ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୁନ୍ଦରଗଡ଼ରେ ୭ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
  •  ‘‘ଚିକିତ୍ସା ପାଇଁ ଅର୍ଥ କେବେ ବାଧକ ନହେଉ’’: ମୁଖ୍ୟମନ୍ତ୍ରୀ

ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲବାସୀଙ୍କ ପାଇଁ ୫୮୦.୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ କି ରିକ୍ସାବାଲା, ଜନଜାତି ଭାଇ ଭଉଣୀ ବା ସାଧାରଣ ଲୋକ ଏବଂ ଗାଁ ହେଉ କି ସହର, ମୁଁ ଚାହେଁ ସମସ୍ତେ ସୁସ୍ଥ ରହନ୍ତୁ। ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆପଣଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ତେଣୁ ଆପଣ ଚିକିତ୍ସା ବାବଦ ଖର୍ଚ୍ଚକୁ ନିଜ ଭଲ ମନ୍ଦ ପାଇଁ ସଞ୍ଚୟ କରିପାରିବେ। ସେହି ଟଙ୍କାକୁ ପିଲାଙ୍କ ପାଠପଢ଼ା ବା ପରିବାରର ଉନ୍ନତି ପାଇଁ ଖର୍ଚ୍ଚ କରିପାରିବେ।’’

ରାଉରକେଲା ଆଇଜିଏଚର ସୁପରସ୍ପେଶାଲଟି ହସ୍ପିଟାଲର ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ।

ସେ କହିଥିଲେ ଯେ, ‘‘ରାଜ୍ୟର ୯୬ ଲକ୍ଷରୁ ଅଧିକ ପରିବାରକୁ ଏହି କାର୍ଡ ଦିଆଯିବ। ଏହି ଯୋଜନାରେ ଓଡ଼ିଶାର ସାଢେ ତିନି କୋଟି ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇ ପାରିବେ। ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଚିକିତ୍ସା କରିପାରିବେ। ଏହି କାର୍ଡରେ ପ୍ରତି ହିତାଧିକାରୀ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା’ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଏଭଳି କାର୍ଯ୍ୟକ୍ରମ ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ସରକାର ପ୍ରଥମ।’’

ରାଉରକେଲା ମହାନଗର ନିଗମ ସହିତ ସୁନ୍ଦରଗଡ଼ ଜିଲ୍ଲାର ୩ଟି ପୌରପାଳିକା ଏବଂ ସମସ୍ତ ୧୭ଟି ବ୍ଲକରେ ଏକ ସମୟରେ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ ବଣ୍ଟନ କରାଯାଉଛି। ମୁଖ୍ୟମନ୍ତ୍ରୀ ରାଉରକେଲାଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକ ଏବଂ ଅନ୍ୟ ନେତୃବୃନ୍ଦ ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ସ୍ତରକୁ ଯାଇ ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରୁଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨୦୪.୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୩୭୬.୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହା ମଧ୍ୟରେ ରହିଛି ସଡ଼କ ସଂଯୋଗୀକରଣ, ଭିତ୍ତିଭୂମି ନିର୍ମାଣ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ପରିମଳ ଆଦି କାର୍ଯ୍ୟକ୍ରମ। ଏହା ଦ୍ୱାରା ଲୋକଙ୍କ ଜୀବନ ଓ ଜୀବିକା ଉଭୟକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଦୋହରାଇଥିଲେ। ସେ କହିଥିଲେ ଯେ, ସୁନ୍ଦରଗଡ଼ଠାରେ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତିା ତେଣୁ ଓଡ଼ିଶାର ଏହି ଦାବିକୁ ଗ୍ରହଣ କରି କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତିକୁ ଶୀଘ୍ର ଘୋଷଣା କରିବାକୁ ସେ କହିଥିଲେ।

ଓଡ଼ିଶାର ବିକାଶରେ ସୁନ୍ଦରଗଡ଼ ଜିଲ୍ଲାର ବହୁତ ଅବଦାନ ରହିଛି। ଆଗରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟତଃ ଖଣି ଅଞ୍ଚଳ ଭାବେ ପରିଚିତ ଥିଲା। ହେଲେ ଏବେ ଏହି ଜିଲ୍ଲାରୁ ବହୁ ପ୍ରତିଭାବାନ ହକି ଖେଳାଳି ବାହାରି ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ୪ ଜଣ ହକି ତାରକାଙ୍କୁ ପ୍ରଶଂସା କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ଫାଇଭ୍-ଟି ସଚିବ ଭି କେ ପାଣ୍ଡିଆନ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର  ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Comment