ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ତାଲିବାନର ଆଫଗାନିସ୍ତାନ ଦଖଲ
  • ମହିଳା ଓ ଶିଶୁଙ୍କୁ ନେଇ ଚିନ୍ତା
  • ମହିଳାଙ୍କୁ ତାଙ୍କ ଅଧିକାର ଦିଆଯିବ କହିଲେ ତାଲିବାନ ନେତା

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ସେଠାରେ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୁର୍ଦ୍ଦିନରେ କଲବଲ ହେଉଛନ୍ତି ଆଫଗାନବାସୀ। ବିଶେଷକରି ମହିଳା ଓ ସାନପିଲା ବିପଦ ଭିତରକୁ ଠେଲି ହୋଇଯାଇଛନ୍ତି। ତାଲିବାନିମାନେ ପୁଣିଥରେ ବନ୍ଧୁକ ମୁନରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତା ଛଡ଼ାଇ ନେବେ ବୋଲି ଆଶଙ୍କା କରାଯାଉଛି।  ଏମିତିସ୍ଥିତିରେ ଆଫଗାନିସ୍ତାନ ପାଇଁ ସାରାବିଶ୍ୱ ଏବେ ଚିନ୍ତା ପ୍ରକଟ କରିଛି। ଆଫାଗାନିସ୍ତାନରେ ମହିଳାମାନେ ପୁଣି ଥରେ ୨୦ ବର୍ଷ ପଛକୁ ଚାଲିଯିବେ ବୋଲି ଚର୍ଚ୍ଚା ହେଉଛି।

ଦିନେ ଆଫଗାନ ମହିଳା ଫ୍ୟାଶନ କ୍ଷେତ୍ରରେ ଥିଲେ ଆଗରେ

ଆଫଗାନରେ ୧୯୧୯ରେ ମହିଳାଙ୍କୁ ମତଦାନ କରିବାର ଅଧିକାର ମିଳିଥିଲା। ଅର୍ଥାତ ବିଟ୍ରେନରେ ମହିଳାଙ୍କୁ ମତଦାନ କରିବାର ଅଧିକାର ମିଳିବା ଏକ ବର୍ଷ ପରେ ଆଫଗାନ ମହିଳାମାନେ ଭୋଟ ଦେବାକୁ ଅଧିକାର ପାଇଥିଲେ। ୧୯୭୦ ବେଳକୁ ଆଫଗାନରେ ପର୍ଦା ପ୍ରଥାକୁ ହଟାଇ ଦିଆଯାଇଥିଲା। ଏହାସହିତ ଦେଶରେ ଏକ ନୂଆ ସମ୍ବିଧାନ ପ୍ରଣୟନ କରାଯାଇଥିଲା। ଫଳରେ ମହିଳାମାନେ ମଧ୍ୟ ପୁରୁଷଙ୍କ ଭଳି ସମାନ ଅଧିକାର ପାଇଥିଲେ। ପାଠପଢ଼ା, ଚାକିରି, ଫ୍ୟାଶନ କ୍ଷେତରେ ଆଫଗାନର ମହିଳା ଆଗରେ ଥିଲେ। ସେମାନେ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧିବାର ସ୍ୱାଧୀନତା ପାଇଥିଲେ। ମହିଳାଙ୍କର ସେହି ପୁରୁଣା ଫଟୋ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ତାଲିବାନ ଆସିବା ପରେ ବଦଳିଲା ଚିତ୍ର

୧୯୮୩ରେ ଆଫଗାନିସ୍ତାନ ଓ ରୁଷ ମଧ୍ୟରେ ଯୁଦ୍ଧ ହୋଇଥିଲା। ରୁଷ୍ ଆଫଗାନ ଅଧିକାର କରିନେଲା। ଫଳରେ ଦେଶର ଶାସନଭାର ସୋଭିଏତ ସଂଘ ହାତକୁ ଚାଲିଯାଇଥିଲା। ଏହି ସମୟରେ ଆମେରିକା ଓ ରୁଷ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା। ତେଣୁ ଆଫଗାନରେ ରୁଷର ପ୍ରଭାବ ହ୍ରାସ କରିବା ଲାଗି ପାକିସ୍ତାନ ସହାୟତାରେ ଆମେରିକା ମୁଜାହିଦ୍ଦୀନ ସୃଷ୍ଟି କଲା। ସରକାର ଦେଶର ବିକାଶ କରିବାକୁ ଆଧୁନିକୀକରଣକୁ ପ୍ରୋତ୍ସାହିତ କରୁଥିଲା ବେଳେ ମୁଜାହିଦ୍ଦୀନ ଏହାର ବିରୋଧ କଲା।

