କପିଳାସ ଭୂୟାଁ


ଗୋଟିଏ ସହରର ନିଜସ୍ଵ ଏକ ଆତ୍ମ-ପରିଚୟ ଥାଏ। ସେହି ଆତ୍ମ-ପରିଚୟ ଯୋଗୁ ସେଠାକୁ ଆସୁଥିବା ଅନ୍ୟ ସହର ବା ରାଜ୍ୟ କିମ୍ବା ଦେଶର ଲୋକେ ସେହି ସହରକୁ ମନେ ରଖିଥାନ୍ତି। ଭୁବନେଶ୍ଵରରେ ନୂଆ ରାଜଧାନୀ ପ୍ରତିଷ୍ଠା କାଳରେ ସହରର ନକ୍ସା ତିଆରି କରିଥିବା ବ୍ୟକ୍ତିବିଶେଷମାନେ ମନ୍ଦିରମାଳିନୀ ପୁରୁଣା ଭୁବନେଶ୍ଵର ସହ ନୂଆ ରାଜଧାନୀ ସହରକୁ ଯୋଡିବାକୁ ଚେଷ୍ଟା କରିଥିଲେ। ଉଦ୍ଦେଶ୍ୟ ଥିଲା ରାଜଧାନୀ ଭୁବନେଶ୍ଵର ନୂଆ ସହର ହୋଇଥିଲେ ବି, ଏଠାରେ ନୂଆ କୋଠାବାଡି ତିଆରି କରି ଆଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇ ଥିଲେ ବି ତାହା ପୁରୁଣା ସହରର ଅଂଶ ବିଶେଷ ପରି ଲାଗିବ। ଶହ ଶହ ବର୍ଷର ଐତିହ୍ୟ ଥିବା ଏକ ସହରର ପରିଚୟ ଦେବ।

କିନ୍ତୁ ଏବେ ଭୁବନେଶ୍ଵରକୁ ସ୍ମାର୍ଟ ସିଟି ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଭଳି ଭଙ୍ଗାଗଢା ଚାଲିଛି, ତା’ ଦ୍ଵାରା ଆମ ରାଜଧାନୀ ଯେ ଆଗକୁ ଦିନେ କୌଣସି ପରିଚୟ ନଥିବା ସହରରେ ପରିଣତ ହେବାକୁ ଯାଉଛି ବୋଲି କହିବା ଆଦୌ ଭୁଲ ହେବ ନାହିଁ।

ରାଜଧାନୀ ସହରକୁ ପୁରୁଣା ଭୁବନେଶ୍ଵରର ଐତିହ୍ୟ ସହ ଯୋଡିବାର ଉଦ୍ଦେଶ୍ୟରୁ ନୂଆ କୋଠାବାଡିଗୁଡିକୁ ଚୂଡା-ସମ୍ପର୍ଣ୍ଣ କରି ଗଢା ଯାଇଥିଲା, ଯେମିତି କି ମାର୍କେଟ ବିଲଡିଙ୍ଗ, ରେଡ ବିଲଡିଙ୍ଗ (ଯାହାକି ଆଜିକା ଦିନରେ ଲୋକସେବା ଭବନର ଅଂଶବିଶେଷ ଭାବେ ଧଳା କୋଠାରେ ପରିଣତ ହୋଇଯାଇଛି), କ୍ୟାପିଟାଲ ଥାନା, ସବୁ ଇଉନିଟଗୁଡିକରେ ଥିବା ଉଚ୍ଚ ଓ ମାଧ୍ୟମିକ ବିଦ୍ୟାଳୟ ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ପୂର୍ବତଟ ରେଳବାଇର ମୁଖ୍ୟାଳୟ, ନାଲକୋ ଭବନ ଓ ହୋଟେଲ ସ୍ଵସ୍ତି ପ୍ଲାଜା ଇତ୍ୟାଦି।

ସେହି କ୍ରମରେ ପରବର୍ତ୍ତୀ ସମୟରେ ରାଜଧାନୀର କେନ୍ଦ୍ରସ୍ଥଳୀ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକରେ ପଥର-ଖୋଦେଇ କାରୁକଳା କୋଣାର୍କର ଘୋଡା ଯାହାକି ରାଜ୍ୟ ସରକାରଙ୍କ ପ୍ରତୀକ ରୂପେ ଗୃହୀତ ତାହାକୁ ଅଶି ଦଶକରେ ସ୍ଥାପନା କରାଯାଇଥିଲା।

