ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ଉପରେ ରହିଛି ଓଡ଼ିଶାବାସୀଙ୍କ ନଜର। ଆଜି ଶୃଙ୍ଖଳାର ସହ କରୋନା କଟକଣା ଭିତରେ ପିପିଲିରେ ମତଦାନ ପ୍ରକ୍ରିୟା ଜାରି ରହିଛି। ତଥ୍ୟ ଅନୁସାରେ ଭୋଟରମାନେ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ ଦେଇଥିବା ଜଣାପଡ଼ିଛି।

“ଭୋଟ କେନ୍ଦ୍ରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଭୋଟରମାନେ ସାମାଜିକ ଦୂରତା ରଖି ଧାଡ଼ିରେ ଛିଡ଼ାହୋଇ ଜଣଙ୍କ ପରେ ଜଣେ ଭୋଟ ଦେଉଛନ୍ତି। ପାଗ ଭଲ ଥିବାରୁ ଭୋଟର ସଂଖ୍ୟା ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ଆଗକୁ ମତଦାନ ପ୍ରତିଶତ ଆହୁରି ବଢ଼ିବା ନେଇ ଆଶା କରାଯାଉଛି”, କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ।

ସେ ଆଉ ମଧ୍ୟ କହିଛନ୍ତି, “୩୪୮ଟି ବୁଥରେ ମତଦାନ ପ୍ରକ୍ରିୟା ଚାଲିଛି। ଚଳିତ ବର୍ଷ ୨୦ଟି ମଡେଲ ବୁଥ କରାଯାଇଛି। ଯେଉଁଥିରେ କି ଭୋଟରମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯିବା ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି।”

ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ଏବଂ ଦିନ ୧ଟା ସୁଦ୍ଧା ୪୫.୩୨ ପ୍ରତିଶତ ମତଦାନ କରାଯାଇଛି। ଏହିକ୍ରମରେ ଆଗକୁ ମତଦାନ ପ୍ରକ୍ରିୟା ବଢ଼ିବ ବୋଲି ଆଶା ରଖାଯାଇଛି।

Comment