ଫଳରେ ଆଫଗାନର ମୁଜାହିଦ୍ଦୀନ ଗୋଷ୍ଠୀ ଓ ସରକାରଙ୍କ ଭିତରେ ସଂଘର୍ଷ ଆରମ୍ଭ ହୋଇଗଲା। ତାପରେ ଦେଶରେ ତାଲିବାନ ଜନ୍ମ ନେଲା। ତାଲିବାନିମାନେ ନିଜର କଠୋର ନୀତି ବଳରେ ମହିଳାଙ୍କଠାରୁ ତାଙ୍କ ଅଧିକାର ଛଡ଼େଇ ନେଲେ। ସବୁକ୍ଷେତ୍ରରେ ମହିଳାଙ୍କ ସହିତ ଭେଦଭାବ କରାଗଲା।

ତାଲିବାନ ଦେଶରେ ଝିଅମାନଙ୍କ ପାଠପଢ଼ା ବନ୍ଦ କରି ଦେଲେ। ମହିଳାଙ୍କ ଚାକିରି ଉପରେ ବି ରୋକ ଲାଗିଗଲା। ମହିଳାମାନେ ପୁରୁଷ ସାଥୀଙ୍କ ବିନା ଘରୁ ବାହାରି ପାରିବେ ନାହିଁ ବୋଲି କୁହାଗଲା। ଫଳରେ ମହିଳାମାନଙ୍କ କୌଣସି ସ୍ୱାଧୀନତା ରହିଲା ନାହିଁ।

ଏବେ ପୁଣି ଫେରିବ ସେଇ ଦୁର୍ଦ୍ଦିନ

୨୦୦୧ ବେଳକୁ ଦେଶରେ ତାଲିବାନ କ୍ଷମତା ହ୍ରାସ ପାଇଥିଲା। ତା’ପରେ ମହିଳାଙ୍କ ଜୀବନ ବଦଳିଥିଲା। ମହିଳାମାନେ ପାଠପଢ଼ା ସହିତ ଚାକିରି କରୁଥିଲେ। ରାଜନୀତିରେ ମଧ୍ୟ ପ୍ରବେଶ କରିଥିଲେ।  କିନ୍ତୁ ଏବେ ପୁଣିଥରେ ତାଲିବାନିମାନେ ଦେଶକୁ କବ୍‌ଜା କରିନେଇଛନ୍ତି। ଫଳରେ ପୁଣିଥରେ ମହିଳାମାନେ ସେଇ ୨୦ ବର୍ଷ ତଳର ଅନ୍ଧାରକୁ ଚାଲିଯିବେ ବୋଲି ଆଶଙ୍କା କରାଯାଉଛି।

ତାଲିବାନର ଘୋଷଣା – ଶରିୟା ଆଇନ ଅନୁସାରେ ମହିଳାଙ୍କୁ ଅଧିକାର

ତାଲିବାନର ଆଫଗାନ୍‌ ଦଖଲ ପରେ ତାଲିବାନିନେତା ମଙ୍ଗଳବାର ଦିନ ପ୍ରଥମ କରି କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଥିଲେ,‘‘ମହିଳାମାନେ ଭୟ କରିବାର ଆବଶ୍ୟକତା ନାହିଁ। ଶରିୟା ଆଇନ ଅନୁସାରେ ଆମେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବୁ। ମହିଳାମାନେ ଆମ ସହିତ କାନ୍ଧ ମିଳାଇ କାମ କରିପାରିବେ। ଆମେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ନିଶ୍ଚିତ କରୁଛୁ ଯେ ମହିଳାଙ୍କ ସହିତ କୌଣସି ଭେଦଭାବ ହେବନାହିଁ’’।

ଅନ୍ୟପଟେ କୌଣସି ସ୍ଥିତିରେ ବି ତାଲିବାନର କଥା ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ଅନେକ ମତ ଦେଇଛନ୍ତି।

Comment