ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ଆଫଗାନିସ୍ତାନକୁ ତାଲିବାନମାନେ କବ୍ଜା କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅସରଫ୍ ଘନିଙ୍କ ବିମାନକୁ ଅବତରଣ ପାଇଁ ଅନୁମତି ଦେଲାନି ତାଜିକିସ୍ତାନ। ଏଭଳି ପରିସ୍ଥିତିରେ ତାଙ୍କୁ ଓମାନଠାରେ ଅବତରଣ କରିବାକୁ ପଡ଼ିଥିଲା। ଏବେ ଘନି ଆମେରିକା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁସାରେ କେବଳ ଅସରଫ୍ ଘନି ନୁହଁନ୍ତି ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମୋହିବ ମଧ୍ୟ ଓମାନରେ ରହିଛନ୍ତି। ରବିବାର ଦିନ ଦେଶ ଛାଡ଼ି ପଳାୟନ କରିଥିବା ଉଭୟଙ୍କ ବିମାନଙ୍କୁ ତାଜିକିସ୍ତନାରେ ଅବତରଣ ପାଇଁ ଅନୁମତି ମିଳିନଥିଲା।

ଆଫଗାନର ସବୁ ଜିଲ୍ଲାକୁ ଦଖଲ କରିବା ପରେ ତାଲିବାନମାନେ ରବିବାର ଦିନ ରାଜଧାନୀ କାବୁଲକୁ ନିଜ ଦଖଲରେ ନେବାକୁ ପହଞ୍ଚିଥିଲେ। ପରେ କାବୁଲସ୍ଥିତ ରାଷ୍ଟ୍ରପତି ଭବନକୁ ଦଖଲ କରିଥିଲେ। ଏହାପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ୍ ଘନି ଦେଶ ଛାଡ଼ି ବିଦେଶ ପଳାୟନ କରିଥିଲେ।

ସେଠାରୁ ଯିବାପରେ ରାଷ୍ଟ୍ରପତି ଘନି ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଥିଲେ, “ମୁଁ ବିଗତ ୨୦ବର୍ଷ ହେଲା ଆଫଗାନିସ୍ତାନର ରକ୍ଷା କରିବା ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଛି। ଯଦି ମୁଁ ବର୍ତ୍ତମାନ ପରିସ୍ଥିତିରେ ତାଲିବାନମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି, ତେବେ ଅନେକ ସାଧାରଣ ନାଗରିକଙ୍କର ଜୀବନ ବଳି ପଡ଼ିଯିବ। ତେଣୁ ରକ୍ତ ସଙ୍ଘର୍ଷକୁ ଏଡ଼ାଇବା ପାଇଁ ମୁଁ ପଦ ଛାଡ଼ି ଚାଲିଆସିଛି।”

ଅସରଫ୍ ଘନିଙ୍କ ଏହି ପୋଷ୍ଟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏଭଳି ପୋଷ୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ତାଲିବାନୀଙ୍କ ଆଗରେ ଆଫଗାନ୍ ସରକାର ହାର୍ ମାନିଯାଇଛନ୍ତି। ତେଣୁ ରାଷ୍ଟ୍ରପତି ଦେଶ ଛାଡ଼ିବାପରେ ଆଫଗାନରେ ଯୁଦ୍ଧ ଶେଷ ହୋଇଛି ବୋଲି ତାଲିବାନ୍ ମୁଖପାତ୍ର ମହମ୍ମଦ ନାଦିମ କହିଛନ୍ତି।

Comment