ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରର ନନ୍ଦନକାନନ ଥାନା ନିକଟ ଏକ ଫାର୍ମ ହାଉସରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି ନନ୍ଦନକାନନ ପୋଲିସ। ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ହୋଇଥିବାବେଳେ ତାଙ୍କ ବାପା ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଙ୍ଗ କଲେଜରେ ମେକାନିକାଲ ବିଭାଗର ପ୍ରଫେସର ଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ଯୁବତୀଙ୍କ ମୃତ୍ୟୁର କୌଣସି କାରଣ ଜଣାପଡ଼ିନଥିବା ପୋଲିସ ପକ୍ଷରୁ ସୂଚନା ରହିଛି।

ଶୁକ୍ରବାର ଫାର୍ମ ହାଉସର ଜଣେ କର୍ମଚାରୀ ସେଠାରେ ଥିବା ପୋଖରୀରେ ଜଣେ ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ମାଲିକଙ୍କୁ ଜଣାଇଥିଲେ। ମାଲିକ ଜଣଙ୍କ ନିକଟରେ ଥିବା ନନ୍ଦନକାନନ ଥାନାରେ ଖବର ଦେଇଥିଲେ। ଖବର ପାଇବା ପରେ ଉଭୟ ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ତେବେ ଯୁବତୀଙ୍କ ନାମ କାମିନୀ ପ୍ରିୟଦର୍ଶୀନି ବୋଲି ଜଣାପଡ଼ିଛି। ତାଙ୍କ ମା’ଙ୍କ କହିବା ଅନୁସାରେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ନିକଟରେ ପ୍ରକାଶ ପାଇଥିବା ଜେଇଇ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବାରୁ ସେ ମାନସିକ ଚାପରେ ରହୁଥିଲେ।

ଗୁରୁବାର ବିଳମ୍ବିତ ରାତିରେ ଉଭୟ ମା’ ଝିଅ ଏକାଠି ଶୋଇଥିଲେ। କିନ୍ତୁ ରାତି ପ୍ରାୟ ୩ଟା ସମୟରେ ଝିଅକୁ ନପାଇ ଉଭୟ ମା’ ବାପା ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। କିନ୍ତୁ ଶୁକ୍ରବାର ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବାପରେ ବାପା ଅଭିଯୋଗ ଆଣିଛନ୍ତି, ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ। ତାକୁ ହତ୍ୟା କରାଯାଇଛି।ବାପାଙ୍କ କହିବା ଅନୁସାରେ, ଝିଅ ପରୀକ୍ଷାରେ ଭଲ ରେଜଲ୍ଟ କରିନଥିବାରୁ ମାନସିକ ଚାପରେ ରହୁଥିଲା। ଏଥିପାଇଁ ଆମେ ସମସ୍ତେ ତାକୁ ବୁଝାସୁଝା କରିଥିଲୁ। ଅଚାନକ ଏଭଳି ନିଷ୍ପତ୍ତି ନେବ ଆମେ ଭାବିନଥିଲୁ। ସେ ଏଭଳି କାମ କରିଛି ମୋର ବିଶ୍ଵାସ ହେଉନାହିଁ।

ସେ ଆଉ ମଧ୍ୟ କହିଛନ୍ତି, “ଏ ସ୍ଥାନ ସମ୍ପର୍କରେ ମୋ ଝିଅ ଆଗରୁ ଜାଣିନଥିଲା। ଯଦି ସେ ଆତ୍ମହତ୍ୟା କରିବା ପାଇଁ ଭାବିଥିଲା, ତେବେ ଘର ପାଖରେ ମଧ୍ୟ କରିପାରିଥାନ୍ତା। ମୋର ସନ୍ଦେହ ହେଉଛି କୌଣସି ଲୋକ ପ୍ରଲୋଭିତ କରି ତାକୁ ଏଠାକୁ ନେଇ ଆସିଛି।”

ଅନ୍ୟପଟେ ଏବେ ଆଉ ଏକ ପ୍ରସଙ୍ଗ ଉଭୟ ପୋଲିସ ଓ ପରିବାର ସଦସ୍ୟଙ୍କୁ ସନ୍ଦେହରେ ପକାଇଛି। ଯେଉଁଠାରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ସେହି ଫାର୍ମ ହାଉସର ସବୁ ଦିଗରେ ତାଲା ପଡ଼ିଥିଲା ଏବଂ ମୁଖ୍ୟ କଥା ହେଲା ଉକ୍ତ ଫାର୍ମ ହାଉସର ପାଚେରୀର ଉଚ୍ଚତା ୧୦ଫୁଟ ରହିଛି।

ତେବେ ଏତେ ପ୍ରତିବନ୍ଧକ ଭିତରେ ଯୁବତୀ ଜଣଙ୍କ କିପରି ଫାର୍ମ ହାଉସ ଭିତରକୁ ଗଲେ ସେ ନେଇ ତଦନ୍ତ କରୁଛି ନନ୍ଦନକାନନ ପୋଲିସ।

Comment