ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନ ପରିଷଦ ଗଠନକୁ ନେଇ ଯେଉଁ ଉଠାପକା ରାଜନୀତି ଚାଲିଛି ତାହା ୨୦୨୦ରେ ସଫଳ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର୍।

ଓଡ଼ିଶା ବିଧାନ ପରିଷଦ ଗଠନ ହେବ। ଏଥିରେ ନେତାମାନେ ଥଇଥାନ ହେବେ। ଏମିତି ଏକ ଚର୍ଚ୍ଚା ଗତ ୨୦୧୪ ନିର୍ବାଚନ ପୂର୍ବରୁ ହୋଇ ଆସୁଛି। ୨୦୧୪ ଯାଇ ୨୦୧୯ ନିର୍ବାଚନ ଶେଷ ହେଲାଣି, ହେଲେ ଓଡ଼ିଶା ବିଧାନ ପରିଷଦ ବାସ୍ତବ ରୂପ ନେଇ ପାରିଲା ନାହିଁ। ଶେଷରେ ପୁଣି ଏବେ ବିଧାନ ପରିଷଦ ପ୍ରସଙ୍ଗ ଉଠିଛି।

୨୦୧୪ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ କରି ନେତାଙ୍କୁ ଥଇଥାନ କରିବାକୁ ବିଜେଡି ଚାହୁଁଛି। ଏଣୁ ଆଗାମୀ ବଜେଟ୍‌ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ କେମିତି ସଂସଦରେ ଆଗତ ହେବ ସେନେଇ ବିଜେଡି ସାଂସଦମାନେ ରଣନୀତି ପ୍ରସ୍ତୁତ କରିଛନ୍ତି।

୩୧ ତାରିଖରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ୧ ତାରିଖରେ ଆଗତ ହେବ ବଜେଟ୍‌। ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ଯେମିତି ବିଧାନ ପରିଷଦ ବିଲ୍‌ ପାସ୍‌ ହେବ ସେଥିପାଇଁ ନବୀନ ନିବାସରେ ବସିଥିବା ସଂସଦୀୟ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି।

ଗତ ଶୀତ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ ପାସ୍‌ କରାଇବାକୁ ବିଜେଡି ଚାହୁଁଥିଲା। ଯେଉଁଦିନ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ବିଜେଡି ସମର୍ଥନ ଘୋଷଣା କଲା ସେହିଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଜେଡି ସାଂସଦମାନେ ଭେଟିଥିଲେ। ବିଧାନ ପରିଷଦ ବିଲ୍‌ ପାସ୍‌ ହେବା ସମ୍ପର୍କରେ ଆଲୋଚନା କରିଥିଲେ। ଏଣୁ ଆଗାମୀ ବଜେଟ୍‌ ଅଧିବେଶନରେ ଏହି ବିଲ୍‌ ପାସ୍‌ କରି ଓଡ଼ିଶା ରାଜନୀତିକୁ ସରଗରମ କରିବାକୁ ବିଜେଡି ଗେମ୍‌ ପ୍ଲାନ୍‌ ପ୍ରସ୍ତୁତ କରୁଥିବା କୁହାଯାଉଛି।

୨୦୧୪ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଗଠନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୧୪ ନିର୍ବାଚନରେ ଯେଉଁ ନେତାମାନେ ଟିକେଟ ପାଇ ନଥିଲେ ଏବଂ ଯେଉଁମାନେ ପରାଜିତ ହୋଇଥିଲେ ସେମାନଙ୍କୁ ଥଇଥାନ କରିବାକୁ ବିଧାନ ପରିଷଦ ଗଠନ ଉପରେ ଜୋର୍‌ ଦିଆଯାଇଥିଲା।

ହେଲେ ୨୦୧୪-୨୦୧୯ ଯାଏଁ ପ୍ରଥମ ପାଳିର ମୋଦୀ ସରକାରଙ୍କ ସହ ବିଜେଡିର ତାଳମେଳ ରହି ନଥିଲା। ବିଜେପି-ବିଜେଡି ଭିତରେ ସବୁ ପ୍ରସଙ୍ଗରେ କଥା କଟାକଟି ଚାଲିଥିଲା। ଫଳରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ ପ୍ରସଙ୍ଗ ସଂସଦରେ ଉଠି ନଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ବିଧାନ ପରିଷଦକୁ ନେଇ ରାଜନୀତି ପାଣିପାଗ ପୁଣି ସରଗରମ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଏହି ବିଲ୍‌ ଆଗତ ପାଇଁ ଜୋରଦାର ଉଦ୍ୟମ କରିଥିଲା। ଏଥିପାଇଁ ଯାହା ଯାହା ଦରକାର ତାହା ବିଜେଡି ପକ୍ଷରୁ କରାଯାଇଥିଲା।

