ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ରେ କୋରୋନା ଆତଙ୍କ। ପୁଣି ଚୀନ୍‌ରୁ ଫେରିଲେ ୩୨୩ ଭାରତୀୟ। ଏହାସହ ୭ ମାଳଦ୍ଵୀପ ନାଗରିକ ମଧ୍ୟ ଦିଲ୍ଲୀ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ଵତନ୍ତ୍ର ବିମାନରେ ସମସ୍ତଙ୍କୁ ଚୀନ୍‌ରୁ ଦିଲ୍ଲୀକୁ ଅଣାଯାଇଛି। ଶନିବାର ଚୀନ୍‌ର ଉହାନରୁ ୩୨୪ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଥିଲା।

ହରିୟାଣାର ମନେସରରେ ଭାରତୀୟଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେଠାରେ ସମସ୍ତଙ୍କୁ ସ୍ଵତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯିବ। ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ଏଏଚଓ ଏୟାରପୋର୍ଟ ହେଲ୍‌ଥ ଅଥରିଟି ଏବଂ ଏଏଫଏମଏସ୍ ବା ଆର୍ମଡ୍ ଫୋର୍ସେସ୍ ମେଡିକାଲ ସର୍ଭିସେସର ମିଳିତ ଟିମ୍ ଦ୍ଵାରା ବିମାନବନ୍ଦରରେ ଭଲଭାବେ ଯାଞ୍ଚ କରାଯାଇଛି।

ଯେଉଁମାନଙ୍କଠାରେ ଏହି ଭାଇରସର ଲକ୍ଷଣ ଦେଖାଯିବ ସେମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥାରେ ୨ ସପ୍ତାହ ପାଇଁ ରଖାଯିବ। ସ୍ଵତନ୍ତ୍ର ଡାକ୍ତରୀ ଦଳ ଏବଂ ମେଡିକାଲ କର୍ମୀ ଏମାନଙ୍କୁ ଚିକିତ୍ସା କରିବେ।

ଚୀନ୍‌ରେ କୋରୋନା ଭାଇରସ୍‌ ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଆକ୍ରାନ୍ତରେ ଚୀନ୍‌ରେ ୨୧୨ଜଣଙ୍କ ମୃତ୍ୟୁ ହୋଇସାରିଛି। ଭାରତର କେରଳରେ ମଧ୍ୟ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment