ଓଡ଼ିଶାଲାଇଭ ବ୍ୟୁରୋ

ସାନ ସାନ ପିଲାଙ୍କ ପୁଷ୍ଟି ସାଧନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଅଙ୍ଗନବାଡ଼ି ଜରିଆରେ ଦିଆଯାଉଛି ମାଣ୍ଡିଆ ଲଡୁ।

ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁମାନଙ୍କ ପୋଷଣ ଲାଗି ମାଣ୍ଡିଆ ଲଡୁ ଦିଆଯାଉଛି। ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ଆଇସିଡିଏସ୍‌) ମାଧ୍ୟମରେ ସାନ ସାନ ପିଲାଙ୍କ ଲାଗି ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଏବେ କୋଭିଡ୍‌ ସ୍ଥିତି ଥିବାରୁ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପିଲାଙ୍କ ଲାଗି ଘରେ ଘରେ ଲାଗି ମାଣ୍ଡିଆ ଲଡୁ ବଦଳରେ ମାଣ୍ଡିଆ ଲଡୁ ମିକ୍ସ ପହଞ୍ଚାଯାଉଛି। ଏହା ଶିଶୁଙ୍କ ଶାରୀରିକ ଓ ମାନସିକ ବିକାଶ କରାଇବାରେ ବିଶେଷ ସହାୟକ ହେଉଛି।

‘‘ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ପୋଷଣ କାର୍ଯ୍ୟକ୍ରମକୁ ୧ ବର୍ଷ ପୂରିଛି। ଏହି ୧ ବର୍ଷରେ ଆମକୁ ଭଲ ପ୍ରତିକ୍ରିୟା ଆସିଛି। ପିଲାମାନଙ୍କ ଭିତରେ ମାଣ୍ଡିଆ ଲଡୁ ଖାଇବା ପ୍ରତି ଆଗ୍ରହ ବି ବଢ଼ିଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।ମାଣ୍ଡିଆରେ ପୁଷ୍ଟିକର ତତ୍ତ୍ୱ

ମାଣ୍ଡିଆ ହେଉଛି ଆମ ରାଜ୍ୟର ଏକ ପାରମ୍ପରିକ ଖାଦ୍ୟ। ଏଥିରେ ଭିଟାମିନ, ଲୌହ, କ୍ୟାଲୋରୀ, ଫସଫରସ ଆଦି ରହିଛି। ବହୁ ଦିନରୁ ଓଡ଼ିଶାରେ ଚାଷୀମାନେ ମାଣ୍ଡିଆ ଚାଷ କରୁଛନ୍ତି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଗଢ଼ି ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି।

‘‘ମାଣ୍ଡିଆରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ଅଛି। ଏହାକୁ ପିଲାମାନେ ସହଜରେ ହଜମ କରିପାରୁଛନ୍ତି। ସାଧାରତଃ ପିଲାମାନେ ଭାତ ଖାଇବାକୁ ଭଲ ପାଆନ୍ତି ନାହିଁ। ତେଣୁ ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି କରି ସେମାନଙ୍କୁ ଦିଆଯାଉଛି। ଫଳରେ ପିଲାମାନେ ଆଗ୍ରହର ସହ ଖାଉଛନ୍ତି’’, କହିଛନ୍ତି ସିଡିଏମ୍‌ଓ ଡାକ୍ତର ସରୋଜ କୁମାର ମିଶ୍ର।

୨୦୨୦, ଅଗଷ୍ଟ ମାସ ୧୫ ତାରିଖରୁ ଜିଲ୍ଲାର ହେମଗିରି ବ୍ଲକରୁ ପାଇଲଟ କାର୍ଯ୍ୟକ୍ରମ ଭାବେ ମାଣ୍ଡିଆ ଲଡୁ ବଣ୍ଟନ ଆରମ୍ଭ ହୋଇଥିଲା। ହେମଗିରି ପରେ ପୂରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩ରୁ ୬ ବର୍ଷ ବୟସର ପିଲାଙ୍କୁ ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ଖାଇବାକୁ ଦିଆଯାଉଛି। କରୋନା ପାଇଁ ଅଙ୍ଗନବାଡି ବନ୍ଦ ଥିବାରୁ ଏବେ ଲଡୁ ବଦଳରେ ମାଣ୍ଡିଆ ଲଡୁ ମିକ୍ସକୁ ପ୍ୟାକେଟ କରି ପିଲାମାନଙ୍କ ପାଖରେ ପହଞ୍ଚାଯାଉଛି।

ଅଙ୍ଗନବାଡ଼ି କର୍ମୀମାନେ ଏହି ପ୍ୟାକେଟକୁ ଘରେ ଘରେ ପହଞ୍ଚାଉଛନ୍ତି। ଏଥିରେ ମା’ମାନେ ଲଡୁ, ହାଲୁଓ୍ୱା, ଖିରି ଆଦି ବିଭିନ୍ନ ଖାଦ୍ୟ ତିଆରି କରି ପିଲାକୁ ଖାଇବାକୁ ଦେଉଛନ୍ତି। ଜିଲ୍ଲାର ୩ ହଜାର ୮୦୯ଟି ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଯୋଗୁଁ ୩ରୁ ୬ ବର୍ଷ ବୟସର ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି।

