ଅଭିପ୍‌ସା ବରାଳ

ଗଳ୍ପ ସଙ୍କଳନ ‘ସମୁଦ୍ରକୂଳ ଘର’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର। ଏହି ଅବସରରେ ଲେଖିକାଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ଵତନ୍ତ୍ର ସାକ୍ଷାତକାର।

କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର – ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଗଳ୍ପ ଓ ଉପନ୍ୟାସ ରଚନା କ୍ଷେତ୍ରରେ ସେ ନିଜର ଏକ ବିଶେଷ ପରିଚିତି ହାସଲ କରିଛନ୍ତି। ପ୍ରଖ୍ୟାତ ଲେଖକ ଭୁବନେଶ୍ଵର ବେହେରାଙ୍କର ସୁପୁତ୍ରୀ ହେଲେ ଯଶୋଧାରା ମିଶ୍ର। ବାପାଙ୍କ ଭଳି ଝିଅ ମଧ୍ୟ ଅନେକ କ୍ଷୁଦ୍ର ଗଳ୍ପ, କବିତା ଆଦି ରଚନା କରିଛନ୍ତି। ମଧ୍ୟପ୍ରଦେଶରେ ଅଧ୍ୟାପନା କରୁଥିବା ଲେଖିକା ଅବସର ନେବାପରେ ଦିଲ୍ଲୀସ୍ଥିତ ବାସଭବନରେ ରହି ସାହିତ୍ୟ ସାଧନା କରୁଛନ୍ତି। ସେ ସାହିତ୍ୟ ଏକାଡେମୀର ଇଂରାଜୀ ପତ୍ରିକା ଇଣ୍ଡିଆନ୍ ଲିଟରେଚର ପ୍ରଥମ ମହିଳା ସମ୍ପାଦକଭାବେ କାର୍ଯ୍ୟ କରିଛନ୍ତି। ପୂର୍ବରୁ ୧୯୯୦ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଛନ୍ତି।

ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଜହ୍ନରାତି’, ‘ଦେଖଣାହାରି’, ‘ମୁହଁସଞ୍ଜ’, ‘ରେଖାଚିତ୍ର’, ‘ଦ୍ଵୀପ ଓ ଅନ୍ୟାନ୍ୟ ଗଳ୍ପ’, ‘ସୁବୁଠୁ ସୁଖୀ ଝିଅ’ ଆଦି ରହିଛି।

କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ନାଁ ଘୋଷଣା ହେବାପରେ ପ୍ରତିକ୍ରିୟା କ’ଣ ରହିବ?

ପ୍ରଥମେ ଜାଣିବାପରେ ମୁଁ ବହୁତ ଖୁସି ହୋଇଥିଲି। କାରଣ ଜଣେ ଲେଖକକୁ ପାଠକୀୟ ସ୍ଵୀକୃତି ସହ ଆନୁଷ୍ଠାନିକ ସ୍ଵୀକୃତି ମଧ୍ୟ ଅଧିକ ଆନନ୍ଦ ଦେଇଥାଏ। ପାଠକୀୟ ସ୍ଵୀକୃତି ମୁଁ ବହୁତ ଆଗରୁ ପାଇସାରିଥିଲି, ଆଉ ଏବେ ଆନୁଷ୍ଠାନିକ ସ୍ଵୀକୃତି ପାଇ ବହୁତ ଖୁସି ଅଛି।

କେବେଠୁ ଆରମ୍ଭ ସାହିତ୍ୟ ଯାତ୍ରା, ଆଉ ଆପଣଙ୍କ ସାହିତ୍ୟ ଉପରେ ବାପାଙ୍କର ପ୍ରଭାବ କ’ଣ ପଡ଼ିଛି?

