ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। କିନ୍ତୁ ୧୮ବର୍ଷରୁ କମ୍ ପିଲାଙ୍କ ସଂକ୍ରମଣ ହାରରେ ଲାଗୁନି ବ୍ରେକ। ଏଥିପାଇଁ ଅଭିଭାବକଙ୍କୁ ଦାୟୀ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ସରକାର ସ୍କୁଲ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ କହିଛନ୍ତି। ତେଣୁ ଛୋଟପିଲାଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେଠାରୁ ଅଭିଭାବକ, ଶିକ୍ଷକ ଓ ଜନସାଧାରଣ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି।

ବଢୁଛି ପିଲାଙ୍କ ସଂକ୍ରମଣ

ଓଡ଼ିଶାରେ କରୋନା ସ୍ଥିତି ସୁଧୁରୁଛି। କୋଭିଡର ଦୈନିକ ସଂକ୍ରମଣ ହଜାରେ ତଳକୁ ରହିଛି। ହେଲେ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିଦିନ ଶତାଧିକ ପିଲା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରିପୋର୍ଟ ଅନୁସାରେ ଗତ ୨୦ ଦିନ ମଧ୍ୟରେ ରାଜ୍ୟରୁ ୨ହଜାରରୁ ଅଧିକ ଛୋଟପିଲା କରୋନା ପଜିଟିଭ୍ ଚିହ୍ନଟ ହେଲେଣି। ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ପ୍ରାୟ ୧୫ପ୍ରତିଶତ ରହୁଥିବା ଜଣାପଡ଼ିଛି।ପିଲାଙ୍କ ସଂକ୍ରମଣ ପାଇଁ ଅଭିଭାବକ ଦାୟୀ

ରାଜ୍ୟରେ ଶିଶୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଅଭିଭାବକଙ୍କୁ ଦାୟୀ କରିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ କହିଛନ୍ତି, “କରୋନା କଟକଣା ଭିତରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଛି। କିନ୍ତୁ ଗାଇଡଲାଇନ ମାନିବା ଛୋଟ ପିଲାଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଅଭିଭାବକ ଓ ଶିକ୍ଷକମାନଙ୍କ ଦାୟିତ୍ଵ ସେମାନଙ୍କୁ ସଚେତନ କରାଇବା। ଯଦି ପରିସ୍ଥିତି ପୁଣିଥରେ ବିଗିଡ଼େ ତେବେ ବାଧ୍ୟ ହୋଇ ସରକାର ଶିକ୍ଷାନୁଷ୍ଠାନ ବନ୍ଦ କରିବେ।”

ଆଇସିୟୁରେ ଅଛନ୍ତି ୨ ପ୍ରତିଶତ ଶିଶୁ

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଆଇସିୟୁରେ ୨ ପ୍ରତିଶତ ଶିଶୁ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଏବେ ଶିଶୁମାନେ ଅଧିକ ସଂକ୍ରମିତ ହେଉଥିଲେ ହେଁ ବୟସ୍କଙ୍କ ତୁଳନାରେ କମ୍ ଗୁରୁତର ହେଉଥିବା ଦେଖିବାକୁ ମିଳୁଛି। ସ୍ଵାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଶିଶୁମାନଙ୍କ ପାଇଁ ୧୫୮୫ ସାଧାରଣ ଶଯ୍ୟା ଥିବାବେଳେ ବର୍ତ୍ତମାନ ମାତ୍ର ୧୩ଜଣ ଶିଶୁ ଚିକିତ୍ସା ହେଉଛନ୍ତି। ସେହିପରି ଶିଶୁଙ୍କ ପାଇଁ ୬୭୪ ଆଇସିୟୁ ବେଡ ରହିଥିବାବେଳେ ମାତ୍ର ୨ ପ୍ରତିଶତ ଶିଶୁ ରହିଛନ୍ତି। ଏଥିସହ ବର୍ତ୍ତମାନ ସୁଦ୍ଧା କୌଣସି ଶିଶୁ ଭେଣ୍ଟିଲେଟରରେ ନଥିବା ସୂଚନା ଦେଇଛନ୍ତି ଡାକ୍ତର ବିଜୟ ମହାପାତ୍ର।

ସେ ଆଉ ମଧ୍ୟ କହିଛନ୍ତି, “ଶିକ୍ଷାନୁଷ୍ଠାନ ଖୋଲିଲେ ସଂକ୍ରମଣ ବୃଦ୍ଧି ପାଇବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା। ଯଦି କୌଣସି ଶିଶୁଙ୍କ ପାଖରେ ଥଣ୍ଡା, କାଶ, ଜର ଭଳି ଲକ୍ଷଣ ଦେଖା ଦିଏ, ତେବେ ସେମାନଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ।”

ରାଜ୍ୟରେ କରୋନା ସ୍ଥିତି

ରାଜ୍ୟରେ କରୋନ ସଂକ୍ରମଣ ତଳମୁହାଁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବି କମିବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ହଜାରେ ତଳକୁ ଆକ୍ରାନ୍ତଙ୍କ ସଂଖ୍ୟା ରହୁଥିବାବେଳେ ୧୦ ତଳକୁ ରହୁଛି ମୃତ୍ୟୁ ସଂଖ୍ୟା। ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୩୮ ନୂଆ ପଜିଟିଭ୍। ସେମାନଙ୍କ ମଧ୍ୟରୁ ୩୭୨ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୨୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ସେପଟେ ସ୍ଵାସ୍ଥ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୬୨ଜଣକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here