ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାୟଗଡ଼ାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ
  • ହୀରାଖଣ୍ଡ ଏକ୍ସପ୍ରେସରେ ଭୁବନେଶ୍ଵରରୁ-ରାୟଗଡ଼ା ଯାତ୍ରା
  • ଟ୍ରେନ ଯାତ୍ରୀଙ୍କଠାରୁ ମତାମତ ନେଲେ ମନ୍ତ୍ରୀ
  • ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ
  • ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ ସାମିଲ
  • ଗୁରୁବାର କରିଥିଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ
  • ପୁରୀରୁ ବନ୍ଦେ ଭାରତ ଟ୍ରେନ ଗଡ଼ିବା ନେଇ ଘୋଷଣା

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ରାୟଗଡ଼ା ଗସ୍ତରେ ଯାଇଛନ୍ତି। ସେ ଭୁବନେଶ୍ଵରରୁ-ରାୟଗଡ଼ା ହୀରାଖଣ୍ଡ ଟ୍ରେନ ଯୋଗେ ଯାତ୍ରା କରିଥିଲେ। ସେହି ସମୟରେ ସେ ଟ୍ରେନର ସାଧାରଣ ବଗିରେ ଚଢ଼ି ଲୋକଙ୍କ ପାଖରେ ବସି କଥାବାର୍ତ୍ତା ହୋଇଥିଲେ। ମୁଖ୍ୟତଃ ଟ୍ରେନର ସ୍ଵଚ୍ଛତା, ପରିମଳ ବ୍ୟବସ୍ଥା ଓ ପାନୀୟ ଜଳର ସୁବିଧା ସମ୍ପର୍କରେ ଲୋକମାନଙ୍କ ମତାମତ ନେଇଥିଲେ।

ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ। ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ପୁରୀ ଯାତ୍ରା କରିଥିଲେ। ସେଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାପରେ ଶୁକ୍ରବାର ରାୟଗଡ଼ା ଯାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।ରାୟଗଡ଼ା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ

ଶୁକ୍ରବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ହୀରାଖଣ୍ଡ ଟ୍ରେନ ଯୋଗେ ସେ ରାୟଗଡ଼ା ଯାତ୍ରା କରିଥିଲେ। ଟ୍ରେନରେ ଯିବା ସମୟରେ ସେ ଯାତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଟ୍ରେନ ଯାତ୍ରା ସମ୍ପର୍କରେ ସେମାନଙ୍କ ମତାମତ ନେଇଥିଲେ।

ଟ୍ରେନରେ କେଉଁ ଭଳି ଭାବେ ସୁବିଧା ଯୋଗାଇ ଦିଆଯାଉଛି, ପିଇବା ପାଣିର ବ୍ୟବସ୍ଥା, ଶୌଚ୍ଚାଳୟର ବ୍ୟବସ୍ଥା, ଟ୍ରେନ ଭିତରେ ସଫେଇ କାର୍ଯ୍ୟ ହେଉଛି କି ନାହିଁ ଏଭଳି ଅନେକ କିଛି ପ୍ରସଙ୍ଗରେ ଯାତ୍ରୀମାନଙ୍କ ମତାମତ ନେଇଥିଲେ ମନ୍ତ୍ରୀ।

ଶୁକ୍ରବାର ସକାଳ ୮ଟା ସମୟରେ ମନ୍ତ୍ରୀ ରାୟଗଡ଼ା ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ମାତ୍ରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯିବା ସହ ଏକ ଦଳୀୟ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଏହାପରେ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କୁ ଦର୍ଶନ କରିଥିଲେ ମନ୍ତ୍ରୀ।

ଏସବୁ କାର୍ଯ୍ୟକ୍ରମ ସରିବାପରେ ସେ ବିଜେପି ପକ୍ଷରୁ ଆୟୋଜିତ ଜନ ଆଶୀର୍ବାଦ ରାଲିରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କର ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ରାୟଗଡ଼ା ଜିଲ୍ଲାରେ ନୂତନ ରେଳଡିଭିଜନ କାର୍ଯ୍ୟ ତ୍ଵରାନ୍ଵିତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ୨୦୦୫ ମସିହାରୁ ଅଟକି ରହିଥିବା ଗୁଣୁପୁର ଓ ସେରୋବାଲି ରେଳପଥ କାର୍ଯ୍ୟ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଆଲୋଚନା କରିପାରନ୍ତି।

ଅନ୍ୟପଟେ ତୃଣମୂଳ ସ୍ତରରେ କିପରି ସଙ୍ଗଠନକୁ ଆହୁରି ମଜବୁତ କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ।ପୁରୀରୁ ଗଡ଼ିବ ବନ୍ଦେ ଭାରତ ଟ୍ରେନ

ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ଉଭୟ ପ୍ରଥମେ ପୁରୀ ଗସ୍ତରେ ଯାଇଥିଲେ। ପୁରୀ ଯିବା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରୀମନ୍ଦିର ବାହାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ପ୍ରମୁଖ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିଥିଲେ। ସେହି ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ରେଳ ସମ୍ପର୍କୀତ ଏକ ସୂଚନା ଦେଇଥିଲେ।

ସେ କହିଥିଲେ, “ଦେଶରେ ମୋଟ ୭୫ଟି ବନ୍ଦେ ଭାରତ ଟ୍ରେନ ଗଡ଼ିବାକୁ ଯାଉଛି। ସେହି ଭିତରୁ ଗୋଟିଏ ଟ୍ରେନ ପୁରୀକୁ ଗଡ଼ିବାର ବ୍ୟବସ୍ଥା ରହିଛି। ଏଥିସହ ପୁରୀ ଓ କୋଣାର୍କ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏହି ଦୁଇ ସହର ମଧ୍ୟରେ ରେଳ ଲାଇନ ନିର୍ମାଣ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବେ।”

ଏହାପରେ ଉଭୟ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ଵର ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ।ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ ସାମିଲ ହେଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ରେ ଯୋଗ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ। ଏହି ଯାତ୍ରା ଓଡ଼ିଶାରେ ୧୪୨ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଅଗଷ୍ଟ ୧୯ତାରିଖଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡା, କରୋପୁଟ, ଜୟପୁର, ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଏବଂ ବଲାଙ୍ଗିର ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବାର ବ୍ୟବସ୍ଥା ରହିଛି।

Comment