ମୋର ଛୋଟବେଳୁ ଲେଖାଲେଖି ପ୍ରତି ରୁଚି ରହିଛି। ମୁଁ ସେବେଠାରୁ ଲେଖାଲେଖି କରିଆସୁଛି। କଲେଜ କ୍ୟାରିୟରରୁ ମୋ ପୁସ୍ତକ ପ୍ରକାଶ ପାଇବା ଆରମ୍ଭ ହୋଇଯାଇଥିଲା। ଯେହେତୁ ମୋ ବାପା ଭୁବନେଶ୍ଵର ବେହେରା ଜଣେ ପ୍ରଖ୍ୟାତ ଲେଖକ ଥିଲେ, ତେଣୁ ତାଙ୍କର ଚିନ୍ତାଧାରା ଓ ଜୀବନଶୈଳୀର ପ୍ରଭାବ ମୋ ଉପରେ ପଡ଼ିଛି। କିନ୍ତୁ ଲେଖାଲେଖି ଉପରେ କେତେ ପ୍ରଭାବ ପଡ଼ିଛି ତାହା ଆଲୋଚକମାନେ କହିବେ।

ଆପଣଙ୍କ ଲେଖାଗୁଡ଼ିକ କେଉଁ ଉପରେ ଆଧାରିତ?

ସାହିତ୍ୟ ସୃଷ୍ଟି ହେଉଛି ଏକ ବ୍ୟାପକ ଜିନିଷ। ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ନେଇ ସାହିତ୍ୟ ସୃଷ୍ଟି କରାଯାଇନପାରେ। ତେଣୁ ମୁଁ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ଲେଖିଥାଏ। ବିଶେଷଭାବରେ ମୋ ଲେଖାଗୁଡ଼ିକ ଜଣେ ବ୍ୟକ୍ତିର ଜୀବନ କାହାଣୀ, ଅନୁଭବ, ପରିସ୍ଥିତି, ସମସ୍ୟା, ସାମାଜିକ ଚିତ୍ରଣ, ମାନବୀୟ ସମ୍ପର୍କ ଉପରେ ଆଧାରିତ।ଜଣେ ଓଡ଼ିଆ ଏବଂ ମହିଳା ଭାବରେ ଇଣ୍ଡିଆନ୍ ଲିଟରେଚର ପ୍ରଥମ ସମ୍ପାଦକ ଥିଲେ, ଆପଣଙ୍କ ଭଳି ଅନ୍ୟ ଓଡ଼ିଆ ଲେଖିକାମାନେ କାହିଁକି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରିପାରୁନାହାଁନ୍ତି?

ସାହିତ୍ୟ ଏକାଡେମିର ଇଂରାଜୀ ପତ୍ରିକା ଇଣ୍ଡିଆନ୍ ଲିଟରେଚର ପ୍ରଥମ ମହିଳା ସମ୍ପାଦକଭାବେ କାର୍ଯ୍ୟ କରିଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। କେନ୍ଦ୍ର ସାହିତ୍ୟ ଏକାଡେମି ହେଉଛି ଏକ ସ୍ଵୟଂ ଶାସିତ ସଂସ୍ଥା। ସେଥିରେ ବିବିଧ ପ୍ରକାରର କାର୍ଯ୍ୟକ୍ରମ ଚାଲିଥାଏ। ଏଠାରେ ନାରୀ ପୁରୁଷ ଆଧାରରେ ନୁହେଁ ଯୋଗ୍ୟତା ଅନୁସାରେ ସମ୍ପାଦକ ଚୟନ କରାଯାଇଥାଏ। ଆଜି ପର୍ଯ୍ୟନ୍ତ ଦେଶର ୧୨ରୁ ୧୩ଜଣ ସମ୍ପାଦକ ରହିଛନ୍ତି। ସେଠାରେ ସମୁଦାୟ ୨୪ଭାଷାର ଆଦାନ ପ୍ରଦାନ ହୋଇଥାଏ। ସେଥିରେ ଓଡ଼ିଆ ସାହିତ୍ୟକୁ ମଧ୍ୟ ଯଥେଷ୍ଟ ସମ୍ମାନ ଦିଆଯାଉଛି।

ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଆପଣଙ୍କୁ ମିଶାଇ ମାତ୍ର ୭ଜଣ ଲେଖିକା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି। ଓଡ଼ିଶାର ଆହୁରି ଯୋଗ୍ୟ ଲେଖିକା ଏହାର ସୁଯୋଗ ପାଉନାହାଁନ୍ତି ବୋଲି ଭାବୁଛନ୍ତି କି?

