ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ ଜିଲ୍ଲାରେ ‘ନିଆରା ରାକ୍ଷୀର ସମ୍ଭାର’
  • ବାଉଁଶ ଓ ମାଟିରେ ଏସ୍‌ଏଚ୍‌ଜି ମହିଳା କରୁଛନ୍ତି ରାକ୍ଷୀ
  • ରାକ୍ଷୀ ସାଙ୍ଗକୁ ଲୋକଙ୍କୁ ଆକର୍ଷିତ କରୁଛି ଘରସଜ୍ଜା ଉପକରଣ
  • ଅଗଷ୍ଟ ୨୨ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା

ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରକୁ ଆସେ ଭଳି କି ଭଳି ରାକ୍ଷୀ। କିଏ ଧାନରେ ତିଆରି ରାକ୍ଷୀ କିଣନ୍ତି ତ ଆଉ କିଏ ପ୍ଲାଷ୍ଟିକରେ ତିଆରି ରାକ୍ଷୀ କିଣି ଭାଇ ହାତରେ ବାନ୍ଧି ଥାଆନ୍ତି। ଏଥର କିନ୍ତୁ ବଜାରକୁ ଆସିଛି ବାଉଁଶ ଓ ମାଟିରେ ତିଆରି ରାକ୍ଷୀ। ସୁନ୍ଦରଗଡ଼ ଜିଲ୍ଲା ଡିଆରଡିଏ ଛକ ନିକଟରେ ଓରମାସ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନର ମିଳିତ ସହଯୋଗରେ ଏଭଳି ନିଆରା ରାକ୍ଷୀ ଷ୍ଟଲ କରାଯାଇଛି। ଏହି ଷ୍ଟଲ୍‌ରେ ମାଟି ଓ ବାଉଁଶ ତିଆରି ରାକ୍ଷୀ ମିଳିବା ସହିତ ଆକର୍ଷଣୀୟ ଘରସଜ୍ଜା ଉପକରଣ ମଧ୍ୟ ମିଳୁଛି। ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକର ଦୁଇଟି ଉତ୍ପାଦକ ଗୋଷ୍ଠୀ ଏହି ସମସ୍ତ ଜିନିଷ ତିଆରି କରୁଛନ୍ତି।

‘‘ଚଳିତ ବର୍ଷ ପ୍ରଥମ ଥର ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ନିଆରା ରାକ୍ଷୀ ଷ୍ଟଲ୍‌ କରାଯାଇଛି। ଏହି ଷ୍ଟଲ୍‌ ଲୋକଙ୍କୁ ଆକର୍ଷିତ କରୁଛି। ଏହାଦ୍ୱାରା ଏସ୍‌ଏଚ୍‌ଜି ମହିଳାମାନେ ଦୁଇ ପଇସା ରୋଜାଗାର କରିପାରୁଛନ୍ତି’’, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

‘‘ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରକୁ ବିଭିନ୍ନ ପ୍ରକାର ରାକ୍ଷୀ ଆସେ। ରାକ୍ଷୀ ପୂର୍ଣ୍ଣିମା ପରେ ସେହି ରାକ୍ଷୀକୁ ଅନେକ ବାହାରେ ଫିଙ୍ଗି ଦିଅନ୍ତି, ଯାହା ପରିବେଶ ଉପରେ ପ୍ରଭାବ ପକାଇଥାଏ। କିନ୍ତୁ ବାଉଁଶ ଓ ମାଟିରେ ତିଆରି ରାକ୍ଷୀ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ରାକ୍ଷୀ। ଲୋକଙ୍କୁ ଇକୋ ଫ୍ରେଣ୍ଡଲି ରାକ୍ଷୀ ଯୋଗାଇ ଦେବା ପାଇଁ ସୁନ୍ଦରଗଡ଼ରେ ଏଭଳି ଷ୍ଟଲ କରାଯାଇଛି ’’ କହିଛନ୍ତି ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟପ୍ପୋ।

‘‘ପ୍ରଥମେ ଆମେ ବାଉଁଶ କାଟି ଆଣି ତାକୁ ସଫା କରୁଛୁ। ତା’ପରେ ତାକୁ କାଟି ଦେଉଛୁ।  ସେଇ ବାଉଁଶରେ ଆମେ ବିଭିନ୍ନ ପ୍ରକାର ରାକ୍ଷୀ ଓ ଅନ୍ୟ ଘରସଜ୍ଜା ଉପକରଣ ତିଆରି କରୁଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ମା’ ଗଙ୍ଗା ଏସ୍‌ଏଚ୍‌ଜିର ଜଣେ ସଦସ୍ୟ ବିଳାସ ମାଝି।

ଗତ ଅଗଷ୍ଟ ୧୩ ତାରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଏହି ଷ୍ଟଲ୍‌ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟପ୍ପୋ ମଧ୍ୟ ଉପସ୍ଥିତ ଥିଲେ।

Comment