ଓଡ଼ିଶାଲାଇଭ୍ ବ୍ୟୁରୋ

  • ହକି ହିରୋଙ୍କୁ ସମ୍ଵର୍ଦ୍ଧିତ କଲା ଓଡ଼ିଶା
  • ଓଡ଼ିଶା ଲୋକଙ୍କ ହୃଦୟରେ ହକି ରହିଛି – ରାନୀ ରାମପାଲ୍

ଆହୁରି ୧୦ ବର୍ଷ ଯାଏଁ ଜାତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା। ମଙ୍ଗଳବାର ଭୁବନେଶ୍ଵରରେ ଭାରତୀୟ ହକି ଦଳର ଖେଳାଳିମାନଙ୍କୁ ସମ୍ଵର୍ଦ୍ଧିତ କରିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ୨୦୨୩ ପର୍ଯ୍ୟନ୍ତ ଜାତୀୟ ହକି ଦଳର ପ୍ରାୟୋଜକ ରହିଥିବା ଓଡ଼ିଶା ଆହୁରି ୧୦ ବର୍ଷ ଅର୍ଥାତ୍ ୨୦୩୩ ଯାଏଁ ଉଭୟ ଦଳର ପ୍ରାୟୋଜକ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଉଭୟ ପୁରୁଷ ଏବଂ ମହିଳା ହକି ଦଳ, ଖେଳରେ ଭଲ ପ୍ରଦର୍ଶନ କରି ଭାରତକୁ ଗୌରବାନ୍ଵିତ କରିଛନ୍ତି। ଦୀର୍ଘ ୪୧ ବର୍ଷ ପରେ ହକିରେ ପଦକ ଜିତିଛି ଭାରତ। ଟୋକିଓରେ ଭାରତୀୟ ହକି ତାରକାଙ୍କର ଏହି ଚମତ୍କାର ପ୍ରଦର୍ଶନ ପରେ ଏବେ ଚାରିଆଡୁ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିଲାଗି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଓଡ଼ିଶା ନିମନ୍ତ୍ରଣ କରାଯାଇଥିଲା।ଶଙ୍ଖ ନାଦ ଆଉ ଶିଙ୍ଘ ବାଜାର ତାଳରେ ଭାରତୀୟ ହକି ହିରୋମାନଙ୍କୁ ସ୍ଵାଗତ କରିଥିଲା ଓଡ଼ିଶା। ଅପରାହ୍‌ଣରେ ଉଭୟ ଦଳର ଖେଳାଳିମାନେ ସାମ୍ଵାଦିକ ସମ୍ମିଳନୀରେ ଯୋଗଦେଇ ନିଜ ନିଜର ଅଲିମ୍ପିକ୍ସ ଯାତ୍ରାର କାହାଣୀ ବଖାଣିବା ସହ ହକି ପାଇଁ ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ।“ଓଡ଼ିଶା ଲୋକଙ୍କ ହୃଦୟରେ ହକି ରହିଛି। ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି, ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତି। ଏହା ଭାରତୀୟ ହକିକୁ ଏକ ନୂଆ ପରିଚୟ ଦେଇଛି। ହକିକୁ ଓଡ଼ିଶା ଯେପରି ଭଲପାଇବା ଦେଇଛି ଅନ୍ୟ ରାଜ୍ୟମାନେ ମଧ୍ୟ ସେହିଭଳି ଆଗେଇ ଆସିବା ଦରକାର। ଅନ୍ତର୍ଜାତୀୟ ସ୍ତରରେ ହକି ଆଜି ଯେଉଁ ସଫଳତା ପାଇଛି ତା’ର ସବୁଠୁ ଅଧିକ ଶ୍ରେୟ ଓଡ଼ିଶା ଆଉ ଓଡ଼ିଶାର ଉନ୍ନତ କ୍ରୀଡ଼ା ଭିତ୍ତିଭୂମିକୁ ଯାଉଛି”, କହିଥିଲେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ।ସେହିପରି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳର ବ୍ରୋଞ୍ଚ ବିଜୟର ବଡ଼ ଶ୍ରେୟ ଓଡ଼ିଶାକୁ ଦେଇଛନ୍ତି ଅଧିନାୟକ ମନପ୍ରୀତ୍ ସିଂହ। ଓଡ଼ିଶାର ପ୍ରୋତ୍ସାହନ ଫଳରେ ଦଳ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିବା ସେ କହିଛନ୍ତି।