ମୋର ଡିଗ୍ରୀ ସାରିବାପରଠାରୁ ମୁଁ ଓଡ଼ିଶା ବାହାରେ ରହୁଛି। ମଧ୍ୟପ୍ରଦେଶରର ବିଭିନ୍ନ ସହରରେ ଏବଂ ଦିଲ୍ଲୀରେ ମୋ ଜୀବନଟି କଟି ଆସିଛି। ଏଥିସହ ମୁଁ ଇଂରାଜୀ ପ୍ରଫେସର ମଧ୍ୟ ଥିଲି। କହିବାକୁ ଗଲେ ଯେଉଁ ଅଞ୍ଚଳରେ ମୁଁ ମୋ ଜୀବନର ବଡ଼ ଭାଗ ବିତେଇଛି ସେ ସବୁ ହିନ୍ଦୀଭାଷୀ ଅଞ୍ଚଳ। କିନ୍ତୁ ଏହାରି ମଧ୍ୟରେ ମୁଁ ମୋ ଭାଷାକୁ ଗୁରୁତ୍ଵ ଦେଇ ଲେଖାଲେଖି ଜାରି ରଖିଛି। ଓଡ଼ିଶାରେ ସାହିତ୍ୟିକ ଗତିବିଧିରେ ଭାଗ ନେବାକୁ ମତେ ବିଶେଷ ସୁଯୋଗ ମିଳିନଥିଲେ ବି ଏତିକି କହିବି, ଜଣେ ଲେଖକ ପୁରସ୍କାର ପାଇବା ଆଶାରେ ଲେଖାଲେଖି କରିବା ଉଚିତ୍ ନୁହେଁ।

ପ୍ରଥମ ପୁସ୍ତକ କ’ଣ ଥିଲା?

‘ଦ୍ଵୀପ ଓ ଅନ୍ୟାନ୍ୟ ଗଳ୍ପ’ ଥିଲା ମୋର ପ୍ରଥମ ପୁସ୍ତକ। ଯାହା କି କଟକ ଷ୍ଟୁଡେଣ୍ଟ ଷ୍ଟୋର ପକ୍ଷରୁ ୧୯୭୮ ମସିହାରେ ପ୍ରକାଶ ପାଇଥିଲା।ନାରୀବାଦକୁ ନେଇ ଆପଣଙ୍କ ଚିନ୍ତାଧାରା କ’ଣ ରହିଛି?

ନାରୀବାଦ ବା ତାକୁ ଇଂରାଜୀରେ ଫେମିନିଜିମ୍ ବୋଲି କୁହାଯାଇଥାଏ। ଏହି ଶବ୍ଦଟି ୧୯୫୦ ଏବଂ ୬୦ ମସିହାବେଳକୁ ପ୍ରଥମେ ପାଶ୍ଚାତ୍ୟ ଦେଶମାନଙ୍କରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଶବ୍ଦର ବିବିଧ ଅର୍ଥ ହୋଇଗଲାଣି। ଆଜିବି ସବୁ ସ୍ଥାନରେ ପରମ୍ପରା, ସଂସ୍କୃତି ଅନୁଯାୟୀ ଭିନ୍ନ ଭିନ୍ନ ନିୟମ ରହିଛି।