ମାଣ୍ଡିଆରେ ପ୍ରଚୁର ପୋଷକ ତତ୍ତ୍ୱ ରହିଛି। ମାଣ୍ଡିଆ ଖାଇବା ଦ୍ୱାରା ପିଲାମାନଙ୍କ ଓଜନ ବଢ଼ୁଛି। ପିଲାମାନେ ଖେଳକୁଦ କରୁଛନ୍ତି। ସେମାନଙ୍କ ମାନସିକ ବିକାଶ ମଧ୍ୟ ହେଉଛି ବୋଲି ଜିଲ୍ଲାର କେତେକ ମା’ କହିଛନ୍ତି।ସ୍ଵାବଲମ୍ଵୀ ହେଉଛନ୍ତି ମିଶନ ଶକ୍ତି ମହିଳା

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ମାଣ୍ଡିଆ ଲଡ ବଣ୍ଟନ କାର୍ଯ୍ୟକ୍ରମର ସଫଳତା ପଛରେ ମିଶନ ଶକ୍ତିର ମହିଳାମାନଙ୍କ ଯଥେଷ୍ଟ ଭୂମିକା ରହିଛି। ଜିଲ୍ଲା ପ୍ରଶାସନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ପୋଷଣ କାର୍ଯ୍ୟକ୍ରମରେ ଯୋଡ଼ିଛି। ଫଳରେ ମିଶନ ଶକ୍ତିର ମହିଳାଙ୍କ ପାଇଁ ମଧ୍ୟ ଏହା ରୋଜଗାର ପନ୍ଥା ପାଲଟିଛି। ଏସ୍ଏଚ୍‌ଜି ମହିଳାମାନେ ସରକାରଙ୍କଠାରୁ ମାଣ୍ଡିଆ ଆଣି ସେଥିରେ ଲଡୁ ମିକ୍ସ ତିଆରି କରୁଛନ୍ତି। ଜିଲ୍ଲାରେ ୩୯ଟି ଗୋଷ୍ଠୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିଲାଗି ସେମାନଙ୍କୁ ତାଲିମ ଦିଆଯାଉଛି। ଏହାସହିତ ମାଣ୍ଡିଆ ସଫା କରିବା ପାଇଁ ଜିଲ୍ଲାରେ ୨ ଟି କ୍ଲିନିଂ ସେଣ୍ଟର ମଧ୍ୟ ରହିଛି।

ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହାନ

ସୁନ୍ଦରଗଡ଼ ଜିଲ୍ଲା ବଣ ପାହାଡ଼ ଘେରା ଅଞ୍ଚଳ। ତେଣୁ ଏଠାକାର ମାଟି ମାଣ୍ଡିଆ ଚାଷ ପାଇଁ ଉପଯୋଗୀ। ତେଣୁ ଓଡ଼ିଶା ପୁଷ୍ଟି ଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ୫ ହଜାର ୨୩୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଚାଲିଛି। ୭ଟି ବ୍ଲକରେ ମାଣ୍ଡିଆ ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ୧୬ ହଜାର ଚାଷୀ ମାଣ୍ଡିଆ ଚାଷରେ ଜଡ଼ିତ ଅଛନ୍ତି। ଫଳରେ ଚାଷୀଙ୍କ ଜୀବିକା ମଧ୍ୟ ସୁନିଶ୍ଚିତ ହୋଇପାରୁଛି।

ସବୁଠୁ ଖାସ କଥା ହେଉଛି ଏସ୍‌ଏଚ୍‌ଜି ମହିଳାମାନେ କେବଳ ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁନାହାନ୍ତି ବରଂ ମାଣ୍ଡିଆ ଚାଷ ସହିତ ମଧ୍ୟ ଜଡ଼ିତ ଅଛନ୍ତି। ରାଜ୍ୟ ସରକାର ଏସ୍‌ଏଚ୍‌ଜି ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୃଷି ଉପକରଣ ତଥା ଘାସ ବଛା ଯନ୍ତ୍ର, ମାଣ୍ଡିଆ ଅମଳ ଯନ୍ତ୍ର ଯୋଗାଇ ଦେଉଛନ୍ତି। ସେମାନେ ସ୍ଥାନୀୟ ଚାଷୀମାନଙ୍କୁ ଏହି ଉପକରଣ ଦେଇ ଚାଷ କାର୍ଯ୍ୟରେ ସହଯୋଗ କରୁଛନ୍ତି।ଜିଲ୍ଲାରେ ଶିଶୁଙ୍କ ପୋଷଣ ଲାଗି ମାଣ୍ଡିଆ ଲଡୁ ଭଳି ସ୍ପିରୁଲିନାଯୁକ୍ତ ଚିନି ଓ ଚିକି ମଧ୍ୟ ବଣ୍ଟନ ହେଉଛି। ମାଣ୍ଡିଆ ଲଡୁ ଓ ସ୍ପିରୁଲିନାକୁ ବ୍ୟବହାର କରି ଜିଲ୍ଲା ପ୍ରଶାସନ ଏଭଳି ଏକ ଅଭିନବ ପୋଷଣ କାର୍ଯ୍ୟକ୍ରମର ପରିଚାଳନା କରୁଛି।

ସୁନ୍ଦରଗଡ଼ ଭଳି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଡିଏମ୍‌ଏଫ୍‌ ସହାୟତାରେ ଅଙ୍ଗନବାଡ଼ି ଶିଶୁଙ୍କୁ ମାଣ୍ଡିଆ ଲଡୁ ଦିଆଯାଉଛି।

Comment