ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରିଜର୍ଭ ପୋଲିସ ପଡ଼ିଆଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଡକ୍ଟର ସାହୁ ଦେଶ ଓ ରାଜ୍ୟ ସହିତ ସୁନ୍ଦରଗଡ଼ ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ।

‘‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ବିକାଶର ଏକ ନୂଆ ଉଚ୍ଚତାରେ ପହଞ୍ଚି ପାରିଛି। ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଶାସନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିପାରିଛି। କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସଫଳ ମୁକାବିଲା କରି ଓଡ଼ିଶା ଆଜି ଦେଶ ଏବଂ ଦେଶ ବାହାରେ ପ୍ରଶଂସିତ ହୋଇପାରିଛି ’’, କହିଥିଲେ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।ମନ୍ତ୍ରୀ ଡକ୍ଟର ସାହୁ ତାଙ୍କ ଅଭିଭାଷଣରେ ଆହୁରି କହିଥିଲେ ଯେ, ‘‘ସୁନ୍ଦରଗଡ଼ ଜିଲ୍ଲା ହେଉଛି ହକିର ଅନ୍ତୁଡ଼ିଶାଳ। ହକି ଆଜି କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ପାଲଟିଛି ଏକ ଜୀବନଧାରା। ସୁନ୍ଦରଗଡ଼ ମାଟି ଅନେକ ହକି ତାରକାଙ୍କୁ ସୃଷ୍ଟି କରିଛି। ଏହି ହକି ଖେଳାଳିଙ୍କ ପାଇଁ ଓଡ଼ିଶା ଆଜି ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ପାଇଛି। ନିକଟରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ହାସଲ କରି ସମଗ୍ର ଦେଶ ପାଇଁ ଗୌରବ ଆଣିଛି। ଏହି ଅବଦାନ ପଛରେ ସୁନ୍ଦରଗଡ଼ ମାଟିର ଖେଳାଳିମାନଙ୍କ ପ୍ରମୁଖ ଅବଦାନ ରହିଛି।’’ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସାରା ଦେଶ ‘ଆଜାଦି କି ଅମୃତ’ ମହୋତ୍ସବ ଭାବେ ପାଳନ କରୁଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବାକୁ ସାର୍ବଜନୀନ କରିବାକୁ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ପ୍ରଚଳନ କରିଛନ୍ତି। ସେପ୍ଟେମ୍ବର ୧ ତାରିଖରୁ ଏହା ସମଗ୍ର ରାଜ୍ୟରେ ଲାଗୁ ହେବ। ଏହି ଯୋଜନାରେ ହିତାଧିକାରୀ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସହିତ ଅନୁବନ୍ଧିତ ୧୮୩ଟି ଘରୋଇ ହସ୍ପିଟାଲ ଏବଂ ରାଜ୍ୟ ବାହାରର ୧୭ଟି ହସ୍ପିଟାଲରୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ମାଗଣାରେ ପାଇପାରିବେ ବୋଲି ମନ୍ତ୍ରୀ କହିଥିଲେ। ମହିଳାମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିଛି।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡକ୍ଟର ସାହୁ ସୁନ୍ଦରଗଡ଼ର ୧୧ ଜଣ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଏସ୍‌ପି ସାଗରିକା ନାଥଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅନିଲ କେରକେଟା ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ସୁନ୍ଦରଗଡ଼ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ

୭୫ତମ ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ପତାକା ଉତ୍ତୋଳନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କାର୍ଯ୍ୟାଳୟରେ ମଧ୍ୟ ଡିଏମଏଫ ସିଇଓ ଦାୟିତ୍ୱରେ ଥିବା ଶ୍ରୀ ପଟେଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Comment