ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନମାନେ ନିଜ ଅଧିନକୁ ନେବା ପରେ ସେଠାରେ ଦେଖା ଦେଇଛି ଭୟଙ୍କର ପରିସ୍ଥିତି। ସେଠାରେ ରହୁଥିବା ଲୋକମାନେ ନିଜ ଦେଶକୁ ଯିବା ପାଇଁ ବ୍ୟାକୁଳ ହେଉଛନ୍ତି। ଏମିତି ବି ଦୃଶ୍ୟ ଦେଖିବାକୁ ମିଳିଛି ଯେ, ନିଜ ଜୀବନ ବଞ୍ଚାଇବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡ଼ ଜମିଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆମେରିକୀୟ ସେନା ବିମାନ ବନ୍ଦରରେ ଫାଙ୍କା ଗୁଳିଚାଳନା କରିଛି।

କାବୁଲ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ସାଙ୍ଘାତିକ ଦୃଶ୍ୟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। କେବଳ ଭାରତ ନୁହେଁ ଅନେକ ଦେଶର ଲୋକ ସେଠାରେ ଫଶି ରହିଛନ୍ତି। ଏହାରି ମଧ୍ୟରେ ସବୁ ଦେଶର ସରକାରମାନେ ନିଜ ନିଜ ଦେଶର ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି।

ନିଜ ଦେଶର ଲୋକଙ୍କୁ ଫେରାଇ ଆଣିବାକୁ ଭାରତର ପ୍ରସ୍ତୁତି

ଦିନକୁ ଦିନ ଆଫଗାନିସ୍ତାନର ସ୍ଥିତି ଖରାପ ହେବାରେ ଲାଗିଛି। ତାଲିବାନମାନେ ଗୋଟିଏ ପରେ ଗୋଟିଏ ସ୍ଥାନକୁ କବ୍ଜା କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ ସୋମବାର ତାଲିବାନମାନେ ରାଜଧାନୀ କାବୁଲକୁ କବ୍ଜା କରିବା ଓ ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଅସରଫ ଘନିଙ୍କ ପଳାୟନ ଆଫଗାନିସ୍ତାନବାସୀଙ୍କୁ ଆହୁରି ଭୟଭୀତ କରିଛି। ସେଠାରେ କେହି ନିଜକୁ ସୁରକ୍ଷିତ ଭାବୁନଥିବାବେଳେ, ସମସ୍ତେ କିଭଳି ବିମାନରେ ଚଢ଼ି ନିଜ ନିଜ ଦେଶକୁ ଫେରିବାକୁ ପ୍ରୟାସ କରୁଛନ୍ତି। ଏଭଳି ଭୟଙ୍କର ପରିସ୍ଥିତିରେ ଭାରତ ମଧ୍ୟ ତା’ ଲୋକମାନଙ୍କୁ ଆଣିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛି।

ତଥ୍ୟ ଅନୁସାରେ, ଭାରତ ସରକାର ଏୟାର ଇଣ୍ଡିଆକୁ ଦୁଇଟି ବିମାନ ପ୍ରସ୍ତତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ଏହି ଦୁଇ ବିମାନରେ ଭାରତୀଙ୍କୁ କାବୁଲ ବିମାନ ବନ୍ଦରରୁ ଅଣାଯିବ।ଅନ୍ୟପଟେ କାବୁଲ ବିମାନବନ୍ଦରରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଆମେରିକୀୟ ସୁରକ୍ଷାକର୍ମୀ ଫାଙ୍କା ଗୁଳିଚାଳନା କରିଛି। ଏହାଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏହି ମୃତ୍ୟୁ ଗୁଳି ଚାଳନା କାରଣରୁ ହୋଇଛି କି ଭିଡ଼ ମଧ୍ୟରେ ଘଟିଛି, ତାହାର ଏ ପର୍ଯ୍ୟନ୍ତ କୌଣସି କାରଣ ସ୍ପଷ୍ଟ ହୋଇନାହିଁ।

ସେପଟେ ତାଲିବାନ କ୍ଷମତାକୁ ଆସିବା ପରେ କାବୁଲ ଏୟାରସ୍ପେସ ବନ୍ଦ କରି ଦିଆଯାଇଛି। ଏବେ କାବୁଲ ବିମାନବନ୍ଦରକୁ କୌଣସି ବିମାନ ଚଳାଚଳ କରିପାରିବନାହିଁ। ଏୟାରସ୍ପେସ୍ ବନ୍ଦ ଥିବାରୁ ଆମେରିକାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନ କେଉଁ ଦିଗ ଦେଇ ଆସିବ ତାହା ଏବେ ଚିନ୍ତାର ବିଷୟ ହୋଇଛି।

Comment