୍ୟ କଲେ, ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ ମାତ୍ର ୩ ଲକ୍ଷ(୪%) ପରିବାର ଟ୍ୟାପ ପାଣି ପାଇପାରୁଥିଲେ। ଏବେ ୨୩ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୬ ଲକ୍ଷ ପରିବାର ମଧ୍ୟରୁ ୨୬ ଲକ୍ଷ ପରିବାର (୩୦%) ନିକଟରେ ଟ୍ୟାପ ପାଣି ପହଞ୍ଚି ପାରିଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ରଖାଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ତଳେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ନିକଟକୁ  ଚିଠି ଲେଖି ଦର୍ଶାଇଛନ୍ତି ଯେ, ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଦରକାର। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ଟ୍ୟାପ ପାଣି ପାଇପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦିଆଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ନୁହେଁ। ଏହାର ଉପଯୁକ୍ତ ପରିଚାଳନା ହେବା ଆବଶ୍ୟକ।

Comment