ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ଓ ବିଜେପି ମଧ୍ୟରେ ଦୂରତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଓ ଉଭୟ ଦଳ ପରସ୍ପରକୁ ଏକ ବୋଲି ଧରି ନେଇଥିବା ବେଳେ ଗତ ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ବିଲକୁ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲୋକସଭାରେ ତାଙ୍କର ଆପତ୍ତି ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ତଃ-ରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଏହି ତଟକା ବିଲଟି ଆଗତ କରଯାଇଥିଲା। ଭର୍ତ୍ତୃହରିଙ୍କ ଅଭିଯୋଗ ଥିଲା ଯେ ସମ୍ପୃକ୍ତ ରାଜ୍ୟମାନଙ୍କ ବିନା ପରାମର୍ଶରେ ଏହି ବିଲଟିକୁ ଗୃହରେ ଉପସ୍ଥାପନା କରାଯାଇଛି।

ନୂଆ ଓ ପୁରୁଣା

ପ୍ରସ୍ତାବିତ ବିଲଟି ବହୁ ପୁରୁଣା ଓ ଅତି ପରିଚିତ ୧୯୫୬ ନଦୀ ଜଳ ବିବାଦ ଆଇନକୁ ସିଧାସଳଖ ବଦଳାଇବ। ନୂଆ ବିଲରେ ପ୍ରସ୍ତାବ ରହିଛି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ନଦୀ ଜଳକୁ ନେଇ ଯେଉଁ ବିବାଦ ଦେଖାଯାଉଛି ତାହାର ସମାଧାନ ପାଇଁ ଏକ ସ୍ଥାୟୀ ଟ୍ରିବୁନାଲ ଗଠନ କରାଯିବ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ବିଭିନ୍ନ ରାଜ୍ୟର ବିବାଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଟ୍ରିବୁନାଲ ଗଠିତ ହୋଇଥାଏ।

ମହତାବ ଅବଶ୍ୟ ଏହି ବିଲର ଉଦ୍ଦେଶ୍ୟକୁ ପ୍ରଶ୍ନ କରିଥିଲେ। ତାଙ୍କର କହିବାର କଥା ଥିଲା ଯେ ଜଳ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବା କାରଣରୁ ବିଲଟି ଆଗତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ଦରକାର ଥିଲା। ଜଳ ଶକ୍ତି ମନ୍ତ୍ରାଳୟ ବିଭାଗର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ତାଙ୍କ ସ୍ପଷ୍ଟିକରଣରେ ଅବଶ୍ୟ କହିଲେ ଯେ ରାଜ୍ୟ ସରକାରଙ୍କ ସହ ଏ ନେଇ ପରାମର୍ଶ ହୋଇଥିଲା। କିନ୍ତୁ ବିଲରେ ସେ କଥା ଉଲ୍ଲେଖ ନାହିଁ।

ଗୃହୀତ ହେବା ନିଶ୍ଚିତ

ମହତାବଙ୍କ ବ୍ୟତୀତ ତୃଣମୂଳ ଦଳର ସାଂସଦ ମଧ୍ୟ ଏହି ନୂଆ ବିଲକୁ ବିରୋଧ କରିଥିଲେ। ତେବେ ଯାହା ଦେଖାଯାଉଛି ଲୋକସଭାରେ ସଂଖ୍ୟା ଦୃଷ୍ଟିରୁ ସବୁ ବିଲ ଭଳି ଏହି ବିଲ ମଧ୍ୟ ଗୃହୀତ ହେବା ନିଶ୍ଚିତ। ଯଦି ତାହା ହୁଏ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏହି ବିଲଟି ଶେଷରେ ଅନୁମୋଦନ ଲାଭ କରେ, ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ଯେଉଁ ଟ୍ରିବୁନାଲ ଗଠନ ହୋଇଛି ସେଇଟି ସ୍ଥାୟୀ ଟ୍ରିବୁନାଲ ଅଧିନକୁ ଆସିଯିବ।

ବର୍ତ୍ତମାନ ଦେଖିବା କଥା ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ  ବିବାଦ ସୃଷ୍ଟି ହୋଇଛି ତାହାର ଫଳ କ’ଣ ହେବ ଓ ଓଡ଼ିଶା କେତେ ଶୀଘ୍ର ତା’ର ନ୍ୟାୟଗତ ଦାବିକୁ ହାସଲ କରିପାରିବ। ବିଗତ ୫ ବର୍ଷ ଧରି ଏ ନେଇ ଅନେକ ଜଳ ମହାନଦୀରେ ବହି ଗଲାଣି ଓ ଇତି ମଧ୍ୟରେ ଛତିଶଗଡ଼ରେ ସରକାର ମଧ୍ୟ ବଦଳିଗଲାଣି।

ଶୁଣାଣି କେବେ

ମନେ ପକାଇ ଦିଆଯାଇ ପାରେ ଯେ ଗତ ବର୍ଷ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବୁନାଲ ଗଠନ ହୋଇଥିଲା। ହେଲେ ଏଯାଏଁ ଏହି ଟ୍ରିବୁନାଲ ମୁଖ୍ୟ ଅଭିଯୋଗର ଶୁଣାଣି ବି  ଆରମ୍ଭ କରି ନାହିଁ। ଅବଶ୍ୟ ଉଭୟ ରାଜ୍ୟ ସରକାରଙ୍କ ସହ ଓଡ଼ିଶାର ମଧ୍ୟବର୍ତ୍ତୀ ଆବେଦନକୁ ନେଇ କେତୋଟି ଶୁଣାଣି କରାଯାଇଛି। ମଧ୍ୟବର୍ତ୍ତୀ ଆବେଦନରେ ଓଡ଼ିଶା ପକ୍ଷରୁ ଅଧିକ ବନ୍ଧ ନିର୍ମାଣ ନକରିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ସକାଶେ ଅନୁରୋଧ କରାଯାଇଛି, ଯଦିଓ ସେଠାକାର କଂଗ୍ରେସ ସରକାର ତାଙ୍କ କାମରେ ଲାଗିଥିବା କୁହାଯାଉଛି।

Comment