ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ଆରମ୍ଭ ହେଲା ସ୍ୱାସ୍ଥ୍ୟ ସେବାର ନୂଆ ଯାତ୍ରା
  • ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

‘‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ।  ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ’’, ମାଲକାନଗିରି ଗସ୍ତ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଶୁକ୍ରବାର ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡର ବଣ୍ଟନ କରିଛନ୍ତି। ଜିଲ୍ଲା ସଂସ୍କୃତି ଭବନଠାରେ ପ୍ରଥମ ପର୍ଯ୍ୟାୟରେ ୧୫୦ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇଛନ୍ତି।

“୨୦୧୮ ମସିହାରେ ମାଲକାନଗିରି ପାଇଁ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଚାଲିଥିଲା। ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ସେ ସଭାରେ ଝିଅଟିଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା’ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା। ଝିଅଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ। ଝିଅଟି ଥିଲା ମାଲକାନଗିରିର ମମତା ପଡିଆମୀ। ତାଙ୍କ ପ୍ରସ୍ତାବଟି ମୋତେ ବହୁତ ଭଲ ଲାଗିଥିଲା ଏବଂ ମୁଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ସେପ୍ଟେମ୍ବର ପହିଲାରୁ ସାରା ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବ। ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ। ରାଜ୍ୟର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହି ନୂଆ ବ୍ୟବସ୍ଥାରେ ହସ୍‌ପିଟାଲରେ କିଛି କାଗଜ ପତ୍ର ଦେବା ଦରକାର ହେବ ନାହିଁ ବୋଲି ମୁର୍ଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା’ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ସାଂସଦ ରମେଶ ମାଝି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here