ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ପ୍ରତି  ବିଶ୍ୱରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଏହି ସ୍ଥିତିକୁ ନଜରରେ ରଖି ଅନେକ  ଦେଶ ଏବେ କରୋନା କଟକଣାକୁ ପୂର୍ବାପେକ୍ଷା କୋହଳ କରୁଛନ୍ତି। ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ମଧ୍ୟ ସରକାର ସଜବାଜ ହେଉଥିବାବେଳେ ଶିକ୍ଷକ, ସ୍କୁଲ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଉପାଦେୟ ପରାମର୍ଶ ଦେଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ତରଫରୁ କୁହାଯାଇଛି ଯେ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ  ଅଗ୍ରାଧିକାର ଭିତ୍ତିରେ ଟିକା ଯୋଗାଇ ଦେବା ଦରକାର। ଖାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୁହେଁ ବିଶେଷଜ୍ଞମାନେ ମଧ୍ୟ ସମାନ ମତ ରଖିଛନ୍ତି। ସ୍କୁଲ ଖୋଲିବା ନେଇ ୫୫ଜଣ ଡାକ୍ତର ଓ ଶିକ୍ଷାବିତ୍ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲେଖିଥିବା ଚିଠିରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଛି।ସ୍କୁଲ ବନ୍ଦ ଯୋଗୁ କ’ଣ କ୍ଷତି ହେଉଛି ସେନେଇ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ସଂଯୁକ୍ତ ରାଷ୍ଟ୍ରର ସଂସ୍ଥାମାନେ କହିଛନ୍ତି ସରକାରମାନେ ଯଦି ସ୍କୁଲ ଖୋଲିବାକୁ ଚାହୁଁଛନ୍ତି ତେବେ ସାରା ବିଶ୍ୱର ଶିକ୍ଷାନୁଷ୍ଠାନରେ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରାଯାଉ। କାରଣ କରୋନା ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ହେଉଛି ଟିକାକରଣ। ଏହାଦ୍ୱାରା ସୁନିଶ୍ଚିତ କରାଯାଇ ପାରିବ ଯେ ବିନା ବିପଦରେ ଶ୍ରେଣୀ ଗୃହରେ ଶିକ୍ଷକ, ସ୍କୁଲ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପାଠ ପଢିପାରିବେ।

ଡବ୍ଲ୍ୟୁଏଚଓର ୟୁରୋପୀୟ କ୍ଷେତ୍ର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ପିଲାମାନଙ୍କୁ ଶୈକ୍ଷିକ, ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ କୋଶଳ ପାଇଁ ଟିକାକରଣ ଅତ୍ୟାବଶ୍ୟକ। ଏହାଦ୍ୱାରା ପିଲା ସୁସ୍ଥ ରହିବା ସହ ସମାଜରେ ଜଣେ ଦାୟିତ୍ୱବାନ ନାଗରିକ ହୋଇ ଠିଆ ହୋଇପାରିବ। ମହାମାରୀ ଯୋଗୁଁ ଭୂଷୁଡି ପଡିଥିବା ଶିକ୍ଷାବ୍ୟବସ୍ଥାକୁ ପୁଣିଥରେ ସଜାଡ଼ିବା ପାଇଁ ଏହା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ।

Comment