ରାଜଧାନୀ ଭୁବନେଶ୍ଵରକୁ ସୁଶୋଭିତ ଓ ସୁନ୍ଦର ସ୍ମାର୍ଟ ସିଟିରେ ପରିଣତ କରିବାକୁ ବିଏସସିଏଲ ପକ୍ଷରୁ ଅବିରତ କାମ ଚାଲିଛି। କ୍ରମ ବର୍ଦ୍ଧିଷ୍ଣୁ ଟ୍ରାଫିକକୁ ଦୃଷ୍ଟିରେ ରଖି ଯାନବାହାନ ଚଳାଚଳ ଓ ପାର୍କିଂ ପାଇଁ ମଧ୍ୟ ସମୁଚିତ ପଦକ୍ଷେପ ନିଆଯାଉଛି। ଏହା ନିଶ୍ଚୟ ଅତି ଆନନ୍ଦର କଥା। କିନ୍ତୁ ସ୍ମାର୍ଟ ସିଟି ନାଁରେ ସହରର ଆତ୍ମ-ପରିଚୟକୁ ଲୋପ କରିଦେବା କଣ ବୁଦ୍ଧିମାନର କାମ? କିଛି ଦିନ ତଳେ ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ହୋଇଥିଲା, କିନ୍ତୁ ପ୍ରବଳ ଜନ ବିରୋଧ ଯୋଗୁ ତାହାକୁ ସ୍ଥଗିତ ରଖାଯାଇ ଥିଲା। ଏବେ ସେହି ଘୋଡ଼ା ରହିଲା, କିନ୍ତୁ ଗୋଲେଇ ଛକକୁ ଭାଙ୍ଗି ଦିଆଗଲା! ପ୍ରଶାସନର କାହିଁକି ଏଭଳି ଏକଜିଦିଆ ମନୋଭାବ!

ଗତ ଚାରି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ମାଷ୍ଟରକ୍ୟାଣ୍ଟିନର ଗୋଲେଇ ହିଁ ସହରର ଆତ୍ମ-ପରିଚୟ ହୋଇ ଶୋଭା ପାଉଥିଲା। ଯେହେତୁ ଏହା ଏକ ଗୋଲେଇ ଛକ ଟ୍ରାଫିକ ସାନ୍ଧ୍ରତା ଯେତେ ବୃଦ୍ଧି ପାଇଲେ ମଧ୍ୟ ବିନା କୌଣସି ଟ୍ରାଫିକ ନିୟନ୍ତ୍ରଣରେ ସମସ୍ତେ ଏଠାରେ ସୁରୁଖୁରୁରେ ଯିବା ଆସିବା କରିପାରୁଥିଲେ। ଏହି ଗୋଲେଇକୁ ଭାଙ୍ଗି ଏକ ପାଖିଆ ସିଧା ରାସ୍ତା କରିବା ଓ ଆଗକୁ ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଆଲୋକ ଲଗାଇବା ସହ ପୋଲିସ ମୁତୟନ କରିବା ଯୋଜନା କେଉଁ ବୁଦ୍ଧିମତାର ପରିଚୟ? କ୍ଷମତାଶାଳୀ ପ୍ରଶାସକଙ୍କ ଏଭଳି ମନୋବୃତ୍ତି ବଦଳିବ?

ପ୍ରଥମ କଥା ହେଲା ଏହି ଜନପଥରେ କାଳକ୍ରମେ ଯାନବାହାନ ଚଳାଚଳ ବଢିଛି। ତା’ ଉପରେ ସରକାର ତାଙ୍କର ସବୁ ଆଖିଦୃଶିଆ ପ୍ରୋଜେକ୍ଟ ଏହି ରାସ୍ତା ଉପରେ ତିଆରି କରୁଛନ୍ତି, ଯାହା ଟ୍ରାଫିକ ସାନ୍ଧ୍ରତାକୁ ନିଶ୍ଚୟ ବୃଦ୍ଧି କରିବ। ଗୋଲେଇ ଛକକୁ ଭାଙ୍ଗି ରାସ୍ତାକୁ ଏକ ପାଖିଆ କରିଦେଲେ ଲୋକେ ରାସ୍ତାର ଗୋଟିଏ ପଟୁ ଅନ୍ୟ ପଟକୁ ଯିବେ କେମିତି? ଏଭଳି କରିବା ଦ୍ଵାରା କେହି ଯଦି ରାଜମହଲ ଛକରୁ ଏହି ରାସ୍ତାକୁ ପଶିଲେ, ତେବେ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ପଛକୁ ବୁଲିବା ପାଇଁ କେବଳ ରେମଣ୍ଡ ସୋ ରୁମ ଓ ଶ୍ରୀୟା ଟକିଜ ଛକରେ ଦୁଇଟି କଟ ରହିଛି। ମାଷ୍ଟର କ୍ୟାଣ୍ଟିନ ଗୋଳେଇକୁ ଭାଙ୍ଗି ସିଧା କରିଦେବା ଦ୍ଵାରା ଏହି ଦୁଇଟି କଟ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେବ ନାହିଁ କି? ଏହାର କେଉଁ ନିରାକରଣ କରାଯିବ? ଯଦି ଅଛି, ତେବେ ସାଧାରଣ ଲୋକଙ୍କୁ ସେ ସମ୍ପର୍କରେ ସୂଚନା ଦିଆଯାଉ ନାହିଁ କାହିଁକି?

