ସମ୍ବଲପୁରରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ

ମା’ ଓ ମାଟିର ପର୍ବ, କୃଷି ଓ କୃଷକର ପର୍ବ,…ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପ୍ରତିବର୍ଷ ଏହି ପର୍ବ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆସିଥାଏ ନୂଆ ଉନ୍ମାଦନା। ଏହି ପର୍ବ ଏକାଧାରାରେ କୃଷି, ଶାନ୍ତି, ମୈତ୍ରୀ ଓ ପୂଜାପୂଜ୍ୟର ପର୍ବ। ଏଇ ପର୍ବ ଆରମ୍ଭ ହୁଏ ଚାଷୀଙ୍କଠାରୁ। ଆଣ୍ଠୁଏ ବହଳର କାଦୁଅରେ ଘାଣ୍ଟି ସାଉଣ୍ଟି ହୋଇ ଚାଷୀ ଯେଉଁ ପ୍ରଥମ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିଥାଏ ତାକୁ ଇଷ୍ଟଦେବୀଙ୍କ ନିକଟରେ ଭୋଗ ଲଗାଇ ଆତ୍ମତୃପ୍ତି ଲାଭ କରେ।

କୃଷି ଓ କୃଷକଙ୍କ ପର୍ବ ନୂଆଁଖାଇ

ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’। ପାଞ୍ଜି ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳିତ ହୁଏ କୃଷିଭିତ୍ତିକ ଏହି ଗଣପର୍ବ-ନୂଆଁଖାଇ। ନୂଆଁଖାଇରେ ଝଲସି ଉଠେ ସାମାଜିକ ଚାଲିଚଳଣୀର ନିଚ୍ଛକ ପ୍ରତିଛବି। ସଂସ୍କୃତି ଏବଂ ପରମ୍ପରାର ମହତ୍ତ୍ଵ ସହ ଭାଇଚାରାର ସ୍ଵାଦ ଚଖାଇଥାଏ ଏହି ପର୍ବ। ପ୍ରକୃତି ସହିତ ମଣିଷର ରହିଥିବା ନିବିଡ଼ତାକୁ ମଧ୍ୟ ଦର୍ଶାଇଥାଏ ନୂଆଁଖାଇ।

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ।

ଉତ୍ସବମୁଖର ହୋଇଉଠେ ମା’ ସମଲେଇଙ୍କ ପୀଠ

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ। ସମ୍ବଲପୁରର ମହାନଦୀ କୂଳରେ ରହିଛି ଏହି ମନ୍ଦିର। ନୂଆଁଖାଇ ପର୍ବ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଧୁମଧାମରେ ପାଳନ ହୋଇଥାଏ। ଧାର୍ଯ୍ୟ ଲଗ୍ନ ଅନୁସାରେ ମା’ଙ୍କଠାରେ ନବାନ୍ନ ଅର୍ପଣ କରାଯାଏ। ଏହି ଦିନ ସେବାୟତ ପରିବାର ନିଜ ଘରେ ପ୍ରସ୍ତୁତ ଭୋଗକୁ ମନ୍ଦିରକୁ ଆଣନ୍ତି। ଘଣ୍ଟ, ଶଙ୍ଖ ଧ୍ୱନିରେ କମ୍ପିଉଠେ ମା’ ସମଲେଇଙ୍କ ପୀଠ। ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ। ଏହାପରେ ମଙ୍ଗଳ ଆଳତୀ କରାଯାଏ। ମଙ୍ଗଳ ଆଳତୀ ପରେ ଅପେକ୍ଷାରତ ଭକ୍ତମାନେ ମା’ଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି। ଅନେକ ଭକ୍ତ ମନ୍ଦିରରୁ ନବାନ୍ନ ସଂଗ୍ରହ କରି ନିଜ ନିଜ ଘରକୁ ନେଇ ପରିବାର ସହିତ ଭୋଜନ କରିଥାଆନ୍ତି।

କୃଷିଭିତ୍ତିକ ପର୍ବ ନୂଆଁଖାଇ ଦିନ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ମା’ ସମଲେଇଙ୍କ ଦର୍ଶନଙ୍କ କରିବାକୁ ଆସିଥାନ୍ତି। ମନ୍ଦିରରେ ମହାଆନନ୍ଦରେ ପୂଜାପାଠ କରିବା ସହିତ ମା’ଙ୍କ କୃପାଲାଭ କରିଥାନ୍ତି ଶ୍ରଦ୍ଧାଳୁ।

