ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦେଶ ପାଳୁଛି ୭୫ତମ ସ୍ଵାଧୀନତା ଦିବସ। ଏହି ଅବସରରେ ରାଜଧାନୀ ଭୁବନେଶ୍ଵରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ ରାଜ୍ୟବାସୀଙ୍କୁ ସମ୍ଵୋଧନ ମଧ୍ୟ କରିଛନ୍ତି।ଭାରତ ସ୍ୱାଧୀନତା ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶର ସ୍ୱାଧୀନତା ପାଇଁ ଲଢେଇ କରିଥିବା ବୀର ସଂଗ୍ରାମୀଙ୍କୁ ମନେ ପକାଇଥିଲେ ନବୀନ। ଏଥିସହ ସେ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ସାରା ଦେଶ ଅଦୃଶ୍ୟ ଶକ୍ତି କରୋନା ସହ ଲଢୁଥିବା ବେଳେ ଏହି ଲଢେଇରେ ଜୀବନ ଦେଇଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଗଣତନ୍ତ୍ର ହେଉଛି ଭାରତର ସବୁଠୁ ବଡ ସଫଳତା। ଆମର ଗଣତନ୍ତ୍ର ହିଁ ଆମର ବିକାଶକୁ ଅଧିକ ସୁଗମ କରିବା ସହ ଦେଶକୁ ମଜବୁତ କରିଛି। ୪୧ ବର୍ଷ ପରେ ଜାତୀୟ କ୍ରୀଡ଼ା ହକିରେ ଅଲିମ୍ପିକ୍ସ ପଦକ ହାସଲ କରିଛି ଭାରତ, ଯାହା ଦେଶର ଗୌରବକୁ ବଢାଇଛି। ଦେଶର ଏହି ସଫଳତାରେ ଓଡ଼ିଶାର ବିଶେଷ ଯୋଗଦାନ ରହିଛି। ଭାରତୀୟ ହକି ଦଳର ପ୍ରାୟୋଜକ ହୋଇ କିଭଳି ହକିକୁ ପୁଣିଥରେ ଦେଶରେ ଲୋକପ୍ରିୟ କରିବା ଓ ଟିମକୁ ଶ୍ରେଷ୍ଠ ଭାବେ ଗଢିତୋଳିବା ଲକ୍ଷରେ ଆଗେଇଛି ଓଡ଼ିଶା। ଏହାକୁ ସମ୍ଭବ କରି ଦେଖାଇଛନ୍ତି ଆମ ଖେଳାଳି। ଆମ ହକି ଖେଳାଳିଙ୍କ ପାଇଁ ଓଡ଼ିଶା ଗର୍ବିତ।”

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ ଘୋଷଣା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଆସୁଥିବା ନେଇ ସେ କହିଛନ୍ତି, ଯେଉଁଥିରେ ୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ କାର୍ଡ ଦିଆଯିବ ଓ ସାଢେ ୩ କୋଟି ଲୋକ ଏହି ଯୋଜନାରେ ଚିକିତ୍ସା ସୁବିଧା ପାଇବେ। ପ୍ରତି ପରିବାର ପାଇଁ ୫ ଲକ୍ଷ, ମହିଳାଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ। ସାରା ଦେଶର ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ନୂଆ ଇତିହାସ ସୃଷ୍ଟି କରିବା ସହ ଏଭଳି ସ୍ମାର୍ଟ ହେଲଥ କାର୍ଡ ଯୋଗାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ସାମ୍ନାକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସାରା ଓଡ଼ିଶା ମୋ ପରିବାର, ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ନବୀନ। କୋଭିଡ୍ ସମୟରେ ଓଡ଼ିଶାର ଭୂମିକାକୁ ନେଇ ସେ କହିଛନ୍ତି ଯେ, କରୋନା କାଳରେ ୨ ମାସ ଧରି ଓଡ଼ିଶା ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇଥିଲା, ଅନେକ ଜୀବନ ବଞ୍ଚାଇଥିଲା। ତେଣୁ କରୋନା ମୁକାବିଲାରେ ଓଡ଼ିଶାକୁ ପୂରା ଦେଶ ମଡେଲ ଭାବେ ଗ୍ରହଣ କରିଛି।ଏହାବ୍ୟତୀତ ରାଜ୍ୟର ଶିକ୍ଷା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “୫ଟି କାର୍ଯ୍ୟକ୍ରମରେ ରାଜ୍ୟର ୧୦୭୨ ସ୍କୁଲର ରୂପାନ୍ତର କରାଯାଉଛି। ମୋ ସ୍କୁଲ କାର୍ଯ୍ୟକ୍ରମ ଲୋକପ୍ରିୟ ହୋଇଛି, ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଛନ୍ତି।”

ସେ ଆହୁରି ମଧ୍ୟ କହିଥିଲେ, “କ୍ରୀଡ଼ା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବିକାଶର ନୂଆ ନୂଆ ମାଇଲଖୁଣ୍ଟ ସ୍ଥାପନ କରୁଛି। ସମସ୍ତଙ୍କ ପାଇଁ ଓଡ଼ିଶା ଆଦର୍ଶ ସାଜିଛି। ତେଣୁ ବିକାଶର ଏହି ଧାରାକୁ ବଜାୟ ରଖି, ସମସ୍ତଙ୍କୁ ସାଥିରେ ନେଇ ଓଡ଼ିଶାର ପରିଚୟକୁ ଆହୁରି ଉଜ୍ଜଳ କରିବା ପାଇଁ ଆସନ୍ତୁ ଆମର ନିଷ୍ଠାପର ଉଦ୍ୟମ ଜାରି ରଖିବା।”

Comment