ସମାଜରେ ନାରୀର ଅଧିକାର ପୁରୁଷ ଅପେକ୍ଷା କମ୍ ରହୁଥିବା ସବୁଠି ଦେଖିବାକୁ ମିଳୁଛି। ଅନ୍ୟପଟେ ସମାଜ ନାରୀର ଜୀବନଶୈଳୀକୁ ମଧ୍ୟ ନିର୍ଦ୍ଧାରିତ କରି ଦେଇଛି। ଅନ୍ୟ ଅର୍ଥରେ କହିବାକୁ ଗଲେ, ନାରୀବାଦ ବୋଲି ସ୍ଥିର ଜିନିଷ କିଛିନାହିଁ, ତାହା ପରିବର୍ତ୍ତନଶୀଳ। ତେଣୁ ଯେକୌଣସି ଚିନ୍ତାଶୀଳ ଲେଖିକା ଓ ଲେଖକମାନେ ନାରୀମାନଙ୍କର ଜୀବନଶୈଳି ଓ ପରିସ୍ଥିତିକୁ ଆଧାର କରି ନିଜର ପ୍ରବନ୍ଧ, କବିତା, ଗଳ୍ପ ଆଦି ଲେଖିଥାନ୍ତି, ଆଗକୁ ମଧ୍ୟ ଲେଖିବେ। ମୋର ବି ଅନେକ ଲେଖା ନାରୀମାନଙ୍କୁ ଆଧାର କରି ରହିଛି। ଯଦି ଏହାକୁ ଅନ୍ୟମାନେ ନାରୀବାଦର ଆଖ୍ୟା ଦେବେ, ତେବେ ତାହା ଯଥାର୍ଥ ନୁହେଁ।

ଯୁବ ଲେଖକଙ୍କୁ କ’ଣ ବାର୍ତ୍ତା ଦେବେ?

ଜଣେ ଲେଖକ ପୁରସ୍କାର ଲୋଭରେ କିମ୍ବା ଯଶ ପାଇବା ଆଶାରେ ଲେଖାଲେଖି ନକରି, ନିଷ୍ଠାପର ଭାବରେ ପୁସ୍ତକ ରଚନା କରିବା ଦରକାର। ଉଦ୍ଦେଶ୍ୟମୂଳକ କାର୍ଯ୍ୟ ସର୍ବଦା ଲେଖାକୁ ସଂକୀର୍ଣ୍ଣ କରିବା ସହ ଲେଖାର ମାନ କମେଇଥାଏ। ସମାଜରେ ଜଣେ ପ୍ରତିଷ୍ଠିତ ଲେଖକ ହେବା ପାଇଁ ପ୍ରଥମେ ଜୀବନକୁ ସଚ୍ଚୋଟ ଭାବରେ ବଞ୍ଚିବେ ଏବଂ ଅନୁଭବ କରିବେ, ଏହାପରେ ଲେଖାରେ ନିଜକୁ ପରିପ୍ରକାଶ କରିବାକୁ ଚେଷ୍ଟା କରିବେ।

ଆପଣଙ୍କ ଜୀବନରେ ଚମତ୍କାର ଅନୁଭୂତି କ’ଣ ରହିଛି?

କେବଳ ନିର୍ଦ୍ଦିଷ୍ଟ ଜିନିଷକୁ କିମ୍ବା ପ୍ରସଙ୍ଗକୁ ନେଇ ଲେଖକର ଅନୁଭୂତି ରହିନଥାଏ। ମୁଁ କଳାକୁ ବହୁତ ଭଲ ପାଉଥିବାରୁ କଳା ସହ ଜଡ଼ିତ ପ୍ରତ୍ୟେକଟି ବିଷୟବସ୍ତୁ ମୋ ପାଇଁ ଚମତ୍କାର ଅନୁଭୂତି। ଏମିତି କି ସକାଳେ ଉଠିଲେ ଗୋଟିଏ ସୁନ୍ଦର ପକ୍ଷୀଟିଏ ଦେଖିଲେ, ସେଟା ବି ମୋ ପାଇଁ ଚମତ୍କାର ଅନୁଭୂତି ହେବ।

ପୁରସ୍କାରର ଶ୍ରେୟ କାହାକୁ ଦେବେ?

ସବୁଠାରୁ ମଣିଷକୁ କିଛି ନା କିଛି ଶିଖିବାକୁ ମିଳିଥାଏ। ତେଣୁ ମୋର ଏହି ସଫଳତା ପାଇଁ ମୋ ବାପା ମା’ଙ୍କଠାରୁ ଆରମ୍ଭ କରି ପରିବାର, ସମ୍ପର୍କୀୟ, ବନ୍ଧୁ, ପାଠକୀୟ ଏବଂ ଦେଶବାସୀଙ୍କୁ ଶ୍ରେୟ ଦେବି।

Comment