୨୦୧୮ ଅଗଷ୍ଟ ମାସରେ ଓଡ଼ିଶା ବିଧାନ ପରିଷଦର ରୂପରେଖ କେମିତି ହେବ ସେନେଇ ଏକ କମିଟି ଗଠନ କରିଥିଲେ ରାଜ୍ୟ ସରକାର। ତତ୍କାଳୀନ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା।

ଏହି କମିଟି ତେଲେଙ୍ଗାନା ଓ ବିହାରର ବିଧାନ ପରିଷଦ ଢାଞ୍ଚାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ୭ ପୃଷ୍ଠିଆ ରିପୋର୍ଟ ଦେଇଥିଲେ। ପରେ ବିଧାନ ପରିଷଦ ବିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଥିଲା।

ଏହାର ଦୁଇ ମାସ ପରେ ଅର୍ଥାତ୍‌ ୨୦୧୮ ସେପ୍ଟେମ୍ବର ୬ରେ ଓଡ଼ିଶା ବିଧାନସଭାରେ ବିଧାନ ପରିଷଦ ପାଇଁ ସଙ୍କଳ୍ପ ପ୍ରସ୍ତାବ ପାସ୍‌ ହୋଇଥିଲା। ସପକ୍ଷରେ ୧୦୪ ଭୋଟ ପଡ଼ିଥିଲା।

ଓଡ଼ିଶା ବିଧାନ ପରିଷଦରେ କେତେଜଣ ସଭ୍ୟ ରହିବେ ସେନେଇ ମଧ୍ୟ ରୂପରେଖ ପ୍ରସ୍ତୁତ ହୋଇଥିଲା।

ବିଧାନ ପରିଷଦରେ ୪୯ ଜଣ ସଭ୍ୟ ରହିବେ। ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିପାରିବେ। ୧୬ ଜଣ ସଭ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ।

୧୬ ଜଣ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସିପାଲିଟି ଦ୍ୱାରା ନିର୍ବାଚିତ ହେବେ। ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ। ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ। ବାକି ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ ବୋଲି ସେତେବେଳେ ରୂପରେଖ ପ୍ରସ୍ତୁତ କରାଯାଇଥିଲା।

ଓଡ଼ିଶା ବିଧାନସଭାରେ ସଙ୍କଳ୍ପ ପାସ୍‌ ହେବା ପରେ ସଂସଦରେ ଏନେଇ ଏକ ବିଲ୍‌ ଆଗତ ହୋଇଥିଲେ ତାହା କାର୍ଯ୍ୟକାରୀ ହୋଇଥାନ୍ତା। ହେଲେ ବିଜେଡି ଓ ବିଜେପି ଭିତରେ ସେତେବେଳେ ସମନ୍ୱୟ ଅଭାବ ଥିବାରୁ ସଂସଦରେ ବିଲ୍‌ ପାସ୍‌ ହୋଇପାରି ନଥିଲା।

୨୦୧୯ ନିର୍ବାଚନରେ ବିଜେଡି ଓ ବିଜେପିର ସମ୍ପର୍କ ବଦଳିଛି। ବିଜେଡି ଏବେ କେନ୍ଦ୍ର ଆଣୁଥିବା ବିଲ୍‌କୁ ସମର୍ଥନ ଦେଇ ଚାଲିଛି। ଏପଟେ ମୋଦୀ ମଧ୍ୟ ବିଜେଡିକୁ ପ୍ରଶଂସା କରୁଛନ୍ତି। ଉଭୟ ଦଳ ଭିତରେ ଏବେ ଯେଉଁ ସମ୍ପର୍କ ତିଆରି ହୋଇଛି ତାକୁ ହାତଛଡ଼ା କରିବାକୁ ଚାହୁଁନି ବିଜେଡି। ଏହି ସୁଯୋଗରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ ସଂସଦରେ ପାସ୍‌ କରାଇ ନେତାଙ୍କୁ ଥଇଥାନ କରି ବିରୋଧୀଙ୍କୁ ଚେକ୍‌ ଦେବାକୁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡି ଯେଉଁ ବସରତ ଆରମ୍ଭ କରିଛି ତାହା କେତେଦୂର ବାସ୍ତବା ରୂପ ନେଉଛି ତାହା ଆଗାମୀ ବଜେଟ୍‌ ଅଧିବେଶନ ବେଳେ ହିଁ ଜଣାପଡ଼ିବ।

Comment