ଯେଉଁ ଟାଉନ ପ୍ଲାନର ଓ ପ୍ରଶାସକମାନେ ନିଷ୍ପତି ନେଉଛନ୍ତି ସେମାନେ ଭୁଲିଯିବା ଆଦୌ ଉଚିତ ନୁହେଁ ଯେ ଏ ସହର କେବଳ ସେମାନଙ୍କର ନୁହେଁ, ସେମାନେ କେବଳ କିଛି ଦାୟିତ୍ଵ ନିର୍ବାହ କରୁଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଘରଦ୍ଵାର କରି ପ୍ରାୟ ସତୁରୀ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ରହୁଥିବା ସ୍ଥାନୀୟ ଅଧିବାସୀମାନଙ୍କର ମଧ୍ୟ ସରକାରୀ ଯୋଜନାଗୁଡିକ କିଭଳି ରୂପାୟିତ ହେଉଛି ସେ ସମ୍ପର୍କରେ ମତାମତ ଦେବାର ଅଧିକାର ଅଛି।

ଅବଶ୍ୟ ରାସ୍ତାଘାଟର ଡିଜାଇନ ଯେଉଁମାନେ କରୁଛନ୍ତି ସେମାନେ ନିଶ୍ଚୟ ସେ ବିଷୟରେ ପାଠଶାଠ ପଢିଛନ୍ତି ଓ ସେମାନଙ୍କୁ ବୈଷୟିକ ଦିଗ ଅଧିକ ଜଣା। କିନ୍ତୁ ଯାନବାହାନ ଚଳାଚଳ ବାବଦରେ ସ୍ଥାନୀୟ ସାଧାରଣ ବାସିନ୍ଦାଙ୍କର ସାଧାରଣ ଜ୍ଞାନର ଉପଯୋଗ କରିବାରେ ଦ୍ଵିଧା କାହିଁକି?

ଏଭଳି ପ୍ରଶ୍ନ ପଚାରିବା ପାଇଁ ନିକଟରେ ସରକାରଙ୍କ କେତେକ ପଦକ୍ଷେପ ହିଁ ଦାୟୀ। ପ୍ରଥମ ଉଦାହରଣ ହେଲା ରାଜମହଲ ଛକ ଉପରେ ନିର୍ମିତ ଓଭର ବ୍ରିଜ। ଆଜି ସୁଧା ବି ବହୁ ଅଳ୍ପ ସଂଖ୍ୟକ ବ୍ୟକ୍ତି ଏହି ଓଭର ବ୍ରିଜ ବ୍ୟବହାର କରୁଛନ୍ତି। ତା’ ଛଡା ଓଭର ବ୍ରିଜ ହେବା ସତ୍ଵେ କ୍ୟାପିଟାଲ ହାଟ ଓ ମାର୍କେଟ ନିକଟସ୍ଥ ଗହଳି ସମସ୍ୟାର କୌଣସି ସମାଧାନ ହେଲା ନାହିଁ।

ଦ୍ଵିତୀୟ ଉଦାହରଣ ହେଲା ରସୁଲଗଡ-ସହିଦ ନଗର-ବମିଖାଲ ଓଭର ବ୍ରିଜ। ଲମ୍ବା ସମୟ ଧରି କାମ ଚାଲିବା ଓ ଦୁଇ ଦୁଇ ଥର ଏହି ବ୍ରିଜ ଭୁଶୁଡିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ ହେବା ସତ୍ଵେ ଏହି ଓଭର ବ୍ରିଜରୁ ଯେଉଁ ଉପକାର ମିଳିବା କଥା ତାହା ମିଳିଲା ନାହିଁ! ବରଂ କେହି ନୂଆ ଲୋକ ଏହି ବ୍ରିଜ ବ୍ୟବହାର କଲେ କେଉଁଠି କେଉଁ ଆଡକୁ ଯିବ ତାକୁ ନେଇ ଅଯଥାରେ ଚିନ୍ତିତ ହେବ ହିଁ ହେବ। ସହିଦ ନଗର ରେଲୱେ ଚେକ ଗେଟ ନିକଟରେ ହେଉଥିବା ନାହିଁ ନଥିବା ଭିଡରୁ ମୁକ୍ତି ଦେବା ପାଇଁ ନିର୍ମିତ ଏହି ଓଭର ବ୍ରିଜ ଏଠାକୁ ଯିବା ଆସିବା ପାଇଁ ବିଶେଷ କିଛି ସୁବିଧା ଦେଉ ନାହିଁ। ଏହା ଅର୍ଥର ଅପଚୟ ନୁହେଁ ତ ଆଉ କଣ?

