ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ତାଙ୍କ ବୋହୂ ସାକ୍ଷୀ ମହତାବ ବଧୂ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ସାଂସଦଙ୍କ ମତ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଗୁରୁବାର ଦିନ ସାମ୍ଵାଦିକ ସମ୍ମିଳନୀ କରି ଭର୍ତ୍ତୃହରି ଘଟଣା ବିଷୟରେ କିଛି ଜାଣି ନଥିବା କହିଛନ୍ତି।
ମୁହଁ ଖୋଲିଲେ ଭର୍ତ୍ତୃହରି
ବଧୂ ନିର୍ଯାତନାର ଅଭିଯୋଗ ଆସିବା ପରେ ଏ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଭର୍ତ୍ତୃହରି। ଗୁରୁବାର ଦିନ ସାମ୍ଵାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ନିର୍ଦ୍ଧିଷ୍ଟ ଭାବେ ମୋ ନାଁରେ କ’ଣ ଅଭିଯୋଗ ଆସିଛି ସେ ସଂପର୍କରେ ମୁଁ କିଛି ଜାଣି ନାହିଁ। କିନ୍ତୁ ଏହା ଏକପ୍ରକାର ଯୋଜନାବଦ୍ଧ ବା ଆଫଟର୍ ଥଟ୍ କାର୍ଯ୍ୟ ଅଟେ। ମୋ ପୁଅ ବୋହୂ ୪ ବର୍ଷ ହେଲା ଅଲଗା ରହୁଛନ୍ତି। ଦୁଇ ବର୍ଷ ତଳେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ବି କୋର୍ଟରେ ରୁଜୁ ହୋଇଛି। ଦେଢ଼ ବର୍ଷ ତଳେ ଉଭୟଙ୍କ ମଧ୍ୟରେ କୋର୍ଟରେ ଚାଲିଥିବା ମିଳାମିଶା ଉଦ୍ୟମ ବି ବିଫଳ ହୋଇଛି। ତେଣୁ ବର୍ତ୍ତମାନ ଏଭଳି ଏକ ମାମଲା ରୁଜୁ ହେବାର ଅର୍ଥ କିଛି ନାହିଁ।
ଏହା ମୋ ପୁଅ-ବୋହୂଙ୍କ ବ୍ୟକ୍ତିଗତ ମାମଲା
ସାସଂଦ ଭର୍ତ୍ତୃହରିଙ୍କ ପରିବାର ବିରୋଧରେ ବଧୂ ନିର୍ଯାତନା ପରି ଏକ ସଂଗୀନ ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଅନେକ ଚର୍ଚ୍ଚା ହେଉଥିଲା। ହେଲେ ଏ ପ୍ରସଙ୍ଗରେ ଭର୍ତ୍ତୃହରି କହିଛନ୍ତି, “ଏହା ମୋ ପୁଅ-ବୋହୂଙ୍କ ବ୍ୟକ୍ତିଗତ ଏବଂ ଆମର ପାରିବାରିକ ମାମଲା ଅଟେ। ତେଣୁ ଏହାକୁ ନେଇ ରାଜନୀତିକରଣ ନ କରାଯାଉ।”
ମୋ ଜୀବନ ଏକ ଖୋଲା ବହି
ବଧୂ ନିର୍ଯାତନା ମାମଲାରେ ସାମ୍ଵାଦିକ ସମ୍ମିଳନୀରେ ଭର୍ତ୍ତୃହରି ଆହୁରି କହିଥିଲେ, ବାପା ହିସାବରେ ମୁଁ ଚାହୁଁଥିଲି ପୁଅ-ବୋହୂ ଏକାଠି ରହନ୍ତୁ। କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ପାରିଲା ନାହିଁ। ସେଥିପାଇଁ ଦୁଇ ବର୍ଷ ହେଲା ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର କେସ୍ ଚାଲିଛି।
ନବୀନ ବାବୁ ସବୁ ଜାଣିଛନ୍ତି
ଲୋକରଞ୍ଜନ ଏବଂ ସାକ୍ଷୀଙ୍କ ବିବାହର କିଛି ଦିନ ପରେ ଅଲଗା ରହିବା, କୋର୍ଟରେ ଛାଡ଼ପତ୍ର ମାମଲା ଗଡୁଥିବା ଆଦି ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ଅଛନ୍ତି ବୋଲି ସାଂସଦ ଭର୍ତ୍ତୃହରି ସାମ୍ଵାଦିକ ସମ୍ମିଳନୀରେ କହିଥିଲେ। ନବୀନ ବାବୁ ଲୋକରଞ୍ଜନ-ସାକ୍ଷୀଙ୍କ ନିର୍ବନ୍ଧ ଏବଂ ରିରେପସନ୍ରେ ଉପସ୍ଥିତ ଥିଲେ। ଘରର ସଦସ୍ୟ ଏବଂ ବଡ଼ ଭାଇ ହିସାବରେ ପୁଅ-ବୋହୂଙ୍କ ବିବାହ ପରବର୍ତ୍ତୀ ପରିସ୍ଥିତି ବିଷୟରେ ବି ସେ ସବୁ ଜାଣିଛନ୍ତି ବୋଲି ଭର୍ତ୍ତୃହରି କହିଥିଲେ।
କ’ଣ ଥିଲା ସାକ୍ଷୀ ମହତାବଙ୍କ ଅଭିଯୋଗ?
