ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର। ଏହାକୁ ଏକ ପ୍ରକାର ଦୁର୍ଘଟଣା ପୁରସ୍କାର କୁହାଯାଇପାରେ। ମୋଦୀ ସରକାର ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏଭଳି ଏକ ଯୋଜନା ଆରମ୍ଭ କରିଛନ୍ତି।

ତେବେ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧ ଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚାଇଲେ ଜଣେ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ। କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଯୋଜନା ଅକ୍ଟୋବର ୧୫ ତାରିଖ ୨୦୨୧ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

ଜରୁରୀକାଳୀନ ସ୍ଥିତିରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଏହା ଲୋକଙ୍କୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି। ହସ୍ପିଟାଲ ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ପୁରସ୍କାର ସାଙ୍ଗକୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ। ସେହିପରି ସବୁଠୁ ଭଲ ସାହାଯ୍ୟକାରୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ସଡକ ଦୁର୍ଘଟଣା ଘଟୁଛି। ଯେଉଁଥିରେ ପ୍ରାୟ ଦେଢ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସେଥି ସହିତ ସାଢେ ୪ଲକ୍ଷ ଲୋକ ବିଭିନ୍ନ ସଡକ ଦୁର୍ଘଟଣାରେ ଆହତ ହେଉଛନ୍ତି। ସଡକ ଦୁର୍ଘଟଣାରେ ବଢୁଥିବା ମୃତକଙ୍କ ସଂଖ୍ୟାକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ଯେଉଁସବୁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ସ୍ୱାଗତଯୋଗ୍ୟ। ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୦ ପ୍ରତିଶତକୁ ଖସାଇ ଆଣିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।

ତେବେ ସଡ଼କ ଦୁର୍ଘଟଣା ପଛରେ ବଡ଼ କାରଣ ହେଉଛି ମଦ୍ୟପାନ କରି ଗାଡ଼ି ଚଳାଇବା ଓ ଚାଳକମାନଙ୍କ ବେପରୁଆ ଗାଡ଼ି ଚାଳନା। ବେପରୁଆ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ନିୟମର କଡାକଡି ପାଳନ ହୋଇ ପାରୁନାହିଁ। ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀ ଗଳା ବାଟ ଦେଇ ଖସି ଯାଉଛନ୍ତି।

Comment