ଓଡ଼ିଶାଲାଇଭ୍ ବ୍ୟୁରୋ

ଅଡ଼ୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା। ବିଧାୟକଙ୍କ ପୂରା ପରିବାର ବିରୋଧରେ ଯୌତୁକ ନିର୍ଯାତନା ସହ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି ବେହେରା।

ରୋନାଲିଙ୍କ ଅଭିଯୋଗ ଆଧାରରେ ବାଙ୍କି ଥାନା ପୋଲିସ ବିଧାୟକଙ୍କ ପରିବାରର ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏପଟେ ବୋହୂର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶିଭୂଷଣ ବେହେରା। ସେ କହିଛନ୍ତି, ରୋନାଲି ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ଯୌତୁକ ବାବଦକୁ ସେ ଟଙ୍କାଟିଏ ବି ନେଇ ନାହାନ୍ତି। ରୀତି ଅନୁସାରେ କେବଳ ଖଣ୍ଡିଏ ବେଡସିଟ୍ ସାଙ୍ଗରେ ଧରି ଆସିବାକୁ ବିବାହ ସମୟରେ ସେ ରୋନାଲିଙ୍କ ବାପାଙ୍କୁ କହିଥିଲେ। ଯୌତୁକ ତ ଦୂର କଥା ସେ ଚେୟାର ଟେବୁଲ ଖଣ୍ଡେ ବି ମୋ ଘରକୁ ଆଣିକି ଆସିନି ବୋଲି ବୁଧବାର ଦିନ ବିଭିନ୍ନ ଗଣମାଧ୍ୟମକୁ କହିଛନ୍ତି ଶଶିଭୂଷଣ ବେହେରା। ସେ କହିଛନ୍ତି ରୋନାଲିଙ୍କ ଅଭିଯୋଗ ତାଙ୍କୁ ଦୁଃଖିତ ଓ ମର୍ମାହତ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରୋନାଲି ବିବାହ ପରେ ମାତ୍ର ଏକ ମାସ ୧୧ ଦିନ ତାଙ୍କ ଘରେ ରହିଥିଲେ। ଦୁଇ ବର୍ଷ ପୂର୍ବରୁ ତାଙ୍କ ବାପା ଏବଂ ଭାଇ ଆସି ତାଙ୍କୁ ଘରକୁ ନେଇଯାଇଥିଲେ। ଦୁଇ ବର୍ଷ ପରେ କାହିଁକି ରୋନାଲି ଏଭଳି ପଦକ୍ଷେପ ନେଲେ ବୁଝି ପାରୁନଥିବା ବିଧାୟକ କହିଛନ୍ତି।

ଟଙ୍କା ଓ ସୁନା ଆଣିବାକୁ ଚାପ ପକାଉଥିଲେ ଶଶୁରଘର ଲୋକ: ରୋନାଲି

ଶଶୁରଘର ଲୋକ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଇବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ମଙ୍ଗଳବାର ଦିନ ବାଙ୍କି ଥାନାରେ ଅଭିଯୋଗ କରିଥିଲେ ରୋନାଲି ବେହେରା। ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଧୁମଧାମର ସହ ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କୁ ବିବାହ କରିଥିଲେ ସୋନାଲି। ତାରକା ହୋଟେଲରେ ବିବାହର ଆୟୋଜନ କରିବାକୁ ଶଶୁରଘର ଲୋକ ଚାପ ପକାଇଥିବା ରୋନାଲି ଅଭିଯୋଗ ମଧ୍ୟ କରିଛନ୍ତି। ସେ କହିଛନ୍ତି, ବିବାହ ପୂର୍ବରୁ କାଠ ସାମାନ ନଆଣି ତା’ ବାବଦକୁ ଟଙ୍କା ଦେବାକୁ କୁହାଯାଇଥିଲା।

ବିବାହର ମାତ୍ର ୧୦/୧୨ ଦିନ ପରେ ତାଙ୍କୁ ବାପାଙ୍କ ଘରୁ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଯାଇଥିଲା। ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ରୋନାଲି।

କେବଳ ସେତିକି ନୁହେଁ ସ୍ଵାମୀ ତସ୍ୟପ୍ରକାଶଙ୍କ ବିରୋଧରେ ସଂଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ରୋନାଲି। ସେ କହିଛନ୍ତି ତାଙ୍କ ସ୍ଵାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି। ସେ ଅଧରାତି ପର୍ଯ୍ୟନ୍ତ ତାଙ୍କ ସହ କଥା ହେବା ସହ ରୋନାଲିଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିବା ସେ ଶୁଣିଛନ୍ତି। ଯାହାର ରେକର୍ଡିଂ ରୋନାଲିଙ୍କ ପାଖରେ ଥିବା ସେ କହିଛନ୍ତି। ଏ ସମ୍ପର୍କରେ ଶଶୁରଘର ଲୋକଙ୍କୁ କହିବା ପରେ ସେମାନେ ଓଲଟା ନିର୍ଯାତନା ଦେଇଥିଲେ ବୋଲି ସୋନାଲି ଅଭିଯୋଗରେ ଦର୍ଶାଇଛନ୍ତି।

ମୋ ଝିଅ ଜୀବନ ପ୍ରତି ବିପଦ ରହିଛି: ଗୋଖା ବେହେରା

ଏପଟେ ଝିଅ ରୋନାଲିଙ୍କ ଜୀବନ ପ୍ରତି ବିପଦ ରହିଥିବା କହିଛନ୍ତି ରୋନାଲିଙ୍କ ବାପା ଗୋଖା ବେହେରା। ତଥାପି ଉଭୟ ଝିଅ ଜ୍ଵାଇଁ ଏକାଠି ହୁଅନ୍ତୁ ବୋଲି ସେ ଚାହୁଁଥିବା କହିଛନ୍ତି। ସେ କହିଛନ୍ତି ଏଥିପାଇଁ ଜ୍ଵାଇଁଙ୍କ ପରିବାର ଲୋକ ଆଗେଇ ଆସିବା ସହ ଝିଅକୁ ନିର୍ଯାତନା ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ଦରକାର। ନଚେତ୍ କୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ ବୋଲି ରୋନାଲିଙ୍କ ବାପା କହିଛନ୍ତି।

Tags: #Politician #DowryHarassment #Assaulting #RonaliBehera #SashibhusanBehera #PoliceComplaint

Comment