ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନରୁ ଆସିଲା ଛାତିଥରା ଦୃଶ୍ୟ। କାବୁଲର ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଆରମ୍ଭ କଲା ବେଳେ ବିମାନରୁ ଖସି ପଡ଼ିଲେ ୩ ଯାତ୍ରୀ। ଉଡ଼ନ୍ତା ବିମାନରୁ ୩ ଜଣ ଯାତ୍ରୀ ଖସି ପଡ଼ିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ବିଶ୍ୱବ୍ୟାପୀ ଲୋକଙ୍କୁ ସ୍ତବ୍ଧ କରି ଦେଇଛି।

ସମଗ୍ର ଆଫଗାନିସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇ ବିଦ୍ରୋହୀ ଗୋଷ୍ଠୀ ତାଲିବାନ ଯୁଦ୍ଧ ଶେଷ ହେଲା ବୋଲି ସୋମବାର ଘୋଷଣା କରିଛି। କିନ୍ତୁ ତାଲିବାନଙ୍କ ଭୟରେ ଲୋକେ ଆଫଗାନ ଛାଡ଼ି ଅନ୍ୟ ଦେଶରେ ଶରଣ ନେବାକୁ ବାହାରିଛନ୍ତି।

ଏଥିପାଇଁ ଏୟାରପୋର୍ଟରେ ହଜାର ହଜାର ଲୋକ ସୋମବାର ରୁଣ୍ଡ ହୋଇଥିଲେ। ଏହି ସମୟରେ ଠେଲାପେଲାରେ ମଧ୍ୟ ଅନେକ ଲୋକ ପ୍ରାଣ ହରାଇଛନ୍ତି।  ସେହିପରି ଏୟାରପୋର୍ଟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଆମେରିକୀୟ ସେନା ଗୁଳି ଚଳାଇଛନ୍ତି।

ଏପଟେ ଆଫଗାନିସ୍ତାନ ଉପରେ ତାଲିବାନ୍ କବ୍‌ଜା କରିବାର ପ୍ରଭାବ ଆମେରିକା ଉପରେ ପଡ଼ିଛି। ଆମେରିକାରେ ବସବାସ କରୁଥିବା ଆଫଗାନ ନାଗରିକମାନେ ହ୍ଵାଇଟ୍ ହାଉସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଫଗାନର ସ୍ଥିତି ପାଇଁ ଆମେରିକା ଦାୟୀ ବୋଲି କହି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଆଫଗାନ ନାଗରିକମାନେ ନାରାବାଜି ଚଳାଇଛନ୍ତି।

Comment