ସାଂସଦ ଭର୍ତ୍ତୃହରି ମହତାବଙ୍କ ବୋହୂ ସାକ୍ଷୀଙ୍କ ମହତାବ ଅଭିଯୋଗ କରିଥିଲେ ଯେ, ୨୦୧୬ ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ଭର୍ତ୍ତୃହରି ମହତାବଙ୍କ ପୁଅ ଲୋକରଞ୍ଜନ ମହତାବଙ୍କ ସହିତ ତାଙ୍କର ବିବାହ ବେଳେ ସେ ଅଢେଇ କୋଟି ମୂଲ୍ୟର ସାମଗ୍ରୀ ଯୌତୁକ ଆକାରରେ ଆଣିଥିଲେ। କିନ୍ତୁ ବାହାଘରର ୪ ଦିନ ପରେ ଶାଶୂ ମହାଶ୍ଵେତା ମହତାବ ସାକ୍ଷୀଙ୍କ ବାପା-ମା’ଙ୍କୁ ଡାକି ତାଙ୍କୁ ନେଇ ଯିବାକୁ କହିଥିଲେ। ଆହୁରି ଯୌତୁକ ଆଣିବା ପାଇଁ କହି ନିର୍ଯାତନା ଦେଉଥିଲେ। ସ୍ଵାମୀ ଲୋକରଞ୍ଜନ ମଧ୍ୟ ତାଙ୍କ ସହ ଭଲ ସଂପର୍କ ରଖୁ ନଥିଲେ। ଏଥିପାଇଁ ପରବର୍ତ୍ତୀ ସମୟରେ ସାକ୍ଷୀ ଭର୍ତ୍ତୃହରିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ବେଳେ ସେ ମଧ୍ୟ ତାଙ୍କୁ ଅଫିସ ବାହାରେ ଘଣ୍ଟାଏ କାଳ ଅପେକ୍ଷା କରାଇବା ପରେ ଭେଟିଥିଲେ। ହେଲେ କିଛି ସମାଧାନ ହୋଇ ନଥିଲା।
ଏହାପରେ ସାକ୍ଷୀ ବୈବାହିକ ସଂପର୍କ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଥିଲେ। ହେଲେ ବାରମ୍ବାର ଏଥିରେ ବିଫଳ ହେବା ପରେ ସେ ଭୋପାଳ ପରିବାର ଅଦାଲତରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିଲେ। ହେଲେ ଅଦାଲତଙ୍କ ବାରମ୍ବାର ନୋଟିସ ପରେ ବି ଲୋକରଞ୍ଜନ ଅଦାଲତରେ ହାଜର ନ ହେବାରୁ ଅଦାଲତ ୨୦୨୦ ମାର୍ଚ୍ଚ ୫ ତାରିଖରେ ତାଙ୍କ ସପକ୍ଷରେ ଏକପାଖିଆ ରାୟ ଦେଇଥିଲେ। ବିବାହ ସମୟରେ ଦିଆଯାଇଥିବା ସମସ୍ତ ଯୌତୁକ ସାମଗ୍ରୀ ଫେରାଇ ଦେବା ପାଇଁ ପରିବାର ଅଦାଲତ ଲୋକରଞ୍ଜନ ଓ ତାଙ୍କ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସାଂସଦଙ୍କ ପରିବାର ତାଙ୍କୁ କୌଣସି ସାମଗ୍ରୀ ଫେରାଇ ନାହାନ୍ତି। ତେଣୁ ଅଗଷ୍ଟ ୧୭ରେ ଭୋପାଳ ମହିଳା ଥାନାରେ ଭର୍ତ୍ତୃହରିଙ୍କ ପରିବାର ବିରୋଧରେ ବଧୂ ନିର୍ଯାତନାର ଅଭିଯୋଗ କରିଥିଲେ ସାକ୍ଷୀ।

















