ଓଡ଼ିଶାଲାଇଭ୍ ବ୍ୟୁରୋ

  • ପଟିଆ, ଭଗବାନପୁରରେ ‘ମୋ ବସ୍‌’ ଡିପୋ ଲୋକାର୍ପଣ
  • ପୋଖରୀପୁଟରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କେଲ ମୁଖ୍ୟମନ୍ତ୍ରୀ

ଲୋକମାନଙ୍କ ବସ୍ ଯାତ୍ରାକୁ ଆରାମଦାୟକ କରିବା ଲାଗି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ୧୧୦ଟି ଅତ୍ୟାଧୁନିକ ବସ୍‌ର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଭୁବନେଶ୍ଵରସ୍ଥିତ ପରିବହନ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସମସ୍ତ ବସ୍‌ର ଶୁଭାରମ୍ଭ କରିଛନ୍ତି। ଏଥିସହ ପଟିଆ ଏବଂ ଭଗବାନପୁରଠାରେ ‘ମୋ ବସ୍’ର ଦୁଇଟି ଅତ୍ୟାଧୁନିକ ଡିପୋକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ଓଏସ୍‌ଆର୍‌ଟିସି ପକ୍ଷରୁ ନୂଆକରି ଚଳାଚଳ ହୋଇଥିବା ବସ୍‌ଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାତ୍ରୀମାନଙ୍କୁ ସେବା ଯୋଗାଇବା ସହ ରାଜ୍ୟ ବାହାରକୁ ମଧ୍ୟ ଚଳାଚଳ କରିବ। ବସ୍‌ଗୁଡ଼ିକରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା, ପୁସ୍‌ଅପ୍ ସିଟ୍, ଏମରଜେନ୍ସି ଏକ୍‌ଜିଟ୍, ଭେଇକିଲ୍ ଟ୍ରାକିଙ୍ଗ୍ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧାମାନ ରହିଛି।ଓଏସ୍‌ଆର୍‌ଟିସି ପକ୍ଷରୁ ମୋଟ୍ ୧୮୦ଟି ଅତ୍ୟାଧୁନିକ ବସ୍‌ର ବ୍ୟବସ୍ଥା ହୋଇଥିବା ବେଳେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୧୧୦ଟି ବସ୍‌ର ଯାତ୍ରା ଆରମ୍ଭ ହୋଇଛି। ଖୁବଶୀଘ୍ର ବାକି ୭୦ଟି ବସ୍‌ର ଚଳାଚଳ କରାଯିବା ନେଇ ନିଗମ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ପଟିଆ ଓ ଭଗବାନପୁରଠାରେ ‘ମୋ ବସ୍‌’ର ଦୁଇଟି ଅତ୍ୟାଧୁନିକ ଡିପୋକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଅତ୍ୟାଧୁନିକ ଡିପୋ ଦୁଇଟିରେ ସ୍ଵତନ୍ତ୍ର ମେସିନ୍‌ ଜରିଆରେ ବସ୍ ପରିଷ୍କାର କରିବାର ବ୍ୟବସ୍ଥା ରହିଛି। ସେହିପରି ଡିପୋ ମଧ୍ୟରେ ପେଟ୍ରୋଲ ପମ୍ପର ସୁବିଧା କରାଯାଇଛି। ଏଥିସହ ଉଭୟ ଡିପୋର ସମସ୍ତ କାର୍ଯ୍ୟାଳୟ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଥିବାବେଳେ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷାଜଳର ପୁନଃ ବ୍ୟବହାର ପରି ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି।ଏହାପରେ ମୁଖ୍ୟମନ୍ତ୍ରୀ ପୋଖରୀପୁଟଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନବନିର୍ମିତ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ଉଦ୍‌ଘାଟନ କରିଥିଲେ। ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିଷ୍ଠାନରେ ସମସ୍ତ ପ୍ରକାର ଅକ୍ଷମତାର ପରୀକ୍ଷା, ଚିକିତ୍ସା, ଗତିଶୀଳତାର ତାଲିମ, ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ଚିତ୍ରକଳା, ନୃତ୍ୟଗୀତ ତାଲିମ ତଥା ବୃତ୍ତିଗତ ଶିକ୍ଷା ଓ ବିଭିନ୍ନ ପ୍ରକାର ପରାମର୍ଶର ବନ୍ଦୋବସ୍ତ କରାଯାଇଛି। ଏହି ପ୍ରତିଷ୍ଠାନରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ୧୦୦ ଜଣ ଭିନ୍ନକ୍ଷମ ପିଲାଙ୍କର ରହଣୀର ସୁବନ୍ଦୋବସ୍ତ କରାଯାଇଛି।

ଏହିସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜ୍ୟ ପରିବହନ କମିସନର ଅରୁଣ ବୋଥ୍ରା, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

Comment