ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ବିଶ୍ୱ ତମାମ ବିଭ୍ରାଟ ସୃଷ୍ଟି କରିଚାଲିଛି। ଏହାର ପ୍ରଭାବ କେଉଁଭଳି ବିଶ୍ୱ ତାପାୟନ ଉପରେ ପ୍ରଭାବ ପକାଇବ ସେ ନେଇ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ଆକଳନ ଅନୁସାରେ ଆସନ୍ତା ୧୦ ବର୍ଷ ମଧ୍ୟରେ ପୃଥିବୀର ତାପାମାତ୍ରା ପ୍ରାୟ ୧.୫ଡିଗ୍ରୀ ସେଲସିୟସ ବଢ଼ିଯିବ। ଏହା ଫଳରେ ବିଶ୍ୱର ବିଭିନ୍ନ ସ୍ଥାନରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟରେ କୁହାଯାଇଛି।

ଜଳବାୟୁ ପରିବର୍ତ୍ତନ ପ୍ୟାନେଲର ରିପୋର୍ଟ ବିଶ୍ୱ ପାଇଁ ଏକ ବିପଦ ସଂକେତ ବୋଲି କୁହାଯାଉଛି। ରିପୋର୍ଟରେ  କୁହାଯାଇଛି ଯେ ବର୍ତ୍ତମାନଠାରୁ ହିଁ ବିଶ୍ୱର ବିଭିନ୍ନ ସ୍ଥାନରେ ଉତ୍ତାପ ବଢ଼ିବାରେ ଲାଗିଛି। ତାପମାତ୍ରା ବଢ଼ୁଥିବାରୁ ସମୁଦ୍ର ଜଳ ପତ୍ତନ ମଧ୍ୟ ବଢ଼ୁଛି। ୧୯୦୧ରୁ ୨୦୧୮ ମଧ୍ୟରେ ବିଶ୍ୱରେ ସମୁଦ୍ର ପତ୍ତନ ହାରାହାରି ୦.୨୦ ମିଟର ବୃଦ୍ଧି ପାଇଥିବା ବିଷୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ଆନ୍ତଃ ସରକାରୀ ପ୍ୟାନେଲ୍ ପ୍ରସ୍ତୁତ କରିଥିବା  ଆସେସମେଣ୍ଟ ରିପୋର୍ଟରେ ୧୯୫ଟି ଦେଶ ରହିଛି, ଯେଉଁଥିରେ ଭାରତ ମଧ୍ୟ ରହିଛି। ବୈଜ୍ଞାନିକମାନେ ପୃଥିବୀର ଜଳବାୟୁ ଓ ସମଗ୍ର ବିଶ୍ୱରେ ଇକୋସିଷ୍ଟମର ଯାଞ୍ଚ କରିଥିଲେ ଓ ଏହି ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭବିଷ୍ୟତରେ ଯେଉଁ ବିପଦ ଆସିବ, ତାହାର ଆଭାଷ ଏବେ ଠାରୁ ମିଳିଲାଣି। ସମୁଦ୍ରରେ ଜଳସ୍ତର ବଢ଼ୁଥିବାରୁ ଏହା ସମଗ୍ର ବିଶ୍ୱ ପାଇଁ ବିପଦ। ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଶହ ଶହ କିମ୍ବା ହଜାର ହଜାର ବର୍ଷ ଲାଗିପାରେ ବୋଲି ରିପୋର୍ଟରେ କୁହାଯାଇଛି।ପୃଥିବୀ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି ବୋଲି ରିପୋର୍ଟ କହୁଛି। ଏଭଳି ସ୍ଥିତି ଜାରି ରହିଲେ ୨୦୩୦ ସୁଦ୍ଧା ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ପୂର୍ବରୁ କୁହାଯାଇଥିଲା ଯେ ୨୦୪୦ ସୁଦ୍ଧା ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ବଢ଼ିବ। ତେବେ ଆକଳନର ୧୦ ବର୍ଷ ପୂର୍ବରୁ ହିଁ ଉତ୍ତାପ ବଢ଼ିବ ବୋଲି ସଂଶୋଧିତ ଆକଳନ କରାଯାଇଛି। ଏହି ଦୃଷ୍ଟିରୁ ସବୁ ଦେଶ ମିଶି ଜଳବାୟୁ ପରିବର୍ତ୍ତନର ବାସ୍ତବତା ପ୍ରତି ଧ୍ୟାନ ଦେବା ଦରକାର।

Comment