ନୂଆଁଖାଇ ପାଇଁ ପୂର୍ବରୁ ଜ୍ୟୋତିଷମାନଙ୍କଦ୍ୱାରା ଏକ ନିର୍ଦ୍ଧିଷ୍ଟ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କଠାରେ ନୂଆକରି ଅମଳ କରାଯାଇଥିବା ଷଠିଆଧାନରୁ ପ୍ରସ୍ତୁତ ଅନ୍ନ ଲାଗି କରାଯାଇଥାଏ। ଇଷ୍ଟଦେବୀଙ୍କଠାରେ ଲାଗି ହେବାପରେ ଏହା ନବାନ୍ନରେ ପରିଣତ ହୋଇଥାଏ। ଏହାପରେ ପରିବାରର ମୁଖ୍ୟଙ୍କ ହାତରୁ ସଭିଏଁ ନବାନ୍ନ ଭୋଗ ଗ୍ରହଣ କରିବା ସହ ସେମାନଙ୍କୁ ପ୍ରଣାମକରି ଆଶୀର୍ବାଦ ଗ୍ରହଣ କରନ୍ତି। ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠାକୁ ସମସ୍ତେ ଏକତ୍ରିତ ହୋଇ ଖାଆନ୍ତି। ଏହାପରେ ସଭିଁଙ୍କୁ ନୂଆଁଖାଇ ଭେଟ୍‌ଘାଟ୍ ଶୁଭେଚ୍ଛା ଜଣାଇଥାନ୍ତି। ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।

‘‘ପଶ୍ଚିମ ଓଡ଼ିଶାର ଏ ହେଉଛି ଗଣପର୍ବ। ଏଇଦିନ ଆମେ ନୂଆ ପିନ୍ଧୁ, ନୂଆ ଖାଉ। ଧନି ଗରିବ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଧୁମଧାମରେ ପାଳିଥାଆନ୍ତି। ରାଗ ରୁଷାକୁ ପଛ କରି ଏହି ଦିନ ଲୋକେ ଏକାଠି ହୋଇଥାଆନ୍ତି’’, କହିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ।

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣାଶୁଣା ଗାୟକ। ସେ ବହୁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗାଇ ପରିଚିତି ହାସଲ କରିଛନ୍ତି।

ସେହିପରି ଜଣେ ଶ୍ରଦ୍ଧାଳୁ ସୁଜାତା ଦେବୀ କହିଛନ୍ତି,‘‘ଆମ ଜିଲ୍ଲାର ସବୁଠୁ ବଡ଼ ହେଉଛି ନୂଆଁଖାଇ। ସମସ୍ତେ ବେଶ୍‌ ଧୁମଧାମରେ ଏହି ପର୍ବ ପାଳନ କରନ୍ତି। ଗତ ବର୍ଷ କରୋନା ପାଇଁ ଏହି ଉତ୍ସବ ଅତି ନିରାଡମ୍ବର ଭାବେ ପାଳନ ହୋଇଥିଲା। କିନ୍ତୁ ଏ ବର୍ଷ କରୋନା କମିଛି। ସେଥିପାଇଁ ଏ ବର୍ଷ ପର୍ବ ପାଳିବାକୁ ସୁଯୋଗ ମିଳିଛି’’।

