ଓଡ଼ିଶାଲାଇଭ୍ ବ୍ୟୁରୋ

ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କଲେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ।

‘‘ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ଅନେକ ସ୍ୱପ୍ନ ଓ ସମ୍ଭାବନା ରହିଥାଏ। ସେହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାର ଶିକ୍ଷା ଆମକୁ ଆମ କଲେଜ ଦେଇଥାଏ। ତେଣୁ ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାକୁ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇବା ଦରକାର’’, ଏହା କହିଛନ୍ତି ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ।ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ସୋମବାର ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିନବ ପରିକଳ୍ପନା ‘ମୋ କଲେଜ’ ଅଭିଯାନ ଅଧୀନରେ ଏହି ଶିକ୍ଷାନୁଷ୍ଠାନର କିପରି ସାମଗ୍ରିକ ବିକାଶ ହୋଇପାରିବ ଏବଂ ଗୁଣାତ୍ମକ ଶିକ୍ଷାଦାନର ଧାରା କିପରି ବଜାୟ ରହିବ ତା’ଉପରେ ସେ ଗୁରୁତ୍ୱ ଦେଇଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ ଉତ୍କର୍ଷତା କେବଳ ଆମର ଦକ୍ଷତା ନୁହେଁ, ଏହା ଆମ ପାଇଁ ଏକ ଗୌରବର କଥା। ସାମୂହିକ ସହଯୋଗରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍କର୍ଷତାର ଶୀର୍ଷକୁ ଯାଇପାରିବେ।

ସେହିପରି ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ବେହେରା କହିଥଲେ, ‘‘ପ୍ରତ୍ୟେକ ଛାତ୍ରଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ମୋ କଲେଜ ଅଭିଯାନ ଅଧୀନରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀ ନିଶ୍ଚିତ ଭାବରେ ମିଳିତ ଭାବେ କାର୍ଯ୍ୟ କରିବେ।’’ପୁରାତନ ଛାତ୍ର ସଂଘର ସଭାପତି ରାଜକିଶୋର ବେହେରା କଲେଜର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ଉପରେ ଆଲୋଚନା କରିଥିଲେ। ‘ମୋ କଲେଜ’ ଅଭିଯାନର ସଂଯୋଜକ ପ୍ରଫେସର ମୁରଲୀଧର ସେଠୀ ଧନ୍ୟବାଦ ଦେଇଥିଲେ।

Comment