ସାମ୍ଵାଦିକ ସମ୍ମିଳନୀ ପରେ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳର ଖେଳାଳିମାନଙ୍କୁ ସାକ୍ଷାତ କରି ଫଟୋ ଉଠାଇ ସେମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ହକି ହିରୋମାନଙ୍କୁ ସମ୍ଵର୍ଦ୍ଧିତ କରିବା ପାଇଁ ଲୋକସେବା ଭବନରେ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ହିରୋମାନଙ୍କୁ ଅଲିମ୍ପିକ୍ସ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ୧୩ଟି ସ୍ଵତନ୍ତ୍ର ପୁରସ୍କାରରେ ପୁରସ୍କୃତ କରିଥିଲେ।ସର୍ବାଧିକ ଗୋଲ୍ ସ୍କୋରର ଭାବେ ପୁରୁଷ ଦଳରୁ ଅଧିନାୟକ ମନପ୍ରୀତ୍ ସିଂହ ଏବଂ ମହିଳା ଦଳରୁ ଗୁରଜୀତ୍ କୌର ଏବଂ ବନ୍ଦନା କତାରିଆଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଗୋଲ୍ ରକ୍ଷକ ଭାବେ ପୁରୁଷ ଦଳରୁ ଗୋଲ୍‌କିପର ପି ଆର୍ ଶ୍ରୀଜେଶ୍ ଏବଂ ମହିଳା ଦଳରୁ ଗୋଲ୍‌କିପର ସବିତା ପୁନିଆଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଓଡ଼ିଆ ହକି ଖେଳାଳି ଦୀପ୍ ଗ୍ରେସ୍ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର, ଅମିତ ରୋହିଦାସଙ୍କୁ ଶ୍ରେଷ୍ଠ ମିଡ୍‌ଫିଲ୍ଡର ଭାବେ ପୁରସ୍କୃତ କରାଯାଇଛି। ଏଥିସହ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଅନ୍ୟ ଖେଳାଳିମାନଙ୍କୁ ବିଭିନ୍ନ ପୁରସ୍କାରରେ ପୁରସ୍କୃତ କରିଯାଇଥିବା ବେଳେ ଉଭୟ ଦଳର ଖେଳାଳିମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟ ସରକାର।ସେହିପରି ସମ୍ବର୍ଦ୍ଧନା ଉତ୍ସବରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା କହିଛନ୍ତି, “ହକି ଖେଳାଳିଙ୍କ ଦ୍ୱିତୀୟ ଘର ପାଲଟିଛି ଓଡ଼ିଶା। ହକିର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଭିତ୍ତିଭୂମିକୁ ସୁଦୃଢ କରିବାଠାରୁ ଆରମ୍ଭ କରି ହକିକୁ ଲୋକପ୍ରିୟ କରିବା କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ଅଲିମ୍ପିକ୍ସ ପୂର୍ବରୁ ଓଡ଼ିଶାରେ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି, ଯାହା ଭାରତୀୟ ଟିମକୁ ବଳ ଦେଇଛି। ତେମୁ ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା ସହଯୋଗରେ ଭାରତୀୟ ହକିର ଭାଗ୍ୟ ବଦଳିଛି। ଭାରତୀୟ ହକିକୁ ଏକ ନୂଆ ଜନ୍ମ ଦେଇଛି ଓଡ଼ିଶା।”ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ହକି ପ୍ରମୋଶନ କାଉନସିଲର ଅଧ୍ୟକ୍ଷ ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍ ଭିନିଲ କ୍ରୀଷ୍ଣା ଆଦି ସମ୍ଵର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ।

Comment