ପରିବାରରେ ଧୁମଧାମରେ ପାଳିତ ହୁଏ

ପଶ୍ଚିମ ଓଡ଼ିଶାର ପାରମ୍ପରିକ ଓ ଐତିହାସିକ ଗଣପର୍ବକୁ ଲୋକେ ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି। ଘର ଦୁଆର ଲିପାପୋଛା କରି ସାଜସଜ୍ଜା କରିବା ସହିତ ନୂଆ ବସ୍ତ୍ର କିଣାକଣି କରି ଥାଆନ୍ତି। ବାରମାସରେ ଥରେ ପାଳନ ହେଉଥିବା ଏହି ପର୍ବ ପାଇଁ ଯିଏ ଯେତେ ଦୂରରେ ଥିଲେ ବି ଘରକୁ ଆସିଥାନ୍ତି। ନୂଆଁଖାଇ ପର୍ବ ତାଙ୍କୁ ଟାଣି ଆଣେ ବିଦେଶରୁ ନିଜ ଗାଁକୁ। ମହିଳମାନେ ପୂଜା ବିଧି ପାଇଁ ଲାଗି ପଡ଼ନ୍ତି। ପୁରୁଷମାନେ ଇଷ୍ଟଦେବୀଙ୍କୁ ପୂଜା କରିବା ସହିତ କ୍ଷେତପୂଜା କରିଥାଆନ୍ତି। ସମସ୍ତେ ଏକାଠି ହୋଇ ନବାନ୍ନ ଖାଇଥାଆନ୍ତି। ଦୁଃଖ, ହିଂସା, ଅହଙ୍କାରକୁ ଦୂରରେ ସମସ୍ତେ ମିଳିମିଶି ଏହି ପର୍ବ ପାଳିଥାଆନ୍ତି। ପରିବାର ବଡ଼ ସମସ୍ତଙ୍କ ହାତରେ ନବାନ୍ନ ଦିଅନ୍ତି। ଏହାପରେ ସାନମାନେ ତାଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରନ୍ତି।

‘‘ନୂଆଁଖାଇ ପରମ୍ପରା ବହୁ ପରାତନ କାଳରୁ ଚାଲି ଆସୁଛି। ପିଢ଼ି ପିଢ଼ି ସମସ୍ତେ ଏହି ପରମ୍ପରାକୁ ଅନୁକରଣ କରୁଛନ୍ତି। ଏହି ପର୍ବର ସ୍ୱତନ୍ତ୍ରତା ରହିଛି। ଏହି ଦିନ ଆମେ ସମସ୍ତେ ଏକାଠି ହୋଇ ମଜା ମସ୍ତି କରିଥାଆନ୍ତି। ନିଜ ପରିବାର ସହିତ ସମୟ ବିତାଇବାର ଅବସର ଦିଏ ଏହି ପର୍ବ’’, କହିଛନ୍ତି ସମ୍ବଲପୁରର ଜଣେ ବ୍ୟକ୍ତି ପଞ୍ଚାନନ ସିଂହ ରାୟ।

ନୂଆଁଖାଇରେ ବିଭିନ୍ନ ସ୍ଥାନରେ ଭେଟଘାଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଥିରେ ସମ୍ବଲପୁରୀ ଗୀତ ସାଙ୍ଗକୁ ନାଚର ଆସର ଜମେ। ଡାଲଖାଇ, ରଙ୍ଗବତୀ ଭଳି ଗୀତରେ ଝୁମନ୍ତି ଲୋକେ।

ବାସି ନୂଆଁଖାଇ

ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ  ଆମିଷ ଖାଇଥାନ୍ତି।

ବିଶ୍ୱ ସମୁଦାୟକୁ ଯୋଡ଼ୁଛି ନୂଆଁଖାଇ

କେବଳ ପାରିବାରିକ ସ୍ତରରେ ସୀମିତ ନରହି ସାମାଜିକ ସ୍ତରରେ ସୌହାର୍ଦ୍ଧ୍ୟ ସ୍ଥାପନ କ୍ଷେତ୍ରରେ ନୂଆଁଖାଇର ବଡ଼ ଭୂମିକା ରହିଛି। ଏହି ପର୍ବ କେବଳ ଓଡ଼ିଶାରେ ସୀମିତ ନାହିଁ। ଆଜିକାଲି ଏହି ପର୍ବ ବିଦେଶରେ ମଧ୍ୟ ପାଳିତ ହେଉଛି। ଦୁବାଇ, ବାହାରିନ, ଆମେରିକା ଭଳି ଦେଶରେ ରହୁଥିବା ଓଡ଼ିଆ ଏହି ପର୍ବ ପାଳିବାକୁ ଭୁଲନ୍ତି  ନାହିଁ। ବିଦେଶରେ ଥିଲେ ବି ରୀତିନୀତି ପରମ୍ପରା ଅନୁସାରେ ନୂଆଁଖାଇ ପର୍ବ ପାଳିତ ହୋଇ ଆସୁଛି।

Comment