ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵତନ୍ତ୍ରତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜି ଉତ୍ସବମୁଖର। କିନ୍ତୁ ସ୍ଵାଧୀନତା ଦିବସରେ ଖୋର୍ଦ୍ଧା ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଖୋର୍ଦ୍ଧାର ଜଙ୍କିଆ ଥାନା ସିକୋ ଫାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଧନେଶ୍ଵର ଦାସ। ଏହି ଦୁର୍ଘଟଣାରେ ଜଣେ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି।ଆଜି ସକାଳେ ଫାଣ୍ଡି ପରିସରରେ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ହୋମଗାର୍ଡ ଧନେଶ୍ଵର ଦାସ ଏବଂ କନେଷ୍ଟବଳ ବୀରକିଶୋର ଭୋଳ ଲୁହା ଖୁଣ୍ଟ ପୋତୁଥିଲେ। ମାତ୍ର ଲୁହା ଖୁଣ୍ଟଟି ସେହି ସ୍ଥାନରେ ଯାଇଥିବା ଏକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ବିଜୁଳି ଝଟ୍‌କାରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ହୋମଗାର୍ଡ ଧନେଶ୍ଵର ଦାସଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଅନ୍ୟପଟେ କନେଷ୍ଟବଳ ବୀରକିଶୋର ଭୋଳଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ଵରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Comment