ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ରହିଆସିଛି। କିନ୍ତୁ ତାଲିବାନୀମାନେ ଆଫଗାନିସ୍ତାନକୁ କବ୍ଜା କରିବା ପରେ ଏବେ ପ୍ରଥମଥର ପାଇଁ ଭାରତ ସହ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। ଆମଦାନୀ ଓ ରପ୍ତାନୀ ଉପରେ କଟକଣା ଲଗାଇଛି ତାଲିବାନ। ଏନେଇ ଏଫଆଇଇଓର(ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନ)ର ନିର୍ଦ୍ଦେଶକ ଅଜୟ ସହାଇ ସୂଚନା ଦେଇଛନ୍ତି।

ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନିଙ୍କ ଶାସନକାଳରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବ୍ୟସାୟିକ ସମ୍ପର୍କ ଭଲ ରହିଥିଲା। କିନ୍ତୁ ଏବେ ଆଫଗାନିସ୍ତାନ ତାଲିବାନଙ୍କ କବଳକୁ ଯିବାପରେ ସେମାନେ ସେଠାରେ ତାଙ୍କର ମନମୁଖୀ କାର୍ଯ୍ୟକଳାପ ଦେଖାଇବାରେ ଲାଗିପଡ଼ିଛନ୍ତି।

ଗୁରୁବାର ଏଫଆଇଇଓର ସୂଚନା ମୂତାବକ, “ତାଲିବାନୀମାନେ ରପ୍ତାନୀ ଓ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି। ମୁଖ୍ୟତଃ ଭାରତର ସମସ୍ତ ସାମଗ୍ରୀ ପାକିସ୍ତାନର ଗମନାଗମନ ମାର୍ଗ ଦେଇ ଆଫଗାନିସ୍ତାନରେ ପହଞ୍ଚିଥାଏ। କିନ୍ତୁ ଏବେ ତାଲିବାନ ସେଠାରେ ଆଧିପତ୍ୟ ବିସ୍ତାର କରିବା ପରେ ସେହି ରାସ୍ତାକୁ ବନ୍ଦ କରି ଦେଇଛନ୍ତି। ଫଳରେ ବ୍ୟବସାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ, ତେବେ ଭାରତରେ ମିଳୁଥିବା ଡ୍ରାଏ ଫ୍ରୁଟ୍ସର ଦରଦାମ୍ ବଢ଼ିଯିବ। କାରଣ ଭାରତ ଆଫଗାନିସ୍ତାନରୁ ୮୫ପ୍ରତିଶତ ଡ୍ରାଏ ଫ୍ରୁଟ୍ସ ଆମଦାନୀ କରିଥାଏ।”

ଏଫଆଇଇଓ ନିର୍ଦ୍ଦେଶକ ଅଜୟ ସହାଇ କହିଛନ୍ତି, “ଆଫଗାନିସ୍ତାନର ପରିସ୍ଥିତି ଉପରେ ଭାରତ ନଜର ରଖିଛି। ବ୍ୟବସାୟୀ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ଭଲ ସହଭାଗିତା ହେଉଛି ଭାରତ। ତେଣୁ ୨୦୨୧ରେ  ଭାରତର ରପ୍ତାନୀ ମୂଲ୍ୟ ୮୩୫ ମିଲିୟନ ଡଲାର ରହିଥିବାବେଳେ ଆମଦାନୀ  ମୂଲ୍ୟ ୫୧୦ ମିଲିୟନ ଡଲାର ରହିଥିଲା।”

କେବଳ ଆମଦାନୀ ଓ ରପ୍ତାନୀ ନୁହେଁ, ଏହା ବ୍ୟତୀତ ଆଫଗାନିସ୍ତାନରେ ଭାରତ ବଡ ଧରଣର ନିବେଶ ମଧ୍ୟ କରିଛି। ଭାରତ ପ୍ରାୟ ୪୦୦ଟି ପ୍ରୋଜେକ୍ଟରେ ୩ ବିଲିୟନ ପୁଞ୍ଜିନିବେଶ କରିଛି ବୋଲି ଏଫଆଇଇଓର ପକ୍ଷରୁ ସୂଚନା ରହିଛି।

Comment