ଓଡ଼ିଶାଲାଇଭ୍ ବ୍ୟୁରୋ

ଏକମୋ ଚିକିତ୍ସା, ଯାହାକି ସବୁଠାରୁ ବ୍ୟୟ ବହୁଳ ଚିକିତ୍ସା। ଗୁରୁତର କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହି ଚିକିତ୍ସା କରାଯାଇଥାଏ। କୋଭିଡର ପ୍ରଥମ ଓ ଦ୍ଵିତୀୟ ଲହର ସମୟରେ ଏହି ଚିକିତ୍ସା ପାଇଁ ଓଡ଼ିଶାର କିଛି ବ୍ୟକ୍ତି ଏୟାର ଆମ୍ବୁଲାନ୍ସ ଜରିଆରେ କୋଲକାତା, ଚେନ୍ନାଇ ଯାଇଥିଲେ। କିନ୍ତୁ ଏବେ ସେହି ଚିକିତ୍ସା କଟକ ଏସସିବି ମେଡ଼ିକାଲରେ ସହଜରେ ଏବଂ ମାଗଣାରେ ଉପଲବ୍ଧ। ଏକମୋ ଚିକିତ୍ସା ପାଇଁ ରାଜ୍ୟବାସୀଙ୍କୁ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। କିନ୍ତୁ ଦୁଃଖର ବିଷୟ ଓଡ଼ିଶାରେ ଏକମୋ ଚିକିତ୍ସା ଆରମ୍ଭରୁ ଆଜି ଯାଏଁ ୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି। ଏସସିବିରେ ୯ଟି ଏକମୋ ମେସିନର ସ୍ଥାପନ

ରାଜ୍ୟବାସୀଙ୍କୁ ଏକମୋ ଚିକିତ୍ସା ଯୋଗାଇ ଦେବା ପାଇଁ କଟକସ୍ଥିତ ଏସିବିରେ ୯ଟି ଏକମୋ ମେସିନ ସ୍ଥାପନ କରାଯାଇଛି। ଅଗଷ୍ଟ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏକମୋ ମେସିନର ଉଦଘାଟନ କରିଥିଲେ। ଏସସିବିରେ ଲୋକାର୍ପିତ ହୋଇଥିବା ଏହି ୟୁନିଟ ପୂର୍ବ ଭାରତରେ ସବୁଠାରୁ ବଡ ଏକମୋ ୟୁନିଟ ଭାବେ ପରିଚିତ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକମୋ ଭଳି ବ୍ୟୟ ବହୁଳ ଚିକିତ୍ସା ଏଠାରେ ଯୋଗାଇ ଦିଆଯାଉଛି, ଯାହାକି ସମଗ୍ର ଦେଶରେ ପ୍ରଥମ।

ଏକମୋ ୟୁନିଟ୍‌ରେ ଆଖି ବୁଜିଲେଣି ୪ ରୋଗୀ

କଟକସ୍ଥିତ ଏସସିବିରେ ଥିବା ଏକମୋ ୟୁନିଟରେ ଆଖି ବୁଜିଲେଣି ୪ ଜଣ କରୋନା ରୋଗୀ। ଏକମୋ ଚିକିତ୍ସା ବ୍ୟବସ୍ଥା ଉଦଘାଟନ ହେବା ପରେ ପ୍ରଥମ ରୋଗୀ ଭାବେ ଭର୍ତ୍ତି ହୋଇଥିଲେ ଅନ୍ନପୂର୍ଣ୍ଣା ନାୟକ। ତାଙ୍କ ବୟସ ୫୮ ବର୍ଷ ଥିଲା ଏବଂ ସେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଡ଼କ୍ଷୀର ଅଞ୍ଚଳର ବାସିନ୍ଦା ଥିଲେ। କୋଭିଡରେ ଆକ୍ରାନ୍ତ ହୋଇ ଗୁରୁତର ହେବାପରେ ଅଗଷ୍ଟ ୨୯ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ଏକମୋ ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପାଖାପାଖି ୨୫ ରୁ ଅଧିକ ଦିନ ଧରି ଚିକିତ୍ସା ହେବା ପରେ ଶେଷରେ ଆଖି ବୁଜିଛନ୍ତି ଅନ୍ନପୂର୍ଣ୍ଣା।ସେହିପରି ଅନ୍ନପୂର୍ଣ୍ଣାଙ୍କ ପୂର୍ବରୁ ଆଉ ତିନି ଜଣ ରୋଗୀ ଏକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଡେପୁଟି ସେକ୍ରେଟାରୀ ତଥା ଭୁବନେଶ୍ୱର ଖାରବେଳନଗରର ଦିଲ୍ଲୀପ କୁମାର ଅଗ୍ରୱାଲ। ମୃତ୍ୟୁ ବେଳକୁ ତାଙ୍କ ବୟସ ମଧ୍ୟ ୫୭ ବର୍ଷ ଥିଲା। କୋଭିଡର ପରବର୍ତ୍ତୀ ଜଟିଳତା କାରଣରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏକମୋ ୟୁନିଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆଉ ଜଣେ ରୋଗୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇର ଜଗନ୍ନାଥ ପ୍ରଧାନ। ମୃତ୍ୟୁ ବେଳକୁ ତାଙ୍କ ବୟସ ୩୨ ବର୍ଷ ହୋଇଥିଲା। କୋଭିଡରେ ଆକ୍ରାନ୍ତ ହୋଇ ଅନେକ ଦିନ ଚିକତ୍ସା ହେବାପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବରୁ ତାଙ୍କୁ ଏକମୋ ସପୋର୍ଟରେ ରଖି ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା।

ସେହିପରି ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ମଧ୍ୟ ଏସସିବିର ଏକମୋ ୟୁନିଟରେ ଚିକିତ୍ସା ହେଉଥିବା ସମୟରେ ଆଖି ବୁଜିଛନ୍ତି। ସେହିକ୍ରମରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

Comment