ତୃତୀୟ ଉଦାହରଣ ହେଲା ଆମେ ରାସ୍ତାଘାଟ ତିଆରି କରୁଛନ୍ତି, କିନ୍ତୁ ପଦଚାରୀମାନଙ୍କ କଥା ଆଦୌ ଭାବୁ ନାହାନ୍ତି। ସତେ ଯେମିତି ସେମାନେ ଦ୍ଵିତୀୟ ଶ୍ରେଣୀ ନାଗରିକ। ହଁ, ପଦଚାରୀମାନେ ରାସ୍ତା ପାରି ହେବା ପାଇଁ ଆମେ କେତେକ ଫୁଟ ଓଭର ବ୍ରିଜ ତିଆରି କରିଛନ୍ତି, କିନ୍ତୁ ଯେଉଁଠି ଦରକାର ସେଠାରେ ନକରି ଏମିତି ଜାଗାରେ ତିଆରି କରିଛନ୍ତି ଯେ ସେଗୁଡିକୁ କେହି ବ୍ୟବହାର କରୁ ନାହାନ୍ତି। ବରଂ ସେଗୁଡିକ ବିଜ୍ଞାପନ ଆୟ ପାଇଁ ବ୍ୟବହାର କରାଯାଉଛି ଓ ସେଠାରେ ଅସାମାଜିକ କାର୍ଯ୍ୟକଳାପ ପୁରା ଦମରେ ଚାଲୁଛି!

ମୂଳ ପ୍ରସଙ୍ଗକୁ ଫେରି ଆସିଲେ କହିବାର ଉଦ୍ଦେଶ୍ୟ ହେଲା ଯେ, ରାଜଧାନୀ ଭୁବନେଶ୍ଵରରେ ମୂଳରୁ ସମୁଦାୟ ପାଞ୍ଚଟି ଗୋଲେଇ ଛକ ଥିଲା। ସେଗୁଡିକ ହେଲା ଗଭର୍ଣ୍ଣର ହାଉସ ଗୋଲେଇ, ମାଷ୍ଟର କ୍ୟାଣ୍ଟିନ ଗୋଲେଇ, ରାଜମହଲ ଗୋଲେଇ, ଏଜି ଛକ ଓ ଗୋପବନ୍ଧୁ ଗୋଲେଇ ଛକ। ଏଜି ଗୋଲେଇ ଛକକୁ ସିଧା କରିଦେବା କିଛି ଭୁଲ ନୁହେଁ, କାରଣ ଏହି ରାସ୍ତାରେ ଭିଆଇପିମାନେ ଯିବା ଆସିବା କରନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଏହା ଜରୁରୀ। କିନ୍ତୁ ରାସ୍ତା ଚଉଡା କରି ସାରିଲା ପରେ ରାଜମହଲ ଓ ମାଷ୍ଟର କ୍ୟାଣ୍ଟିନ ଗୋଲେଇକୁ ସିଧା କରିବାର ଆବଶ୍ୟକତା କଣ ଥିଲା? ବରଂ କୁହାଯାଇ ପାରେ ଯେ ରାଜମହଲ ଓଭର ବ୍ରିଜର କୌଣସି ଆବଶ୍ୟକତା ହିଁ ନଥିଲା। ସେହି ଭଳି ମାଷ୍ଟର କ୍ୟାଣ୍ଟିନ ଗୋଲେଇକୁ ଭାଙ୍ଗିବା ବି ଦରକାର ନଥିଲା। ତା’ ଛଡା ରାଜଧାନୀ ଭୁବନେଶ୍ଵରର ଆତ୍ମ-ପରିଚୟକୁ ନିଶ୍ଚିହ୍ନ କରିଦେବା ନିଶ୍ଚିତ ରୂପେ ଏକ ଅବିମୃଷ୍ୟକାରୀ ପଦକ୍ଷେପ।

ବିଏସସିଏଲ କର୍ତ୍ତୃପକ୍ଷଙ୍କ କାନରେ ଆମ କଥା ପଡିବ ବୋଲି ଆଶା!

କିନ୍ତୁ କ୍ଷମତାଶାଳୀ ଲୋକେ କାହା କଥା ଶୁଣନ୍ତି ଯେ ଆମ କଥା ଶୁଣିବେ?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment